ତେଜିଲା କଂଗ୍ରେସରେ କନ୍ଦଳ

ଭୁବନେଶ୍ୱର,୧୯ା୪(ବୁ୍ୟରୋ): ଓଡ଼ିଶାରେ କଂଗ୍ରେସର ସ୍ଥିତି ଦୋହଲି ଯାଇଛି । ପ୍ରତିଟି ନିର୍ବାଚନରେ ଦଳ ଶୋଚନୀୟ ପରାଜୟବରଣ କରୁଛି । ଆଗକୁ ୨ଠ୨୪ ନିର୍ବାଚନ । ଏହାପୂର୍ବରୁ ଦଳକୁ ପୁଣିଥରେ ତୃଣମୂଳସ୍ତରରୁ ସଂଗଠିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜନୈତିକ ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋର ଓଡ଼ିଶାରେ କଂଗ୍ରେସର ସ୍ଥିତି ସୁଦୃଢ଼ କରିବା ପାଇଁ ହାଇକମାଣ୍ଡ୍ଙ୍କୁ ରୋଡ୍ମ୍ୟାପ୍ ଦେଇଥିବା କୁହାଯାଉଛି । ଓଡ଼ିଶାରେ କଂଗ୍ରେସ ଏକାକୀ ୨୪ ନିର୍ବାଚନ ଲଢ଼ିବାକୁ ସେ ସୋନିଆ ଗାନ୍ଧିଙ୍କୁ କହିଥିବା ଜଣାପଡ଼ିଛି ।
ଗୋଟିଏ ପଟେ ଓଡ଼ିଶାରେ ସଂଗଠନ ସଜାଡ଼ିବାକୁ ଏଆଇସିସି କସରତ ଆରମ୍ଭ କରିସାରିଥିବା ବେଳେ ଅନ୍ୟପଟେ ରାଜ୍ୟରେ ମଙ୍ଗୁଆଳକୁ ନେଇ ତେଜିବାରେ ଲାଗିଛି କନ୍ଦଳ । ପିସିସି ସଭାପତି କିଏ ହେବ, ସେନେଇ ଚାଲିଛି ବୟାନବାଜି । ବର୍ତ୍ତମାନର ବିଧାୟକ ଏବଂ ପୁରୁଖାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି ।
ଏପରିକି କେବଳ ପିସିସି ସଭାପତି ନୁହେଁ ବରଂ ବିଧାୟକ ଦଳ ନେତାଙ୍କୁ ମଧ୍ୟ ବଦଳାଇବାକୁ ଦଳର ବିଧାୟକ ମାନେ ସ୍ୱର ଉଠାଇଛନ୍ତି । ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ପିସିସି ପରିବର୍ତ୍ତନ ସୁନିଶ୍ଚିତ । ବିଧାୟକମାନଙ୍କ ଭିତରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ । ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନଯାଏ ତେବେ ଆମର ଅସନ୍ତୋଷ ଜାରି ରହିବ । ଜଣେ ବିଧାୟକ ପିସିସି ସଭାପତି ହେଲେ ତାଙ୍କ ସହ ନଅ ବିଧାୟକ ବୁଲିବେ ଓ ଦଳ ଦମ୍‌ ଦେଖାଇ ପାରିବ । ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକମାନଙ୍କ ସହ ଆଲୋଚନା କରି କ’ଣ କରାଯିବ ସେ ନିଷ୍ପତ୍ତି ନେବୁ ।
ସେପଟେ ପିସିସି ପରିବର୍ତ୍ତନ ପ୍ରସଙ୍ଗ ଭିତରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେବଳ ପିସିସି ସଭାପତି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି । ଏ କଥା ଦଳର ପ୍ରାୟ ଅଧିକାଂଶ ବିଧାୟକ କହୁଛନ୍ତି । ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ସାଲୁଜା କହିଛନ୍ତି ସେ ଯିଏ ହୁଅନ୍ତୁ ନା କାହିଁକି, ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ । ଅନ୍ୟତମ ବିଧାୟକ ଅଧିରାଜ ପାଣିଗ୍ରାହୀ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଥର ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ । କିନ୍ତୁ ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ଯଦି ହାଇକମାଣ୍ଡ ସଭାପତି କରନ୍ତି, ତେବେ ଆମେ ତାଙ୍କୁ ସମର୍ଥନ କରିବୁ । ଏହାସହ ବିଧାୟକ ଦଳ ନେତା ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ମମିତା ମେହେର ଘଟଣାରେ ନରସିଂହ ମିଶ୍ରଙ୍କ ବଡ଼ପୁଅ କ’ଣ ପାଇଁ ସ୍ପେଶାଲ୍‌ ପିପି ନିଯୁକ୍ତ ହେଲେ ଆମେ ଏ ନେଇ ସଂଗଠନରେ ଆଲୋଚନା କରିବୁ । ନରସିଂହ କଂଗ୍ରେସ ବିଧାୟକ ଦଳ ନେତା ଥିବା ବେଳେ ତାଙ୍କ ପୁଅ କେଉଁ ପରିସ୍ଥିତିରେ କାହିଁକି ସ୍ପେଶାଲ ପିପି ହେଲେ ବୁଝାପଡୁନାହିଁ?

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *