ମହାନଦୀ ବ୍ୟାରେଜ ମରଣଯନ୍ତା

କଟକ-ଜଗତପୁର (ବୁ୍ୟରୋ): ଗୋଟିଏ ପଟେ କଟକ ବଡ ଡାକ୍ତରଖାନାକୁ ଏମ୍ସପ୍ଲସ କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ଗମନାଗମନ ସୁବିଧା ଉପରେ ଗୁରୁତ୍ୱ ଦିଆଯାଉଛି । ମାତ୍ର କଟକ ବଡ଼ ଡାକ୍ତରଖାନା ଅବା କଟକ ସହରାଞ୍ଚଳକୁ ଯିବାକୁ ହେଲେ ବିଭିନ୍ନ ଅଞ୍ଚଳର ଲୋକେ ମହାନଦୀ ବ୍ୟାରେଜ ରାସ୍ତା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏହି ବ୍ୟାରେଜର ଏକାଧିକ ଅବ୍ୟବସ୍ଥା ଯୋଗୁଁ ପଥଚାରୀ, ବାଇକ ଆରୋହୀ, କାର, ଅଟୋ ଓ ଆମ୍ବୁଲାନ୍ସ ଚାଳକ ଯାଆସ ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବ୍ୟାରେଜ ଉପରେ ଭାରୀଯାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ମାତ୍ର ଅନେକ ସମୟରେ ଚୌଦ୍ୱାର ସର୍କଲ ଜେଲରେ ରହୁଥିବା କଏଦୀମାନଙ୍କୁ କୋର୍ଟରେ ହାଜର କରିବାକୁ ଦୈନିକ ଏକାଧିକ ବଡବଡ ଭ୍ୟାନ ଯାଆସ କରୁଛନ୍ତି । ବ୍ୟାରେଜ ଛକରୁ ଫାଣ୍ଡିକୁ ସ୍ଥାନାନ୍ତରିତ କରାଯିବା ପରେ ଅମାନିଆଙ୍କ ଉପରେ ପୁଲିସର ପୂର୍ବଭଳି ନିୟନ୍ତ୍ରଣ ରହୁନାହିଁ । ଯାହାଦ୍ୱାରା ବ୍ୟାରେଜ ଆନିକଟ ଉପରେ ଭାରୀଯାନ ଚଳାଚଳ ବେଶ ବୃଦ୍ଧି ପାଇ ଗର୍ତ୍ତ ସୃଷ୍ଟି ହୋଇ ବିପଦସଙ୍କୁଳ ପରିସ୍ଥିତି ଉପୁଜୁଛି । ଏହି ଗର୍ତ୍ତରେ ଆମ୍ବୁଲାନ୍ସ ଚକା ପଡିବା ଦ୍ୱାରା ରୋଗୀଙ୍କ ଜୀବନ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବ୍ୟାରେଜ ଫୁଟପାଥ କଡ଼ରେ ବାଲିଧୂଳି ଗଦା ହୋଇ ରହିବା ଅନ୍ୟ ଏକ ସମସ୍ୟାଭାବେ ଉଭା ହୋଇଛି । ଏହି ବାଲିଧୂଳି ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଗର୍ତ୍ତ ଗୁଡିକର ମରାମତି ଓ ବାଲି ସଫେଇ କରାନଯିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଦିନକୁ ଦିନ ବୃଦ୍ଧି ପାଉଛି । କିଛିବର୍ଷ ପୂର୍ବରୁ ବ୍ୟାରେଜର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ହଟାଇ ଦିଆଯାଇଛି । ବ୍ୟାରେଜ ଛକରେ ଦୀର୍ଘବର୍ଷରୁ ଏକ ପୁଲିସ ଏଡ୍ ପୋଷ୍ଟ ବ୍ୟବସ୍ଥା ରହିଥିଲେ ବି ସେଠାରେ କୌଣସି କର୍ମଚାରୀଙ୍କର ଦେଖା ମିଳୁନାହିଁ । ସେହିପରି ହାଇମାଷ୍ଟ ଲାଇଟ୍ ମଧ୍ୟରୁ କେତେକ ଅଚଳ ହୋଇପଡ଼ିବାରୁ ଅନ୍ଧାରର ସୁଯୋଗ ନେଇ ସନ୍ଧ୍ୟା ସମୟରେ ଅସାମାଜିକଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଫଳରେ ବ୍ୟାରେଜ ଉପରେ ମହିଳାମାନେ ଯାଆସ କରିବା ବେଳେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ତୁରନ୍ତ ଉପରୋକ୍ତ ସମସ୍ୟା ଉପରେ ବ୍ୟାରେଜ ଡିଭିଜନ ବିଭାଗୀୟ ଅଧିକାରୀ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବି କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *