୨ଠ ଗିରଫ, ସିବିଆଇ କରିବ ତଦନ୍ତ
ଦିଲ୍ଲୀ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା
ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀ ଜାହାଙ୍ଗୀରପୁରା ହିଂସାକାଣ୍ଡ ଘଟଣାରେ ତଦନ୍ତ ଭାର ସିବିଆଇକୁ ଦିଆଯାଇଛି । ସିବିଆଇ ଏବେ ନିଜ ହିସାବରେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ ପୂର୍ବରୁ ୧୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ସୁଦ୍ଧା ଆଉ ୬ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଏହି ଘଟଣାରେ ମୋଟ୍ ୨ଠଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୨ ନାବାଳକ ରହିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି ।
ପ୍ରକାଶ, ଶନିବାର ଦେଶବ୍ୟାପୀ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଥିବା ବେଳେ ଦିଲ୍ଲୀ ଜାହାଙ୍ଗୀରପୁରାରେ ଏନେଇ ଏକ ଶୋଭଯାତ୍ରା ଆୟୋଜନ କରାଯାଇଥିଲା । ତେବେ ଏହି ସମୟରେ ଦୁଇ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ କୌଣସି କାରଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ସାମ୍ପ୍ରଦାୟିକ ହିଂସାର ରୂପ ନେବା ଆରମ୍ଭ କରିଥିଲା । ଉତ୍ତ୍ୟକ୍ତ ଲୋକେ ପୋଡ଼ାଜଳା ଭଳି ଅଘଟଣ ଘଟାଇବା ଆରମ୍ଭ କରିଦେଇଥିଲେ । ଏପରିକି ଜଣେ ସନ୍ଦିଗ୍ଧ ଗଣ୍ଡଗୋଳକାରୀଙ୍କ ମଧ୍ୟରେ ଲୁଚି ରହି ଜଣେ ପୁଲିସ୍ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇଥିଲା । ସେହିପରି କିଛି ଲୋକେ ଖଣ୍ଡା, ଛୁରୀ ମଧ୍ୟ ବୁଲାଇବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷେ ପୁଲିସ୍ ଉଭୟ ପକ୍ଷର ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିବା ବେଳେ ଉତ୍ତ୍ୟକ୍ତଙ୍କ ଶିକାର ହୋଇଥିଲା । ପୁଲିସ୍ କର୍ମୀଙ୍କ ଉପରେ ଟେକା ପଥର ମାଡ଼ କରାଯାଇଥିଲା ।
ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଅନସାର ଏବଂ ଅସଲମ୍ଙ୍କୁ ଦିଲ୍ଲୀ ପୁଲିସ୍ ଦିନକ ପୂର୍ବରୁ ଗିରଫ କରିସାରିଛି । ରବିବାର ଦିନ ଗୁଳି ଚଳାଇଥିବା ଅଭିଯୁକ୍ତକୁ ମଧ୍ୟ ପୁଲିସ୍ ନିଜ ହେପାଜତ୍କୁ ନେଇଛି । ପ୍ରକାଶ, ୮ ପୁଲିସ୍ କର୍ମୀଙ୍କ ସହ ମୋଟ୍ ୯ଜଣ ଏହି ଅଘଟଣରେ ଆହତ ହୋଇଥିଲେ । ମାମାଲାରେ ତଦନ୍ତ ପାଇଁ ଡ୍ରୋନ୍ ଓ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରାଯାଉଛି । ହିଂସା ଘଟଣାକୁ ନେଇ ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାଏମ ରଖିବାକୁ ଶାହ ନିଦେ୍ର୍ଦଶ ଦେଇଥିଲେ । ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍ କର୍ମୀଙ୍କୁ ମୁତୟନ କରାଯାଇଛିି ।