ଭାରତୀୟ ସେନା ଉପରେ ସାଇବର ଆଟାକ୍
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ସେନାର ଡାଟା ସର୍ଭରକୁ ହ୍ୟାକ୍ କରାଯାଇଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରାଯାଇଥିବା ଭଳି ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି । ଦେଶର ମିଲିଟାରୀ ଗୁଇନ୍ଦା ବିଭାଗ ଏନେଇ ସୂଚନା ଦେଇଛି । ରିପୋର୍ଟରେ ସେନାର ସାଇବର ସୁରକ୍ଷା ବଳୟକୁ ସାଇବର ଆଟାର୍କ୍ସମାନେ ଭେଦ କରିଥିବା ଏବଂ ଗୁପ୍ତ ସାମରିକ ତଥ୍ୟ ଚୋରି କରିନେବା ସହ ଶତ୍ରୁ ରାଷ୍ଟ୍ରଙ୍କୁ ହସ୍ତାନ୍ତର କରାଯାଇଥିବା ଭଳି ତଥ୍ୟକୁ ଉଜାଗର କରାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଅନ୍ୟ ତଥ୍ୟ ମଧ୍ୟରେ ସବୁଠୁ ସାଂଘାତିକ ସୂଚନା ହେଉଛି, ଏସବୁ କରିବାରେ ସାଇବର ହ୍ୟାକର୍ସମାନଙ୍କୁ ଭାରତୀୟ ସେନାର ହିଁ କିଛି ବରିଷ୍ଠ ଅଧିକାରୀମାନେ ସହଯୋଗ କରିଥିବା ଗୁଇନ୍ଦା ଅଧିକାରୀମାନେ ଆଶଙ୍କା କରୁଛନ୍ତି । ଏତଦ୍ବ୍ୟତୀତ ଏସବୁ ପଛରେ କିଛି ନିର୍ଦ୍ଦିଷ୍ଟ ଶତ୍ରୁ ରାଷ୍ଟ୍ରଙ୍କ ହାତ ଥିବା ମଧ୍ୟ ଜଣାପଡିଛି ।
ଭାରତୀୟ ସେନା ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁୁସାରେ ଉଭୟ ସେନା ଏବଂ ଗୁଇନ୍ଦା ବିଭାଗ ଏଭଳି ଏକ ସାଇବର ଆଟାକ୍ ସମ୍ପର୍କରେ ଜାଣିବାକୁ ପାଇଛି । ଏପରିକି ଭାରତୀୟ ସାମରିକ ତଥ୍ୟଗୁଡ଼ିକୁ ‘ହ୍ୱାଟ୍ସଆପ୍ ଗ୍ରୁପ୍’ ଜରିଆରେ ଶତ୍ରୁରାଷ୍ଟ୍ରଙ୍କ ପର୍ଯ୍ୟନ୍ତ ପଠାଯାଇଥିବା ନେଇ ମଧ୍ୟ ଗୁଇନ୍ଦା ବିଭାଗକୁ ପ୍ରମାଣ ମିଳିଛି । ତେବେ ଗୁଇନ୍ଦା ଏଜେନ୍ସିଙ୍କ ପକ୍ଷରୁ ଏପରି ସାଂଘାତିକ ଷଡ଼ଯନ୍ତ୍ର ସଂପର୍କରେ ରିପୋର୍ଟ ମିଳିବା ପରେ ସତର୍କ ହୋଇଉଠିଛି ଭାରତୀୟ ସେନାବାହିନୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ଏକ ଘଟଣାର ତଦନ୍ତ ପାଇଁ ସେନା ପକ୍ଷରୁ ତଦନ୍ତ ନିଦେ୍ର୍ଦଶ ଦିଆଯାଇଛି । ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଅନ୍ତର୍ଗତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଏତଦ୍ବ୍ୟତୀତ ସାଇବର ସୁରକ୍ଷା କ୍ଷେତ୍ରରେ ହୋଇଥିବା ତ୍ରୁଟିକୁ ମଧ୍ୟ ତୁରନ୍ତ ଠିକ୍ କରିବାକୁ ପଦକ୍ଷେପ ନିଆଯାଇଛି । ତେବେ ଏହି ଘଟଣାରେ କେଉଁ ସାମରିକ ଅଧିକାରୀମାନଙ୍କୁ ସନେ୍ଦହ ପରିସରରେ ନିଆଯାଇଛି ସେସଂପର୍କରେ ଅଧିକ ତଥ୍ୟ ଦେବାକୁ ସେନା ମନା କରିଦେଇଛି । ସାମରିକ ତଥ୍ୟ ଲିକ୍ ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ନାମ ପ୍ରକାଶ କଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ସେନା ବର୍ତ୍ତମାନ ସମୟରେ ଏସମ୍ପର୍କରେ ଅଧିକ କୌଣସି ସୂଚନା ଦେବାକୁ ମନା କରିଛି । ତେବେ ଏକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିବା ପରେ ଏହାକୁ ନେଇ ଏବେ ଦେଶବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି ।