ଭାରତର ବଦାନ୍ୟତାକୁ ଆଇଏମ୍ଏଫ୍ର ପ୍ରଶଂସା
ୱାଶିଂଟନ୍/ ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି ଆମେରିକା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, ୱାଶିଂଟନ୍ ଡିସି ସ୍ଥିତ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିଦେ୍ର୍ଦଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ସାକ୍ଷାତ କରିଛନ୍ତି । ୱାଶିଂଟନ୍ ଡିସିଠାରେ ଆଇଏମ୍ଏଫ୍ ଏବଂ ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆୟୋଜିତ ମିଳିତ ସମ୍ମିଳନୀରେ ଯୋଗଦେବା ଅବସରରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହୋଇଛି । ଏହି ପରିପ୍ରେକ୍ଷୀରେ ଆଇଏମ୍ଏଫ୍ର ପରିଚାଳନା ନିଦେ୍ର୍ଦଶିକା କ୍ରିଷ୍ଟାଲିନା ଜର୍ଜିଭା, ଭାରତୀୟ ବୈଦେଶିକ ତଥା କୂଟନୀତିକୁ ବେଶ୍ ପ୍ରଶଂସା କରିଛନ୍ତି ।
ସମଗ୍ର ବିଶ୍ୱ ସମ୍ପ୍ରତି ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତ, ଏସବୁକୁ ଭୁଲି ମାନବିକତା ଆଧାରରେ ଆର୍ଥିକସ୍ତରରେ ଦେବାଳିଆ ହୋଇପଡିଥିବା ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାକୁ ଯେପରି ଆର୍ଥିକ, ସାମଗ୍ରିକ ସହାୟତା ଯୋଗାଇ ଚାଲିଛି ଜର୍ଜିଭା, ଏହାକୁ ବେଶ୍ ତାରିଫ୍ କରିଛନ୍ତି । ଏତଦ୍ବ୍ୟତୀତ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରୁ ବାହାରିବା ପାଇଁ ଭାରତ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହ ଗ୍ରହଣ କରିଥିବା ଅତ୍ୟନ୍ତ ପ୍ରଭାବଶାଳୀ ନୀତିକୁ ମଧ୍ୟ ଜର୍ଜିଭା ସ୍ୱାଗତ କରିଛନ୍ତି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ପାଇଁ ସେ ଭାରତର ପ୍ରଶଂସା କରିଥିଲେ । ସେହିପରି କୋଭିଡ୍ ସଂକ୍ରମଣ କାଳରେ ଭାରତର ଟିକାକରଣ କାର୍ଯ୍ୟକ୍ରମ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଦର୍ଶାଇ ନିଜ ପଡୋଶୀ ଦେଶ ତଥା ସମ୍ବେଦନଶୀଳ ରାଷ୍ଟ୍ର (ଆର୍ଥିକସ୍ତରରେ ଦୁର୍ବଳ ଦେଶ)ଗୁଡ଼ିକୁ ସହାୟତା ଯୋଗାଇଥିବାରୁ ମଧ୍ୟ ସେ ଭାରତର ପ୍ରଶଂସା କରିଥିଲେ ।
ସୀତାରମଣ ଏବଂ ଜର୍ଜିଭାଙ୍କ ସାକ୍ଷାତକାର ଅବସରରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଅନନ୍ତ ଭି.ନାଗେଶ୍ୱରନ୍ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆର୍ଥିକ ବ୍ୟାପାର ପରିଚାଳନା ନିଦେ୍ର୍ଦଶିକା ଗୀତା ଗୋପୀନାଥ (ମୂଳ ଭାରତୀୟ) ମଧ୍ୟ ଉପସ୍ଥିତ ଥିଲେ । ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ସହ ସମ୍ପର୍କୀତ ବିଶ୍ୱସ୍ତରୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆଞ୍ଚଳିକ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ଜଣାପଡିଛି । ଜର୍ଜିଭାଙ୍କ ସହ ସାକ୍ଷାତକାର ଅବସରରେ ଶ୍ରୀଲଙ୍କାକୁ ତୁରନ୍ତ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ସହାୟତା କରିବା ଆବଶ୍ୟକ ବୋଲି ସୀତାରମଣ ଗୁରୁତ୍ୱାରୋପ କରିଥିଲେ । ଜର୍ଜିଭା ମଧ୍ୟ ଶ୍ରୀଲଙ୍କା ସ୍ଥିତାବସ୍ଥା ଉପରେ ବିଚାର କରାଯାଉଛି, ଖୁବଶୀଘ୍ର ଶ୍ରୀଲଙ୍କା ପାଇଁ ସକାରାତ୍ମକ ସୂଚନା ସାମ୍ନାକୁ ଆସିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ଆଲୋଚନା ସମୟରେ ବିଶ୍ୱର ସାମ୍ପ୍ରତିକ ଭୌଗୋଳିକ-ରାଜନୀତିକ ସ୍ଥିତି ପ୍ରସଙ୍ଗ ଉଠାଇବା ସହ ବିଶ୍ୱ ଅର୍ଥନୀତି ଏବଂ ଶକ୍ତି କ୍ଷେତ୍ର ଉପରେ ଏହାର କୁପ୍ରଭାବ ନେଇ ଗଭୀର ଚିନ୍ତାବ୍ୟକ୍ତ କରିଥିଲେ ।