ମହମବତୀ ଓ ମୋବାଇଲ୍ ଆଲୁଅରେ ରୋଗୀସେବା

ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା
ପୋଲସରା (ଆପ୍ର): ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଛି । କେତେବେଳେ ଡାକ୍ତର ରହୁନାହାନ୍ତି ତ ଆଉ କେତେବେଳେ ଡାକ୍ତର ଥିଲେ ମଧ୍ୟ ରୋଗୀଙ୍କୁ ମିଳୁନି ସଠିକ ସେବା । ରବିବାର ସନ୍ଧ୍ୟାରେ ଏହି ମେଡିକାଲରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା । ଡୁ୍ୟଟିରେ ଥିବା ଡାକ୍ତର ମହମବତୀ ଲଗାଇ ରୋଗୀସେବା କରୁଥିବା ବେଳେ ପ୍ରସୂତି ଗୃହରେ ମୋବାଇଲ ଲାଇଟ ସାହାଯ୍ୟରେ ପ୍ରସୂତି କାର୍ଯ୍ୟ ଚାଲିଥିଲା । ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସମସ୍ୟା ଏବେକାର ନୁହେଁ ଏହା ନିତିଦିନିଆ ଘଟଣା ବୋଲି କଳମ୍ବ ଗ୍ରାମର ତପସ୍ୱିନୀ ସାହୁ କହିଥିଲେ । ଆହୁରି ସେ କହିଥିଲେ ପ୍ରସବ ବେଦନା ହେବାରୁ ମୁଁ ମୋର ସମ୍ପର୍କୀୟଙ୍କୁ ଅପରାହ୍ନ ୪ଟାରୁ ମେଡ଼ିକାଲକୁ ଆଣିଥିଲି । ମେଡିକାଲରେ କୌଣସି ପ୍ରକାର ସୁବିଧା ନାହିଁ । ସନ୍ଧ୍ୟା ୭ଟାରେ ତାଙ୍କର ଗୋଟିଏ ପୁଅ ଜନ୍ମ ହେଲା ।
ମେଡିକାଲରେ ଲାଇଟ ନ ଥିଲା କିମ୍ବା ଜେନେରେଟରର ସୁବିଧା ମଧ୍ୟ ନାହିଁ । ନର୍ସମାନେ ମୋବାଇଲ ଲାଇଟ ପକାଇ ଇଞ୍ଜେକସନ ଦେଲେ ଏବଂ ପ୍ରସବ ମଧ୍ୟ କରାଇଲେ । ବିଦୁ୍ୟତ ଗଲାପରେ କୌଣସି ସୁବିଧା ନ ଥିବା ହେତୁ ମହମବତୀ ଓ ମୋବାଇଲ ଲାଇଟ ହିଁ ରୋଗୀଙ୍କ ଭରସା ବୋଲି ମେଡ଼ିକାଲରେ ଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ କହିଥିଲେ । ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ କାହା ଯୋଗୁଁ ଏଭଳି ସମସ୍ୟା ଉପୁଜୁଛି, ତୁରନ୍ତ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତପସ୍ୱିନୀ ସାହୁଙ୍କ ସମେତ ମେଡିକାଲରେ ଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଡୁ୍ୟଟିରେ ଥିବା ଡାକ୍ତର ପ୍ରଜ୍ଞା ପ୍ରଥମା ସମସ୍ୟାକୁ ନେଇ କୁହନ୍ତି ବିଦୁ୍ୟତ ଗଲାପରେ କୌଣସି ସୁବିଧା ନାହିଁ । ତେଣୁ ମୁଁ ଡାକ୍ତର ହିସାବରେ ମହମବତୀ ହେଉ କି ମୋବାଇଲ ଲାଇଟ ଲଗାଇ ରୋଗୀଙ୍କ ସେବା କରୁଛି । କୌଣସି ସୁବିଧା ଥାଉ କି ନଥାଉ ସେବା ଯୋଗାଇବା ମୋର ଧର୍ମ ବୋଲି କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *