୨୫ଠଠଠ ବଦଳରେ ୫ଠଠଠ ଲାଇସେନ୍ସ ଫି’ ଧାର୍ଯ୍ୟ
ସୂର୍ଯ୍ୟ ମନ୍ଦିର ଫଟୋଗ୍ରାଫର୍ଙ୍କ ଅଦାଲତ ଅବମାନନା ମାମଲା
କୋଣାର୍କ (ଆପ୍ର): ପ୍ରତ୍ନତତ୍ତ୍ୱ ବିଭାଗ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ପରେ ସୂର୍ଯ୍ୟ ମନ୍ଦିର ଭିତରେ ଫଟୋ ଉଠାଉଥିବା ଫୋଟୋଗ୍ରାଫର୍ ଲାଇସେନ୍ସ ଫିସ୍ ବାବଦରେ ଜଣ ପିଛା ୨୫୦୦୦ ବଦଳରେ ୫୦୦୦ ରଖାଯାଇଛି ।
ଘଟଣାରୁ ପ୍ରକାଶ ଯେ, ପ୍ରତ୍ନତତ୍ତ୍ୱ ଆଇନ ୧୯୫୮ ଓ ଏହାର ଅଧିନିୟମକୁ ସଂଶୋଧନ କରାଯାଇ ସୂର୍ଯ୍ୟ ମନ୍ଦିର ଭିତରକୁ ଫଟୋଗ୍ରାଫର୍ଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା । ଫଟୋଗ୍ରାଫର୍ମାନେ ଜଣ ପିଛା ୨୫୦୦୦ ଟଙ୍କା ଲାଇସେନ୍ସ ଫି’ ଦାଖଲ କରିବାକୁ ନିୟମ ଅଣାଯାଇଥିଲା । ଏହି ଲାଇସେନ୍ସ ଫି’ ଖୁବ ବେଶୀ ହୋଇଥିବାର ପ୍ରତିବାଦ କରି ମା’ ଭଗବତୀ ଫଟୋଗ୍ରାଫର୍ ସଙ୍ଘର ଫଟୋଗ୍ରାଫର୍ମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡ଼ି ଦୌଡ଼ି କୌଣସି ସୁଫଳ ମିଳି ନ ଥିଲା । ଶେଷରେ ଏହି ଅସନ୍ତୁଷ୍ଟ ଫଟୋଗ୍ରାଫର୍ ସଙ୍ଘ ପକ୍ଷରୁ ଶୁଭେନ୍ଦ୍ର ମହାନ୍ତି ଓ ଅନ୍ୟମାନେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଖଣ୍ଡପୀଠ ଏହି ମୋକଦ୍ଦମାର ଶୁଣାଣି କରି ଫଟୋଗ୍ରାଫର୍ମାନେ ୨୫ଠଠଠ ବଦଳରେ ୫ଠଠଠ ଦେବା ପାଇଁ ଗତ ଜାନୁଆରୀ ୩ରେ ନିଦେ୍ର୍ଦଶ ଦେଇଥିଲେ । ଫଟୋଗ୍ରାଫର୍ମାନଙ୍କ ମନ୍ଦିର ପ୍ରବେଶ ନେଇ କୌଣସି ରୋକ୍ ଲଗାଯିବ ନାହିଁ ବୋଲି ଅନ୍ତରୀଣ ନିଦେ୍ର୍ଦଶ ଦେଇଥିଲେ ।
ପରେ ପ୍ରତ୍ନତତ୍ତ୍ୱ ବିଭାଗ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଅବଲମ୍ବନ କରି ଶେଷରେ ୫୦୦୦ ଗ୍ରହଣ କରିବାକୁ ମନା କରି ଦେଇଥିଲେ । ଫଳରେ ଫଟୋଗ୍ରାଫର୍ମାନେ ଅନ୍ୟ ଉପାୟ ନ ପାଇ ଉଚ୍ଚ ନ୍ୟାୟାଳୟରେ ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଅରୁଣ ମଳିକଙ୍କ ନାଁରେ ଅଦାଲତ ଅବମାନନା କେଶ ୨୦୪୯/୨୦୨୨ ରୁଜୁ କରିଥିଲେ । ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ଫଳରେ କର୍ତ୍ତୃପକ୍ଷ ବାଧ୍ୟହୋଇ ଶେଷରେ ଫଟୋଗ୍ରାଫର୍ଙ୍କ ଠାରୁ ୫୦୦୦ ଟଙ୍କା ଗ୍ରହଣ କରିଥିଲେ । ଅଭିଯୋଗକାରୀଙ୍କ ପକ୍ଷରୁ କୋଣାର୍କ ଓକିଲ ସଙ୍ଘ ସଭାପତି ଆଇନଜୀବୀ ଶ୍ରୀଜୟ ବରାଳ ଓ ଶିବଶଙ୍କର ମହାନ୍ତି ମୋକଦ୍ଦମା ପରିଚାଳନା କରୁଥିଲେ । ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶ ପରେ ଫଟୋଗ୍ରାଫର୍ମାନେ ଆଶ୍ୱସ୍ତି ସହିତ ଖୁସି ପ୍ରକଟ କରିଛନ୍ତି ।