ଡ୍ରାଇଭରଙ୍କ ଶକ୍ତି ପ୍ରଦର୍ଶନ

୫ ଘଣ୍ଟା କବ୍ଜାରେ ରାଜଧାନୀ
ଭୁବନେଶ୍ୱର,୧୮ା୪(ବୁ୍ୟରୋ): ସୁରକ୍ଷା, ବୀମା, ପ୍ରତି ୧ଠଠ କିମିରେ ବିଶ୍ରାମ ଘର, କାର୍ଯ୍ୟ ସମୟ ଆଠଘଣ୍ଟା ଭଳି ୧୧ ଦଫା ଦାବି ନେଇ ସାରା ରାଜ୍ୟର ଡ୍ରାଇଭରମାନେ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ରବିବାର ଠାରୁ ରାଜଧାନୀ ମୁହାଁ ହୋଇଥିବା ୩ଠ ଜିଲ୍ଲାର ପ୍ରାୟ ୨ ଲକ୍ଷ ଡ୍ରାଇଭର ସକାଳୁ ରାଜଧାନୀର ରାଜରାସ୍ତାକୁ କବ୍ଜା କରିନେଇଥିଲେ । ମାଷ୍ଟରକ୍ୟାଣ୍ଟିନ୍କୁ ସଂଯୋଗ କରୁଥିବା ସବୁ ମୁଖ୍ୟ ରାସ୍ତାଗୁଡ଼ିକରେ ଚଳପ୍ରଚଳ ଠପ୍ ହୋଇଯାଇଥିଲା । ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍, ଆଚାର୍ଯ୍ୟବିହାରରୁ ଏଜି ଛକ ଯେଉଁଆଡ଼ ଆଖି ବୁଲାଇଲେ କେବଳ ଡ୍ରାଇଭରଙ୍କୁ ଦେଖିବାକୁ ମିଳିଥିଲା । ଆନେ୍ଦାଳନକାରୀ ଡ୍ରାଇଭରମାନେ ଦୀର୍ଘ ୫ ଘଣ୍ଟା ଧରି ରାଜଧାନୀରେ ଧାରଣା ଓ ପ୍ରତିବାଦ କରିବା ପରେ ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ସମୟ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଥିଲା । ଅନ୍ୟପକ୍ଷରେ ସରକାରଙ୍କ ସହ ଆଲୋଚନା ପରେ ମହାସଂଘ ଭିତରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ୩ ମାସର ସମୟ ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାକୁ ନେଇ ଏବେ ସଂଘ ମଧ୍ୟରେ ଫାଟ ଦେଖାଦେଇଛି ।
ମଙ୍ଗଳବାର ଠାରୁ ଷ୍ଟିଅରିଂ ଛାଡ ଆନେ୍ଦାଳନ କରିବାକୁ ଆହ୍ୱାନ ଦେଇଛି ଗୋଟିଏ ଗୋଷ୍ଠୀ । ଗତବର୍ଷ ଅକ୍ଟୋବର ୨୯ରେ ଯେମିତି ଅଚାନକ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ କବ୍ଜାକୁ ନେଇଥିଲା ଡ୍ରାଇଭର ମହାସଂଘ, ସମାନ ଢଙ୍ଗରେ ପୁଣି ରାଜଧାନୀରେ ହଜାର ହଜାର ଡ୍ରାଇଭରଙ୍କ ଭିଡ଼ ସୃଷ୍ଟି ହୋଇଥିଲା ।
ସୂଚନାନୁସାରେ, ସୋମବାର ଭୋର୍ ୫ଟାରୁ ରାଜଧାନୀର ପ୍ରମୁଖ ରାସ୍ତା ଯଥା-ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ଦେଇ ରାମମନ୍ଦିର ଛକ, ବିଧାନସଭା ସମ୍ମୁଖ ଟ୍ରାଫିକ୍ ଛକରୁ ୪ ନମ୍ବର ଟ୍ରାଫିକ୍ ଛକ, ରାମମନ୍ଦିର ଛକରୁ ବିଗ୍ବଜାର ଫ୍ଲାଏଓଭର ଓ ରାମମନ୍ଦିରରୁ ରୂପାଲି ଛକ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକରେ ଭୟଙ୍କର ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା । ହାତରେ ଖଣ୍ଡେ ଲେଖାଏଁ ବାଡ଼ି ଧରି ଆନେ୍ଦାଳନକୁ ଓହ୍ଲାଇଥିବା ଏହି ଡ୍ରାଇଭରମାନେ ସ୍ମାର୍ଟ ସିଟିର ରାସ୍ତାକୁ ଏଭଳି କବ୍ଜା କରିନେଇଥିଲେ ଯେ ରେଳଷ୍ଟେସନ୍ ଓ ଏୟାରପୋର୍ଟକୁ ଆସୁଥିବା ଯାତ୍ରୀ ଏପରିକି ଆମ୍ବୁଲାନ୍ସ ଯିବାକୁ ମଧ୍ୟ ନାକେଦମ୍ ହେବାକୁ ପଡ଼ିଥିଲା । ଘଣ୍ଟା ଘଣ୍ଟା ଧରି ଗାଡ଼ି ଆଗକୁ ବଢ଼ିପାରିନଥିଲା । ପ୍ରାୟ ୨ଠରୁ ୩ଠ ହଜାର ଡ୍ରାଇଭର ଆନେ୍ଦାଳନ ପାଇଁ ଆସିବେ ବୋଲି ପୁଲିସ୍ ଆକଳନ କରିଥିବାବେଳେ ଏହାରୁ ଢେର୍ ଅଧିକ ଡ୍ରାଇଭର ଅସିଥିଲେ । ତେବେ ପୂର୍ବସୂଚନା ଥାଇ ବି ଡ୍ରାଇଭରଙ୍କ ଆନେ୍ଦାଳନ ଯୋଗୁ ରାଜଧାନୀରେ ଏଭଳି ଟ୍ରାଫିକ୍ ବ୍ୟବସ୍ଥା ଅଚଳ କେମିତି ହେଲା ବୋଲି ପ୍ରଶ୍ନ ଉଠିଛି ।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଡ୍ରାଇଭର ଆସି ପ୍ରଥମେ ଲୋୟର ପିଏମ୍ଜିରେ ଏକାଠି ହୋଇଥିଲେ । ପରେ ଲୋକସେବା ଭବନକୁ ଶୋଭାଯାତ୍ରା କରି ଯିବାବେଳେ ସୁରକ୍ଷାକର୍ମୀଙ୍କ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଛି । ଏସବୁ ଭିତରେ ଲୋକସେବା ଭବନ ନିକଟରେ ଆନେ୍ଦାଳନକାରୀ ମଧ୍ୟ ପହଞ୍ଚି ଯାଇଥିଲେ । ଏତେ ସଂଖ୍ୟାରେ ଡ୍ରାଇଭର ଏକାଠି ହୋଇଥିବାରୁ ରାଜଧାନୀରେ ସାଂଘାତିକ ଟ୍ରାଫିକ ଜାମ୍ ପରିସ୍ଥିତ ଉପୁଜିଥିଲା ।
ଡ୍ରାଇଭରଙ୍କ ଆନେ୍ଦାଳନ ଯୋଗୁ ସହରରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଥିଲା । ରାସ୍ତାରେ ଡ୍ରାଇଭରମାନେ ବସିବା ଯୋଗୁ ବେଶ୍ କିଛି ସମୟ ଧରି ରାଜଧାନୀ ରାସ୍ତାରେ ଅଟକି ଯାଇଥିଲା ଗାଡିମଟର । ଯାହା ଫଳରେ ଫସି ରହିଥିଲେ ଶହଶହ ଲୋକ । ବାଣୀବିହାର ଫ୍ଲାଏ ଓଭର ଉପରେ ବି ଶହ ଶହ ଗାଡି ଅଟକି ରହିଥିଲା । କମିଶନରେଟ୍ ପୁଲିସ ଏନେଇ ପ୍ରସ୍ତୁତ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା । ଅନେକ ସ୍ଥାନରେ ବସ ଚାଲୁନଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଖବର ମଧ୍ୟ ଆସିଛି । ବଡ଼ କଥା ହେଉଛି ଏତେ ସଂଖ୍ୟାରେ ଆନେ୍ଦାଳନକାରୀ ଲୋକସେବା ଭବନ ଭଳି ପ୍ରତିବନ୍ଧିତ ସ୍ଥାନକୁ କେମିତି ଆସିଲେ ଆଉ ପୁଲିସ କେମିତି ଆଗରୁ ସୂଚନା ପାଇପାରିଲା ନାହିଁ ସେନେଇ ପ୍ରଶ୍ନ ଉଠିଛି ।
ଡ୍ରାଇଭର ସଂଘ ସମ୍ପାଦକ ଚୈତନ୍ୟ ପ୍ରଧାନ କହିଛନ୍ତି, ମଙ୍ଗଳବାରଠାରୁ କୌଣସି ଡ୍ରାଇଭର ଷ୍ଟିଅରିଂ ଧରିବେ ନାହିଁ । ସମସ୍ତ ଡ୍ରାଇଭର ଗାଡ଼ି ନ ଚଳାଇ ନିଜ ନିଜ ଘରେ ବସିବେ । ରାଜ୍ୟ ସରକାରଙ୍କ ସହ ହୋଇଥିବା ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନି । ପୁଲିସ୍ ପ୍ରଶାସନ ଓ ଜନସାଧାରଣ ହଇରାଣ କରୁଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ତିନିମାସ ପରେ ବୀମା କଥା ବୁଝିବା ବୋଲି ସରକାର କହିଛନ୍ତି । ସେଥିପାଇଁ ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ଡାକରା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *