ମାଂସ ଖାଇ ଛାଲ ବିକ୍ରି: ୭ ଗିରଫ

ବାରହା ଫାଶରେ ବାଘ, ତୀର ମାରି ହତ୍ୟା
କେନ୍ଦୁଝର(ଆପ୍ର): କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇ ପଡିଛନ୍ତି । କେନ୍ଦୁଝର ବନଖଣ୍ଡରେ ଏକ ବାଘ ଥିବା ସୂଚନା ବନ ବିଭାଗ ନିକଟରେ ଥାଇ ମଧ୍ୟ ବାଘର ସୁରକ୍ଷା ପାଇଁ ପଦକ୍ଷେପ ନିଆ ନଯିବା ବନ୍ୟପ୍ରେମୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ଡିଏଫଓଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି ।
ବାଘ ମାରିବାର ୩ ସପ୍ତାହ ପରେ ବାଘ ଛାଲ ବିକ୍ରୀ ପାଇଁ ମୂଲଚାଲ ହୋଇ ୭ ଜଣ ଗିରଫ ହେବା ପରେ କେନ୍ଦୁଝର ଜଙ୍ଗଲରେ ମରାଯାଇଥିବା ସ୍ପଷ୍ଟ ହୋଇଥିଲା । ମୟୁରଭଞ୍ଜ ଜିଲ୍ଲା ଯଶିପୁର ପୁରୁଣା ବସଷ୍ଟାଣ୍ଡରେ ମୂଲଚାଲ ସମୟରେ ବନ ବିଭାଗ ଚଢଉ କରି ଏକ କଲରାପତରିଆ ବାଘର ୫ ଫୁଟ ୬ଇଞ୍ଚ ଲମ୍ବା ଛାଲ ଜବତ୍ କରିବା ପରେ ଏହି ଘଟଣା ସାମନାକୁ ଆସିଛି । ଗିରଫ ୭ ଜଣଙ୍କ ମଧ୍ୟରୁ ୫ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି । ଗିରଫ ବ୍ୟକ୍ତିମାନେ ହେଲେ ପାଟଣା ଥାନା ତେଣ୍ଡରା ଗ୍ରାମର ଶେଖ୍ ତାଜାମୂଲ(୨୩), ହରିଚନ୍ଦନପୁର ଥାନା ଜାମୁଯୋଡି ଗ୍ରାମର ଶେଖ୍ କେହାତେମ ତାକ(୨୬),ପଣ୍ଡାପଡା ଥାନା ଟାଙ୍କୁରାଯୋଡା ଗ୍ରାମର ରଞ୍ଜନ ଜୁଆଙ୍ଗ(୧୯), ପଣ୍ଡାପଡା ଥାନା କପ୍ତାଡିଆ ଗ୍ରାମର ବାବୁ ଜୁଆଙ୍ଗ(୨୮) ଏବଂ ହରିଚନ୍ଦନପୁର ଥାନା ଅନ୍ତର୍ଗତ ସିଙ୍ଗାବିଲା ଗ୍ରାମର ହୋଟେଲ କରିଥିବା ଦେବୀପ୍ରସାଦ ସାହୁ (୨୬) ବୋଲି ଜଣାପଡିଛି । କେନ୍ଦୁଝର ବନଖଣ୍ଡରେ ବାଘ ନଥିବା ରିପୋର୍ଟରେ ଦର୍ଶାଯାଉଥିବା ବେଳେ ଫାଶରେ ପଡି ମରିବା ପରେ ବାଘ ରହିଥିବା ସ୍ପଷ୍ଟ ହୋଇଛି । ୩ ସପ୍ତାହ ତଳେ ପଣ୍ଡାପଡା ଥାନା କପ୍ତାଡିଆ ଗ୍ରାମର ବାବୁ ଜୁଆଙ୍ଗ ବାରାହା ଶିକାର ପାଇଁ ବାରାହାଗଡ ଜଙ୍ଗଲରେ ସନ୍ଧ୍ୟାରେ ଫାଶ ପକାଇଥିଲା । ସକାଳେ ଆସି ଏକ ବାଘ ଲାଗିଥିବା ଦେଖିଥିଲା । ବାଘଟି ବଞ୍ଚିଥିବାରୁ ଗ୍ରାମର ଅନ୍ୟ ୪ଜଣ ମିଶି ତୀର ମାରି ବାଘକୁ ହତ୍ୟା କରିଥିଲେ । ବାଘର ମାଂସ ବିକ୍ରୀ କରିବା ସହ ଦାନ୍ତ, ନଖ ମଧ୍ୟ ବିକ୍ରି କରିଥିଲେ । ବାଘ ଛାଲକୁ ପରେ ସିଙ୍ଗାବିଲା ଗ୍ରାମର ହୋଟେଲ କରିଥିବା ଦେବୀପ୍ରସାଦ ସାହୁ ବିକ୍ରି କରିବା ପାଇଁ ଦେଇଥିଲେ । ସେ ଅନ୍ୟମାନଙ୍କ ସହ ୫୦ହଜାର ଟଙ୍କାରେ ବିକ୍ରି ପାଇଁ ମୂଲଚାଲ କରୁଥିବାବେଳେ ବନବିଭାଗ ହାତରେ ଧରା ପଡିଥିଲା ।
ମୁଖ୍ୟ ଅଭିଯୁକ୍ତ ବାବୁ ଓ ରଞ୍ଜନ ଜୁଆଙ୍ଗକୁ ରିମାଣ୍ଡରେ ଆଣି ବାଘଟି କେଉଁ ସ୍ଥାନରେ ମରିଛି ସ୍ପଟ ଭେରିଫିକେସନ କରାଯିବ ବୋଲି କହିଛନ୍ତି ଦୁଧିଆଣି ରେଞ୍ଜର ପ୍ରଦୀପ କୁମାର ପୃଷ୍ଟି । ଶିଖେଶ୍ୱର ଜଙ୍ଗଲରେ ପାହାଡରେ ବାଘ ଥିବା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇ ଜଙ୍ଗଲକୁ ନ ଯିବା ପାଇଁ କୁହାଯାଇଥିଲା । ରାତିରେ ବାଘର ଗର୍ଜନ ମାଇଲ ମାଇଲ ଦୂର ପର୍ଯ୍ୟନ୍ତ ଶୁଭୁଥିଲା । ତେବେ ବାଘକୁ ବନ ବିଭାଗ ଠିକ ଭାବରେ ଟ୍ରାକ କରିନଥିବାରୁ ବାଘର ମୃତୁ୍ୟ ହୋଇଥିବା ପରିବେଶପ୍ରେମୀ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି । କେନ୍ଦୁଝର ବନଖଣ୍ଡରେ ଜଙ୍ଗଲ ପଦା ହେବାରୁ ଏବଂ ଜଙ୍ଗଲରେ ନିଆଁ ଲାଗିଥିବାରୁ ଜନବସତି ମୁହାଁ ହୋଇ ମଣିଷଙ୍କ ଶିକାର ହୋଇ ପ୍ରାଣ ହରାଉଛନ୍ତି । ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାପାଇଁ କର୍ମଚାରୀ ଅଭାବ,କାଠ ମାଫିଆ ଓ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ମଧ୍ୟ ବଢି ଚାଲିଛି । ଯେଉଁଥି ପାଇଁ ବନ୍ୟପ୍ରାଣୀ ଲୋପ ହେବାରେ ଲାଗିଛନ୍ତି । ବନ ବିଭାଗର ନିଷ୍କ୍ରିୟତା ସୁଯୋଗରେ ମାଫିଆମାନେ ସକ୍ରୀୟ ହୋଇ ପଡିଛନ୍ତି । କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇ ପଡିଛନ୍ତି । ଜଙ୍ଗଲରେ ଶିକାରୀ ସକ୍ରିୟ ରହୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ ବିଭାଗର କର୍ମଚାରୀ ପାଦ ଚଲା ପାଟ୍ରୋଲିଂ ନିୟମିତ କରୁନଥିବାରୁ ବନ୍ୟପ୍ରାଣୀ ଶିକାର ବଢୁଛି । ଯେଉଁ କେତେକ କ୍ଷେତ୍ରରେ ଶିକାରୀ ଧରା ପଡୁଛନ୍ତି ତାହା ବନ୍ୟପ୍ରାଣୀ ଶିକାର କରିବା ପରେ ଧରା ପଡୁଛନ୍ତି । ଶିକାର କରିବା ପୂର୍ବରୁ ବନ କର୍ମଚାରୀ ସୂଚନା ମଧ୍ୟ ପାଇ ପାରୁନାହାଁନ୍ତି । ବିସ୍ତୃତ ଜଙ୍ଗଲ ଓ ବନ୍ୟପ୍ରାଣୀ ତଥା ପରିବେଶ ଜୈବ ମଣ୍ଡଳର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆ ଯାଉନଥିବାରୁ ବନ୍ୟପ୍ରାଣୀ ଓ ଜଙ୍ଗଲ ଲୋପ ପାଉଛି । ଜଙ୍ଗଲରେ ଦୈନିକ କଟା ଚାଲିଛି ଶାଳ ଓ ମୂଲ୍ୟବାନ ଗଛ । ଦିନକୁ ଦିନ ଲଣ୍ଡା ହେଉଛି କେନ୍ଦୁଝର ବନଖଣ୍ଡର ଘଞ୍ଚ ଅରଣ୍ୟ । ପାଟ୍ରୋଲିଂ ବ୍ୟବସ୍ଥା ଫେଲ ମାରିଥିବାରୁ ମାଫିଆ ମାନେ ସକ୍ରିୟ ହୋଇ ପଡିଛନ୍ତି । ବହୁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି । ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦେବାରେ କେନ୍ଦୁଝର ଡିଏଫଓ ଫେଲ ମାରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *