ନକଲି ସର୍ଫ କାରଖାନା ଠାବ
କଟକ/ମାହାଙ୍ଗା (ବୁ୍ୟରୋ): ଗତକିଛିଦିନର ବ୍ୟବଧାନ ପରେ ପୁଣି କଟକରୁ ନକଲି ସାମଗ୍ରୀ ଠାବ ହୋଇଛି । ମାଲଗୋଦାମ ଥାନା ପୁଲିସ ନକଲି ସର୍ଫ ଏକ୍ସେଲ କାରଖାନା ଉପରେ ଚଢ଼ଉ କରିଛି । ଚଢ଼ଉ ବେଳେ ୧୫୪୦ କେଜି ନାମୀ କମ୍ପାନୀର ଜରି ପ୍ୟାକେଟ୍ ଓ ୧୮୦୦ କେଜି ଖୋଲା ଡ଼ିଟରଜେଣ୍ଟ ପାଉଡର୍, ପ୍ୟାକେଜିଂ ମେସିନ, ୨ ଷ୍ଟିକର ମେସିନ,୨ଅଟୋ ରିକ୍ସା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହି ବେଆଇନ୍ କାରବାର ଅଭିଯୋଗରେ ମୁଖ୍ୟ କାରପଟଦାର ଜଗତପୁର ଅଞ୍ଚଳର ଅଭିଜିତ ବେହେରା ଓରଫ ବାପି (୪୭)କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଉ ୨ ଜଣ ଫେରାର ହୋଇଯାଇଛନ୍ତି ।
ଦୁଇ ଦିନ ତଳେ ନାଇଟି ପାଟ୍ରୋଲିଂ ସମୟରେ ମାଲଗୋଦାମ ପୁଲିସ ଏକ ମାଲବୁହା ଅଟୋ ଯାଞ୍ଚ କରିବା ସମୟରେ ସେଥିରେ ବିପୁଳ ପରିମାଣର ସର୍ଫ ଏକ୍ସେଲ ଜରି ପ୍ୟାକେଟ୍ ମିଳିଥିଲା । ପୁଲିସ ଉକ୍ତ ଅଟୋ ସହିତ ଚାଳକକୁ ଥାନାକୁ ଆଣି ପଚରାଉଚରା କରିଥିଲା । ତା’ ସୂଚନା ଆଧାରରେ ପୁଲିସ ଅଭିଜିତକୁ ଧରି ଜେରା କରିବା ପରେ ନକଲି ସର୍ଫ ଏକ୍ସେଲ କାରବାରର ରହସ୍ୟ ଖୋଲିଥିଲା । ଅଭିଜିତର ଟଙ୍ଗୀ ଥାନା ବ୍ରାହ୍ମଣୀପଡ଼ା ଅଞ୍ଚଳରେ କାରଖାନା ଚାଲିଥିଲା ଏବଂ ମାହାଙ୍ଗା ଥାନା ଉମର ଓ ସଦର ଥାନା ଖଣ୍ଡେଇତା ଅଞ୍ଚଳରେ ଥିଲା ପ୍ୟାକେଜିଂ ୟୁନିଟ୍ ।
ମଙ୍ଗଳବାର ପୂର୍ବାହ୍ଣରେ ପୁଲିସ ଏକକାଳୀନ ତିନିଟି ସ୍ଥାନରେ ଚଢଉ କରି ନକଲି ଲୁଗାସଫା ପାଉଡର ଓ କଞ୍ଚାମାଲ ଜବତ କରିଥିଲା । ପ୍ୟାକେଜିଂ ୟୁନିଟ ଦୁଇଟିକୁ ବାଦଲ ସିଂହ ଓ ପ୍ର୍ରିୟବ୍ରତ ଜେନା ଚଳାଉଥିଲେ । ବ୍ୟବସାୟରେ ଅଭିଜିତ ଅର୍ଥ ବିନିଯୋଗ କରିଥିଲା । କାରଖାନାରୁ ମାଲ ଆସିବା ପରେ ତାହାକୁ ପ୍ୟାକେଜିଂ ୟୁନିଟ୍ରେ ସର୍ଫ ଏକ୍ସେଲ ପ୍ୟାକେଟରେ ଭର୍ତ୍ତି କରାଯାଇ ବଜାରକୁ ଛଡା ଯାଉଥିଲା । ତିନିଟି ସ୍ଥାନରୁ ୩ କ୍ୱିଣ୍ଟାଲ ନିମ୍ନମାନର ଲୁଗସଫା ପାଉଡର, ୨ ଓଜନ ମେସିନ, ୨ ପ୍ୟାକେଜିଂ ମେସିନ, ୨ ଷ୍ଟିଚିଂÿ ମେସିନ, ୨ ମାଲବୁହା ଗାଡି, ଗୋଟିଏ ଏୟାର କମ୍ପ୍ରେସର ଓ ବିପୁଳ କଞ୍ଚାମାଲ ଜବତ ହୋଇଛି । ଏସବୁର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଅନ୍ୟ ଦୁଇ ଜଣଙ୍କୁ ଧରିବା ଲାଗି ପୋଲିସ ଚଢଉ ଜାରି ରଖିଛି । ଚଢ଼ାଉରେ ଏସିପି ଶୁଭ ନାରାୟଣ ମୁଦୁଲି, ମାଲଗୋଦାମ ଥାନା ଅଧିକାରୀଙ୍କ ସମେତ ବହୁ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ । ୨ ବର୍ଷ ପୂର୍ବରୁ ନକଲି ପାଉଡର ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି ।