୫ ବର୍ଷ ହେଲା ୩ ୱାର୍ଡକୁ ପାଣି ଆସୁନି
ପିଇବା ପାଣି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ଦାବି
ପୁରୀ (ବୁ୍ୟରୋ): ବିଗତ ୫ବର୍ଷ ହେବ ପୁରୀ ସଦର ନିର୍ବାଚନମଣ୍ଡଳୀର ୨ଟି ପଞ୍ଚାୟତର ୩ଟି ୱାର୍ଡରେ ପିଇବା ପାଣି ଆସୁନାହିଁ । ବିଗତ ଦିନରେ ବିଡିଓଙ୍କୁ ଲିଖିତ ଅଭିଯୋଗ ସହ ୫-ଟିକୁ ଫୋନ୍ କରି ବାରମ୍ବାର ଅଭିଯୋଗ ହୋଇଥିଲେ ବି କୌଣସି ଫଳପ୍ରଦ ହୋଇନାହିଁ । ଅନେକ ଟ୍ୱିଟ୍ ମଧ୍ୟ ଇତିମଧ୍ୟରେ ହୋଇଛି ସୁଫଳ ମିଳିନାହିଁ । ଆଜି ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅତିଷ୍ଠ ହୋଇ ନିଜର ଅସୁବିଧାକୁ ଦୂର କରିବା ନିମନ୍ତେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶଙ୍କ ନେତୃତ୍ୱରେ ଗ୍ରାମର ୧୦ଜଣିଆ ଯୁବକ ଏବଂ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଗ୍ରିଭାନ୍ସରେ ଲିଖିତ ଅଭିଯୋଗ ଦେଇଥିଲେ ।
ଜିଲ୍ଲାପାଳ ସଦର ବିଡିଓ ଏବଂ ଆର୍ଡବ୍ଲୁଏସ୍ଏସ୍ର ବିଭାଗୀୟ ଅଫିସର୍ଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ସଚେତନ କରାଇଥିଲେ । ଏହି ପାନୀୟ ଜଳ ଅସୁବିଧାକୁ ଦୂର କରିବା ନିମନ୍ତେ ଏକ ଟେଣ୍ଡର ଡକାଯାଇଥିବା ବେଳେ ଗୁରୁବାର କିମ୍ବା ଶୁକ୍ରବାର ବିଭାଗୀୟ ଅଧିକାରୀ ଗ୍ରାମକୁ ଯାଇ ଗ୍ରାମର ଅସୁବିଧା ଉପରେ ସମ୍ପୂର୍ଣ୍ଣ ଅବଗତ ହେବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଅସୁବିଧାର ଯଥାଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ତାଗିଦ୍ କରିଥିବାରୁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି । ଗଙ୍ଗନାରୟଣପୁର ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନମ୍ବର ୧୦ ଓ ବଳିପଡ଼ା ପଞ୍ଚାୟତର ୧୩ ଓ ୧୪ନମ୍ବର ୱାର୍ଡରେ ଟୋଟାଲ ୩ଗୋଟି ନଳକୂପ ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ଗ୍ରାମକୁ ଜଳ ଯୋଗାଇ ପାରୁନି । ଗତ ୫ବର୍ଷ ପୂର୍ବରୁ ଟ୍ୟାପ୍ ଦ୍ୱାରା ଗ୍ରାମକୁ ଜଳଯୋଗାଣ ବ୍ୟବସ୍ଥା ହୋଇଥିବା ବେଳେ ଗ୍ରାମବାସୀ ଅସୁବିଧା ଭୋଗୁ ନ ଥିଲେ । ଗତ ୫ବର୍ଷ ହେଲା ଏହି ଟ୍ୟାପ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇଯାଇଛି । ଆଉ ପାଣି ଆସୁନାହିଁ । ବାଲିପଡ଼ା ଓ ଗଙ୍ଗନାରୟଣପୁର ଅଞ୍ଚଳ କେବଳ ପାନୀୟ ପାଣି ଅସୁବିଧା ଭୋଗୁଥିବା ବେଳେ ଅନ୍ୟ ସମସ୍ତ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି । ବାଲିପଡ଼ା ଗ୍ରାମର ୮୦୦ ଗ୍ରାମବାସୀଙ୍କ ଦସ୍ତଖତ ସଂଗ୍ରହ କରି ପୁରୀ ଜିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ ।