କେହି ସାହସ କଲେନି, ଭାରତ କରିଛି
ରୁଷ୍ ବିଦେଶମନ୍ତ୍ରୀଙ୍କ ମୁହଁରେ ଭାରତର ଜୟଗାନ
ଜୟଶଙ୍କର ଜଣେ ପ୍ରକୃତ ଦେଶଭକ୍ତ: ରୁଷ୍
ନୂଆଦିଲ୍ଲୀ(ଏଜେନ୍ସି): ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଅନେକ ଦେଶ ଯେତେବେଳେ ରୁଷ୍ ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିସାରିଛନ୍ତି ଏବଂ ସିଧାସଳଖ ରୁଷ୍ ସହ ଶତ୍ରୁତା ମନୋଭାବ ପ୍ରଦର୍ଶନ କରିସାରିଛନ୍ତି ସେତେବେଳେ ଭାରତ ଉଭୟ ରାଷ୍ଟ ପ୍ରତି ନିରପେକ୍ଷ ରହି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ପ୍ରଥମେ ପ୍ରଥମେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଭାରତର ଏପ୍ରକାର ନିରପେକ୍ଷ ନୀତିକୁ ସମାଲୋଚନା କରିବା ସହ ସେମାନଙ୍କ ସହ ସମ୍ପର୍କ ଖରାପ ହେବାର ମଧ୍ୟ ନାଲି ଆଖି ଦେଖାଇଥିଲେ । କିନ୍ତୁ ଭାରତ ଏଥିରେ ଭୟଭୀତ ହୋଇନଥିଲା ଏବଂ ନିର୍ଭୟରେ ନିଜ ପକ୍ଷ ରଖି ଚାଲିଥିଲା । ସ୍ଥିତି ଏବେ ଏପରି ହୋଇଛି ଭାରତର ବିଦେଶ ନୀତିକୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ପ୍ରଶଂସା କରୁଛନ୍ତି ।
ସେହିପରି ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଭାରତ ଉପରେ ଚାପ ପକାଇବାର ସବୁ ପ୍ରୟାସ କରିସାରିଥିବା ସତ୍ତ୍ୱେ ଭାରତ ନିଜ ପୁରୁଣା ବନ୍ଧୁ ରୁଷ୍ ପ୍ରତି ନିଜ ଆଭିମୁଖ୍ୟ ସ୍ପଷ୍ଟ ରଖିଛି ଏବଂ ରୁଷ୍ ବିରୋଧୀ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିବାରେ ସଫଳ ହୋଇଛି । ଏହାକୁ ନେଇ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ । ଲାଭରୋଭ୍ଙ୍କ କହିବାନୁସାରେ ଯେତେବେଳେ ଆମେରିକା ଭଳି ଦେଶକୁ ଡ଼ରି ଅନ୍ୟ ଦେଶଗୁଡ଼ିକ ରୁଷ୍କୁ ସମର୍ଥନ ଦେବାକୁ ସାହସ କରିପାରିଲେନି, ସେଠାରେ ଭାରତ ଏକାକି ନିଜ ବନ୍ଧୁ ରାଷ୍ଟ୍ର ପ୍ରତି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାର ସତ୍ସାହସ ଦେଖାଇଛି । ଭାରତୀୟ ବୈଦେଶିକ ନୀତିରେ ରୁଷ୍ ଅତ୍ୟନ୍ତ ସନ୍ତୁଷ୍ଟ । ଏଥିପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଙ୍କରଙ୍କୁ ଲାଭରୋଭ୍ ଜଣେ ପ୍ରକୃତ ଦେଶପ୍ରେମୀ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ଅଭିହିତ କରିଛନ୍ତି । ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ପ୍ରତିବନ୍ଧକ ଭୟଜନିତ ଚାପ ସତ୍ତ୍ୱେ ଭାରତ ନିଜ ବିଦେଶ ନୀତିକୁ ଉଚ୍ଚସ୍ତରରେ ରଖିଛି ବୋଲି ଲାଭରୋଭ୍ କହିଛନ୍ତି । ଜାତୀୟ ମାଗାଜିନ୍ ଇଣ୍ଡିଆ ଟୁ-ଡେ’କୁ ସାକ୍ଷାତ୍କାର ଦେବା ଅବସରରେ ଲାଭରୋଭ୍ ଏପରି ମନ୍ତବ୍ୟ ଦେଇଛନ୍ତି ।
ସୂଚନାଯୋଗ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ୍ ବିରୋଧୀ ଅନେକ ଅନ୍ତର୍ଜାତୀୟସ୍ତରର ବୈଠକରେ ଭାରତ, କଦାପି ରୁଷ୍ ବିରୋଧୀ ପ୍ରସ୍ତାବ କିମ୍ବା ଆଭିମୁଖ୍ୟକୁ ସମର୍ଥନ କରିନାହିଁ । ବରଂ ଜୟଶଙ୍କର ଏକାଧିକ ମଞ୍ଚରେ ସ୍ପ୍ଷ୍ଟ କରିଆସୁଛନ୍ତି ଯେ, ଭାରତ ନିଜେ ନିଜର ବୈଦେଶିକ ନୀତି ସ୍ଥିର କରିବ ଓ ଭାରତ ନିଜର ସୁରକ୍ଷା ଓ ବିକାଶ ପାଇଁ ଆବଶ୍ୟକ ବୈଦେଶିକ ନୀତି ଗ୍ରହଣ କରିବ । ବୈଦେଶିକ ନୀତି ନିର୍ଦ୍ଧାରଣ କରିବା ପାଇଁ ଅନ୍ୟ କୌଣସି ରାଷ୍ଟ୍ରଙ୍କ ପରାମର୍ଶର ଆବଶ୍ୟକତା ଭାରତକୁ ନାହିଁ । ଭାରତର ଏପ୍ରକାର ପ୍ରତିକ୍ରିୟାକୁ ନେଇ ଅନେକ ଦେଶ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଥିବା ବେଳେ ଅଧିକାଂଶ ଦେଶ ଏପରି କଥା ସ୍ପଷ୍ଟ ଭାବରେ କହିପାରିନାହାନ୍ତି ଏବଂ ବିଭିନ୍ନ ଚାପ, ଧମକର ବଶବର୍ତ୍ତୀ ହୋଇ ରୁଷ୍ ବିରୋଧୀ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।