ଅଗ୍ନିକାଣ୍ଡ ଆକସ୍ମିକ ନା ମନୁଷ୍ୟକୃତ
ନିଷ୍ପକ୍ଷ ତଦନ୍ତ ଦାବି କଲେ ପରିବାର
ଭଦ୍ରକ(ଆପ୍ର): ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ଗବସାହି ଗ୍ରାମରେ ୧୩ ତାରିଖ ବିଳମ୍ବିତ ରାତିରେ ଏକ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ୨ ପରିବାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଲକ୍ଷାଧିକ ଟଙ୍କାର ସୁନାରୁପା ଠାରୁ ଘର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ଦୁଇ ପରିବାର ପକ୍ଷରୁ ପରସ୍ପର ବିରୋଧରେ ଟାଉନ୍ ଥାନାରେ ଏତଲା ଦେଇଥିଲେ । ଟାଉନ ଥାନାରେ ୨ଟି ପରସ୍ପର ବିରୋଧୀ ମାମଲା ରୁଜୁ ହୋଇଛି । କିନ୍ତୁ ପ୍ରକୃତରେ କିପରି ଲାଗିଲା ନିଆଁ ଏବଂ ଏହି ଘଟଣା ଆକସ୍ମିକ ନା’ ମନୁଷ୍ୟକୃତ । ଘଟଣାରେ ପୁଲିସ ଉପଯୁକ୍ତ ଦତନ୍ତ କରି ପ୍ରକୃତ ଦୋଷୀକୁ ଗିରଫ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରଜେନ୍ଦ୍ର ଦାସ, ରବୀନ୍ଦ୍ର ଦାସ ଓ ଅନ୍ୟମାନେ ଦାବି କରିଛନ୍ତି ।
ଅଭିଯୋଗ ଅନୁସାରେ, ୧୩ ତାରିଖ ରାତି ପ୍ରାୟ ସାଢ଼େ ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ସମୟରେ ଖବର ପାଇ ଦମକଳ ନିଆଁ ଲିଭାଇବାକୁ ଆସିଥିଲା । କିନ୍ତୁ ଆମର ପ୍ରତିପକ୍ଷ ଦମକଳ କର୍ମଚାରୀଙ୍କୁ ଅଟକାଇ ଅଶ୍ଳିଳ ବ୍ୟବହାର କରିବା ସହ ନିଆଁ ଲିଭାଇବାକୁ ଦେଇ ନଥିଲେ । ବରଂ ସେମାନେ ନିଆଁ ହୁଳା ଆଣି ଅମାର ଘରେ ନିଆଁ ଲଗାଇଥିଲେ । ଆମେ ନିଆଁ ଲିଭାଇବାକୁ ଗଲାବେଳେ, ଆମକୁ ଠେଙ୍ଗା, ତଲୱାର ଧରି ଗୋଡ଼ାଇଥିଲେ । ପୁଲିସ ଖବର ପାଇ ପହଞ୍ଚିବା ପରେ ଦମକଳ ବାହିନୀ ନିଆଁ ଲିଭାଇଥିଲେ । ପରବର୍ତ୍ତି ସମୟରେ ଆମ୍ଭମାନଙ୍କ ପରିବାର ଲୋକ ସେମାନଙ୍କ ଘରେ ବାହାର ପଟୁ ତାଲା ପକାଇ ନିଆଁ ଲାଗିଥିବାରେ ସଂଗୀନ ଅଭିଯୋଗ ଆଣିଥିଲେ । ସେଥିରେ ତାଙ୍କର ସବୁକିଛି ଜଳିଯାଇଥିବା ଅଭିଯୋଗ କରିଥିଲେ । ତେବେ କେହି କ’ଣ ନିଜ ଘରେ ନିଜେ ନିଆଁ ଲଗାଇ ପାରିବ କି ବୋଲି ବ୍ରଜେନ୍ଦ୍ର ପ୍ରଶ୍ନ କରିଛନ୍ତି । ସେହିପରି ଦମକଳ ବାହିନୀକୁ ନିଆଁ ଲିଭାଇବାକୁ ଅଟକାଇବାର ଉଦେ୍ଦଶ୍ୟ କ’ଣ? ଯଦି ସେମାନେ ଅଭିଯୋଗ କରୁଛନ୍ତି, ତାଙ୍କ ଘର ବାହାର ପଟୁ ତାଲା ପକାଇ ନିଆଁ ଲଗାଯାଇଥିଲା ଓ ସେମାନେ ଏକ ଝରକା ଭାଙ୍ଗି ନିଜ ଜୀବନ ବଞ୍ଚାଇଥିଲେ, ତେବେ ଏକ ସଂକୀର୍ଣ୍ଣ ଝରକା ବାଟେ ଜଣେ ୮୦ ବର୍ଷର ଶଯ୍ୟାଶାୟୀ ବୃଦ୍ଧାଙ୍କୁ ଉଦ୍ଧାର କରିବା ସହ ସେମାନେ ବାହାରକୁ ଆସିବା ଓ ଘରର ଟିଭି, ଆଲମିରା, ପଲଙ୍କ ଓ ସ୍କୁଟି ଗାଡ଼ିକୁ ବାହାରକୁ ଆଣିବା କ’ଣ ସମ୍ଭବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏସବୁ ଘଟଣା ପଛରେ ଅପରପକ୍ଷର ପୁଲିସ ବିଭାଗରେ ଚାକିରୀ କରିଥିବା ଜଣେ ଯୁବକଙ୍କ ସଂପୃକ୍ତି ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେଦିନ ରାତିରେ ଏହି ବ୍ୟକ୍ତିଙ୍କ ଡୁ୍ୟଟି କେଉଁଠି ଥିଲା, ସେ ସେଠାରେ ରାତି କେତେ ପର୍ଯ୍ୟନ୍ତ ଥିଲେ, ଯଦି ବାହାରକୁ ଯାଇଥିଲେ, ତେବେ କାହା ଅନୁମତି ନେଇ ଯାଇଥିଲେ, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର । ତେଣୁ ଯଦି ଆମେ ଦୋଷୀ ବୋଲି ପ୍ରମାଣିତ ହୁଏ, ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ନଚେତ ପୁଲିସ ଉପରୋକ୍ତ ପ୍ରସଙ୍ଗ ଆଧାରରେ ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସେମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଏସମ୍ପର୍କରେ ଗବାସାହି ଗ୍ରାମର ଯେ କୌଣସି ବ୍ୟକ୍ତିଙ୍କୁ ପଚାରିଲେ, ସେମାନେ ବାସ୍ତବତା ସମ୍ପର୍କରେ କହିବେ ବୋଲି ସେମାନେ କହିଛନ୍ତି ।