ନୂଆ ପୋଲ ନିର୍ମାଣ କେବେ?

୫ ବର୍ଷ ବିତିଲା
ଫିରିଙ୍ଗିଆ (ଆପ୍ର): ଦୀର୍ଘ ୫ ବର୍ଷ ତଳେ ଏକ ପୋଲ ପ୍ରବଳ ବର୍ଷାରେ ଭାସିଯାଇଥିଲା । ବାରମ୍ବାର ଦାବି ପରେ ପ୍ରଶାସନ ପକ୍ଷରୁ ଉକ୍ତ ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଅନୁଦାନ ମଧ୍ୟ ପ୍ରଦାନ କରଯାଇଥିଲା । କିନ୍ତୁ ଗଦା ଗଦା ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନାଳ ଉପରେ ପୋଲ ନିର୍ମାଣ ହୋଇ ପାରୁନାହିଁ । ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ନାଳ ଠାରୁ ପ୍ରାୟ ୫୦ ମିଟର ଦୂରରେ ଏକ ପଡ଼ିଆରେ ନିର୍ମାଣ ହୋଇଛି ପୋଲ । ତାହାର ନାଳ ସହିତ ଯୋଗାଯୋଗ ରହୁନାହିଁ । ପୋଲ ଭସିଯାଇଛି ନାଳରେ କିନ୍ତୁ ନୂତନ ପୋଲ ନିର୍ମାଣ ହୋଇଛି ନାଳଠାରୁ ଦୂରରେ ଥିବା ଏକ ଉଠାଣିଆ ଜମିରେ । ଦୀର୍ଘ ୫ ବର୍ଷ ହେଲା କଲଭର୍ଟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି । ଅନ୍ୟ ପକ୍ଷରେ ପୋଲ ନିର୍ମାଣ ହୋଇ ପାରି ନ ଥିବାରୁ ଏହା ଉପରେ ନିର୍ଭର କରୁଥିବା ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି । ତେବେ ଯେଉଁ ସ୍ଥାନରେ ପୋଲ ନିର୍ମାଣ ହେବା କଥା ସେହି ସ୍ଥାନରେ ନିର୍ମାଣ ହୋଇ ନ ଥିବା ଯୋଗୁଁ ଏହାକୁ ନେଇ ୫ ବର୍ଷ ହେଲା ବିବାଦ ଲାଗିରହିଛି ।
ପ୍ରକାଶ ଯେ, ଫିରିଙ୍ଗିଆ ବ୍ଲକ ଟୋଲାପାଲି ପଞ୍ଚାୟତର ଟେଲାପାଲି ଓ ସିକୁଲାପଦର ଗ୍ରାମ ମଧ୍ୟରେ ଏକ ନାଳ ପ୍ରବାହିତ ହେଉଛି । ଏହି ନାଳ ଉପରେ ପୂର୍ବରୁ ନିର୍ମାଣ କରାଯାଇଥିବା ଏକ ପୋଲ ୫ ବର୍ଷ ତଳେ ଭାଙ୍ଗି ଯାଇଥିଲା । ଫଳରେ ସିକୁଳାପଦର ଗ୍ରାମବାସୀ ହଇରାଣ ହେଉଛନ୍ତି । ପ୍ରତ୍ୟେକ କାମରେ ପଞ୍ଚାୟତ ମହକୁମା ଏବଂ ବ୍ଲକ ମହକୁମାକୁ ଆସିବାକୁ ହେଲେ ଏହି ନାଳ ପାରି ହେବାକୁ ପଡୁଥିଲା । ଏଥିସହ ସିକୁଲାପବଦର ଗ୍ରାମର ସ୍କୁଲ ପିଲା ଚେଲାପଲି ସ୍କୁଲକୁ ପ୍ରତିଦିନ ଏହି ନାଳ ଦେଇ ଯାତାୟତ କରୁଛନ୍ତି । ସମସ୍ୟାକୁ ଦେଖି ୨୦୧୬-୧୭ରେ ଜିଜିୱାଇ ସ୍କିମରେ ୪ ଲକ୍ଷ ଟଙ୍କାରେ ସେଠାରେ ଏକ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ଫିରିଙ୍ଗିଆର ଜଣେ ଠିକାଦର ପୋଲ ନିର୍ମାଣ କାମ ନେଇ ୨୦୧୬ ଡିସେମ୍ବର ୧୫ରେ ଆରମ୍ଭ କରିଥିଲେ । ହେଲେ ଠିକାଦର ଜଣକ ନାଳ ଉପରେ ପୋଲ ନିର୍ମାଣ କରିବା ବଦଳରେ ନାଳ ଠାରୁ ପ୍ରାୟ ୫୦ ମିଟର ଦୂର ଜମି ଉପରେ ନିର୍ମାଣ ଆରମ୍ଭ କରିଥିଲେ । ପୋଲର ଦୁଇ ସାଇଡ୍ ୱାଲ ନିର୍ମାଣ ସରିବା ବେଳକୁ ଏହି ଭୁଲ ପରିଲକ୍ଷିତ ହୋଇଥିଲା । ଦୁଇ ଗ୍ରାମବାସୀ ପୋଲ ଭୁଲ ସ୍ଥାନରେ ନିର୍ମାଣକୁ ବିରୋଧ କରିଥିଲେ । ପରେ ବ୍ଲକ ଯନ୍ତ୍ରୀ ତଦନ୍ତ କରି ଭୁଲ୍ ସ୍ଥାନରେ ପୋଲ ନିର୍ମାଣ ହୋଇଥିବା ରିପୋର୍ଟ ଦେବା ପରେ ଠିକାଦାରଙ୍କ ବିଲ୍ ବନ୍ଦ କରାଯାଇଥିଲା । ଠିକାଦାର ସଠିକ୍ ସ୍ଥାନରେ ପୋଲ ନିର୍ମାଣ ନ କରି କାମ ବନ୍ଦ କରିଦେଇଥିଲେ । ସେହି ଦିନ ଠାରୁ ଉକ୍ତ ପୋଲ ଅର୍ଦ୍ଧନିର୍ମିତ ହୋଇପଡିରହିଛି । ସିକୁଲାପଦରବାସୀ ପୂର୍ବଭଳି ନାଳରେ ପଶି ଟେଲାପାଲିକୁ ଯାତାୟତ କରୁଛନ୍ତି । ବର୍ଷା ଦିନେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ ପଞ୍ଚାୟତ ଓ ବ୍ଲକ ମହକୁମା ଠାରୁ ବିଛିନ୍ନ ହୋଇ ପଡୁଛି ।
ଏ ସମ୍ପର୍କରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ସହିତ ଯୋଗାଯୋଗ ପରେ ଉକ୍ତ ପୋଲ ନିର୍ମାଣ ପାଇଁ ୭୦ଲକ୍ଷ ଟଙ୍କାର ଆବଶ୍ୟକତା ଯୋଗୁଁ ଏନେଇ ପ୍ରଶାସନକୁ ଲିଖିତ ଭାବେ ଅବଗତ କରଯାଇଥିଲା । ତେବେ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏନେଇ ଟେଣ୍ଡର ପ୍ରକିୟା ମଧ୍ୟ ଶେଷ ହୋଇଛି । ନିକଟରେ କାମ ଆରମ୍ଭ ହେବ ଓ ଆବଶ୍ୟକ ପଡ଼ୁଥିବା ବଳକା ଅନୁଦାନ ପାଇଁ ମଧ୍ୟ ଉଦ୍ୟମ କରାଯାଇ ଉକ୍ତ ପୋଲକାମ ଶେଷ କରାଯିବ ବୋଲି ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *