୧୩ ୟୁନିଟ୍ ପାଇଁ ବିଲ୍ ଆସିଛି ୬୧ ହଜାର
ସମସ୍ୟାରେ ଘାଣ୍ଟି ହେଉଛି ବଟେଶ୍ୱର ପ୍ରାଥମିକ ବିଦ୍ୟାଳୟ
କଟକ/ଜଗତପୁର (ବୁ୍ୟରୋ): ଶିକ୍ଷାକୁ ସାର୍ବଜନୀନ କରାଇବା ନିମନ୍ତେ ସରକାର ସମଗ୍ର ଶିକ୍ଷାନୀତି ପ୍ରଚଳନ କରିଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି । ଏପରି ସ୍ଥଳେ ଟାଙ୍ଗୀ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନ ଜଗତପୁରର ବଟେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟ ନାନା ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳିଛି । ୧୯୯୬ରେ ଏହି ବିଦ୍ୟାଳୟଟି ସ୍ଥାପିତ ହୋଇଥିବା ବେଳେ ୨୦୦୪ରେ ସରକାରୀ ମାନ୍ୟତା ପାଇଥିଲା । ଏବେ ସ୍କୁଲ୍ରେ ୫ ଶ୍ରେଣୀରେ ୭୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ ଏମାନଙ୍କ ପାଇଁ ଅଛନ୍ତି ମାତ୍ର ୩ ଶିକ୍ଷକ । ଅସହ୍ୟ ତାତି ପୂର୍ବରୁ ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥାକୁ ସ୍ୱଚ୍ଛଳ କରାଯିବା କଥା । କିନ୍ତୁ ବିଦ୍ୟାଳୟରେ ଥିବା ଏକମାତ୍ର ନଳକୂପଟି ଏବେ ଅଚଳ ହୋଇପଡିଛି ।
କୋଭିଡ୍ ସମୟରେ ସ୍କୁଲ୍ ବନ୍ଦ ରହିଥିବା ହେତୁ ନଳକୂପଟି ପାଖାପାଖି ବର୍ଷାଧିକ କାଳ କାର୍ଯ୍ୟକ୍ଷମ ହେଉନଥିଲା । ଫଳସ୍ୱରୁପ ସେଥିରୁ ଏବେ ଲୁହାଗୁଣ୍ଡଯୁକ୍ତ ଜଳ ବାହାରୁଛି । ଯାହା ଏବେ ଛାତ୍ରଛାତ୍ରୀମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଅନୁପଯୋଗୀ ହୋଇପଡିଛି । ସେହିପରି ସ୍କୁଲ୍ ବନ୍ଦ ହେବା ପରେ ପାଚେରି ଗୁଡିକର ଉଚ୍ଚତା କମ ଥିବାରୁ ଅନେକ ପିଲା ଖେଳକୁଦ ଉଦେ୍ଦଶ୍ୟରେ ଅବାଧ ପ୍ରବେଶ କରୁଛନ୍ତି । ଏଥିସହ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ କେତେକ ପାଣି ଟ୍ୟାପ ଗୁଡିକୁ ସେମାନେ ଭାଙ୍ଗି ଦେଉଥିବା ଅଭିଯୋଗ କରିଛନ୍ତି ସିଆରସିସି ତଥା ପ୍ରଧାନଶିକ୍ଷକ ରଣଜିତ କୁମାର ଗୁରୁ ।
ବିଦୁ୍ୟତ ବିଭାଗ(ଟିପିସିଓଡିଏଲ)ପକ୍ଷରୁ ବିଦ୍ୟାଳୟର ଚଳିତ ମାସ ବିଦୁ୍ୟତ୍ ବିଲ୍ ବାବଦକୁ ୬୧ ହଜାର ୮୦୫ଟଙ୍କାର ବିଲ ପ୍ରଦାନ କରାଯାଇଛି । ମାତ୍ର ୧୩ ୟୁନିଟ ବିଦୁ୍ର୍ୟତ ଖର୍ଚ୍ଚ ହୋଇଥିବା ବେଳେ ମାତ୍ରାଧିକ ବିଲ ଆସିବା ଦେଖି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚକିତ ହେବାକୁ ପଡିଛି । ଅତୀତରେ ଜଗତପୁର ଅଞ୍ଚଳର ବହୁ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ମନଇଚ୍ଛା ବିଦୁ୍ୟତ୍ ବିଲ୍ ଦିଆଯାଇଥିବା ପ୍ରମାଣ ରହିଛି । ଏବେ ବିଦୁ୍ୟତ ବିଭାଗ କବଳରୁ ଶିକ୍ଷାନୁଷ୍ଠାନ ବି ବାଦ ପଡିଲାନାହିଁ । ଏଥିପାଇଁ ଜଗତପୁର ବିଦୁ୍ୟତ ବିଭାଗ କାର୍ଯ୍ୟାଳୟକୁ ଶିକ୍ଷକମାନେ ଦୌଡି ଦୌଡି ନିରାଶ ହେବା ପରେ ଯୋବ୍ରା ବିଦୁ୍ୟତ୍ ବିଭାଗ ଡିଭିଜନ୍ ହିଁ ଏହାର ସମାଧାନ କରିପାରିବ ବୋଲି ଶିକ୍ଷକ ଜଣକ ଆଶା ରଖିଛନ୍ତି । ତୁରନ୍ତ ଏସବୁ ସମସ୍ୟାର ସମାଧାନ ଦାବି କରାଯାଇଛି ।