କୋହଲି ଏବେ ବି ଶ୍ରେଷ୍ଠ

ବିଶ୍ୱର ୫ ଶ୍ରେଷ୍ଠ ବ୍ୟାଟର୍
ନୂଆଦିଲ୍ଲୀ,୧୯ା୪(ଏଜେନ୍ସି): ଦୀର୍ଘ ୩୦ ମାସ ଧରି ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନାହିଁ । ବଡ଼ ସ୍କୋର କରିବା ପାଇଁ ସେ ତାଙ୍କର ସଂଘର୍ଷ ଜାରି ରଖିଛନ୍ତି । ଗତ ୨୦୧୯ ନଭେମ୍ବରରେ କୋହଲି ନିଜର ୭୦ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ସେତେବେଳେ ଏକମାତ୍ର ବ୍ୟାଟର ଭାବେ ସମସ୍ତ ଫର୍ମାଟରେ ୫୦ରୁ ଉଦ୍ଧ୍ୱର୍ ହାରରେ ବ୍ୟାଟିଂ କରିଥିଲେ । ଏବେ ତାଙ୍କର ଟେଷ୍ଟ ହାର ହ୍ରାସ ପାଇ ୪୯.୯୫ ହୋଇଛି । ସାମାନ୍ୟ ଅଧୋପତନ ହୋଇଥିଲେ ବି କୋହଲି ବାସ୍ତବରେ ତାଙ୍କର ଫର୍ମ ହରାଇ ନାହାନ୍ତି ବୋଲି କ୍ରିକେଟ ବିଶାରଦ ଏବଂ କ୍ରିକେଟ ପରିସଂଖ୍ୟନ ଦର୍ଶାଉଛି । ଶେଷ ଶତକ ପରଠାରୁ ସମସ୍ତ ଫର୍ମାଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବିଶ୍ୱର ୫ଜଣ ବ୍ୟାଟରଙ୍କ ମଧ୍ୟରେ କୋହଲି ଜଣେ ଶ୍ରେଷ୍ଠ ଭାରତୀୟ ରହିଛନ୍ତି ।
ପାକିସ୍ତାନ କ୍ରିକେଟ ଟିମ୍ର କ୍ୟାପଟେନ ବାବର ଆଜମ ଶୀର୍ଷରେ ଥିବାବେଳେ ବିରାଟ କୋହଲି ଏବଂ ରୋହିତ ଶର୍ମା ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ୨୦୧୯ର ସେହି ଶତକୀୟ ଇନିଂସ ପରଠାରୁ କୋହଲ ସମସ୍ତ ଫର୍ମାଟ ଅନ୍ତର୍ଜାତୀୟ କ୍ରିକେଟରେ ୭୩ଟି ପାଳି ଖେଳିଛନ୍ତି । କିନ୍ତୁ କୌଣସି ଶତକ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିନାହିଁ । ଏହି ସମୟରେ ତାଙ୍କର ହାର ୩୭.୫୪ ଯାହା ସବୁଠାରୁ ଖରାପ ବୋଲି କୁହାଯାଇପାରେ । ୪୩୮ ପାଳିରୁ ସେ ୭୦ଟି ଶତକ ହାସଲ କରିଥିବା କୋହଲି ପ୍ରାୟ ପ୍ରତି ୬.୩ ମ୍ୟାଚ ବ୍ୟବଧାନରେ ତିନି ଅଙ୍କ ଛୁଇଁଥିଲେ । ଏବେ ଏହା ୭.୩ ମ୍ୟାଚକୁ ହ୍ରାସ ପାଇଛି । ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକତ୍ୱ ଛାଡିବା ପରେ କୋହଲି ୧୦ମ୍ୟାଚ ତଥା ୧୧ପାଳିରୁ ୨୬.୫୪ ହାରରେ ମାତ୍ର ୨୯୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ସର୍ବାଧିକ ସ୍କୋର ରହିଛି ୬୫ । ୨୦୧୯ ନଭେମ୍ବର ପରଠାରୁ ଏକ ପରିସଂଖ୍ୟନରୁ ଜଣାଯାଏ ଯେ, ଅନ୍ତର୍ଜାତୀୟ ରନ ସଂଗ୍ରହକାରୀ ବ୍ୟାଟର ଭାବେ ପାକିସ୍ତାନର ବାବର ଆଜମ ୭୪ଟି ପାଳିରେ ୫୫.୯୬ ହାରରେ ୩୬୯୪ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୧୦ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ରହିଛି । ସେହିପରି ଇଂଲଣ୍ଡର ଜୋ ରୁଟ୍ ୬୨ଟି ପାଳିରେ ୯ଟି ଶତକ ୧୦ଟି ଅର୍ଦ୍ଧଶତକ ସହାୟତାରେ ୩୦୮୬ ରନ୍ କରି ବିଶ୍ୱର ଦ୍ୱିତୀୟ ବ୍ୟାଟର ହୋଇପାରିଛନ୍ତି । ସେହିପରି ପାକିସ୍ତାନର ମହମ୍ମଦ ରିଜୱାନ ୭୨ଟି ପାଳିରେ ୩ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ସହାୟତାରେ ୨୬୪୧ ରନ୍ କରିଛନ୍ତି । ସେହିପରି ଭାରତୀୟ ବ୍ୟାଟର ବିରାଟ କୋହଲି ୭୩ଟି ପାଳିରେ ୨୪ଟି ଅର୍ଦ୍ଧଶତକ ସହାୟତାରେ ୨୪୭୮ ରନ୍ କରି ତାଲିକାର ଚତୁର୍ଥରେ ରହିଥିବା ବେଳେ ରୋହିତ ଶର୍ମା ୬୦ଟି ପାଳିରୁ ୪ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହାୟତାରେ ୨୩୬୭ ରନ୍ କରି ପଞ୍ଚମ ସ୍ଥାନରେ ରହିଛନ୍ତି । ତେଣୁ ଏପରି ସ୍ଥଳେ ବିରାଟ କୋହଲି ନିଜ ଉପରେ ବିଶ୍ୱାସ ରଖିଛନ୍ତି ଯେ, ଆଗାମୀ ଦିନରେ ନିଶ୍ଚିତ ଭାବେ ଶତକ ହାସଲ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *