ଚନ୍ଦ୍ରଭାଗାରେ ଶତାଧିକ ମୃତ ଜେଲିଫିସ୍
ବିଗୁଡୁଛି ପରିବେଶ ସନ୍ତୁଳନ
କୋଣାର୍କ (ଆପ୍ର): ଓଡ଼ିଶାର ସାମୁଦ୍ରିକ ପରିବେଶ ଉପରେ ଖୁବ୍ କୁ-ପ୍ରଭାବ ପଡ଼ୁଥିବା ନେଇ ଏବେ ଅନେକ ବିରଳ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତୁ୍ୟ ଦେଖିବାକୁ ମିଳୁଛି । ମଙ୍ଗଳବାର ଅପରାହ୍ଣରେ ଇକୋ-ରିଟ୍ରିଟ୍ ନିକଟ ବେଳାଭୂମି ସମୁଦ୍ର ଗର୍ଭରେ ଥିବା ବିରଳ ଜେଲିଫିସ ଶତାଧିକ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ବିରଳ ସାମୁଦ୍ରିକ ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ଓ ଏହାର ସୁରକ୍ଷା ନେଇ କୋଟି କୋଟି ଟଙ୍କା ଖାଲି କାଗଜ କଲମରେ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ୍ଚ କରୁଥିଲା ବେଳେ କୋଣାର୍କ ଚନ୍ଦ୍ରଭାଗା ବେଳମାର୍ଗରେ ଏହି ବିରଳ ସାମୁଦ୍ରିକ ଜୀବଜନ୍ତୁଙ୍କ କ୍ଷେତ୍ରରେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି ।
ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଚିତ୍ତ ବିନୋଦନ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଉଚ୍ଚ ଶକ୍ତିସମ୍ପନ୍ନ ଇଞ୍ଜିନ୍ ବୋଟ ଯୋଗୁଁ ଏହି ବିରଳ ଜେଲିଫିସ୍ ସମେତ ଅନେକ ବିରଳ ଅଲିଭି ରିଡ୍ଲେଙ୍କ ମୃତୁ୍ୟ ହେଉଥିବା ଯୁବ ପରିବେଶବିତ୍ ସରୋଜ କୁମାର ଜେନା ଅଭିଯୋଗ କରିଛନ୍ତି । ପୂର୍ବରୁ ଅନେକ ଥର ଏଭଳି ଅଘଟଣ ଘଟିଥିଲା ବେଳେ ବିଶେଷ ଭାବେ ‘ସର୍ବସାଧାରଣ’ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଏବେ ପୁଣିଥରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି । ପୁଣି ଶତାଧିକ ସାମୁଦ୍ରିକ ଜେଲିଫିସ୍ଙ୍କ ମୃତୁ୍ୟରେ ଏବେ ପରିବେଶବିତ୍ ଗଭୀର ଚିନ୍ତା ପ୍ରକଟ କରିଥିବା ବେଳେ ସରକାର ଏହା ଉପରେ ଦୃଷ୍ଟି ଆକର୍ଷଣ କରି ଦୃଢ଼ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।