ସମସ୍ୟା ଅନେକ, ସମାଧାନ ନାହିଁ
ଭଡ଼ା ଘରେ ଚାଲିଛି ଅଙ୍ଗନୱାଡି
ଧାମନଗର (ଆପ୍ର): ଧାମନଗର ବ୍ଲକ୍ରେ ସମନ୍ୱିିତ ଶିଶୁ ବିକାଶ ବିଭାଗ ଥିଲେ ମଧ୍ୟ ଏଥିରେ ବହୁ ସମସ୍ୟା ଦେଖିବାକୁ ମିଳୁଛି । ୩ରୁ ୫ବର୍ଷ ମଧ୍ୟରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଏବଂ ଶିଶୁଙ୍କୁ ଶୈଶବ ଅବସ୍ଥାରୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା, ଘରେ ରହୁଥିବା ଶିଶୁ, କିଶୋର କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ପୁଷ୍ଟି ସାର ଖାଦ୍ୟ ଯୋଗାଇ ମା’ ଓ ଶିଶୁ ର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା, ମାତୃ ଏବଂ ଶିଶୁ ମୃତୁ୍ୟ ହାର କମାଇବା ଇତ୍ୟାଦି ବିଭିନ୍ନ ଦିଗ ପ୍ରତି ଲକ୍ଷ୍ୟରଖି କାର୍ଯ୍ୟ କରୁଥିବା ଏହି ଅଙ୍ଗନୱାଡ଼ି ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଯୋଜନାର ସଫଳତା ମିଳିପାରୁନାହିଁ ।
ଧାମନଗର ବ୍ଲକ୍ର ୩୧ପଞ୍ଚାୟତ ଏବଂ ଧାମନଗର ବିଜ୍ଞାପିତ ଅଞ୍ଚଳକୁ ମିଶାଇ ମୋଟ ୩୫୩ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଏହି କେନ୍ଦ୍ର ଅଧୀନରେ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୧୬୧୦ ପ୍ରସୂତୀ, ଜନ୍ମରୁ ୬ ମାସ ମଧ୍ୟରେ ୧୬୮୪ ଶିଶୁ, ୭ ମାସରୁ ୩ ବର୍ଷ ମଧ୍ୟରେ ୮୭୫୬ ଶିଶୁ, ୩ ବର୍ଷରୁ ୬ ବର୍ଷ ମଧ୍ୟରେ ୮୩୬୫ ଶିଶୁ ଏବଂ ପ୍ରାୟ ୧୫ହଜାର କିଶୋରୀ ବାଳିକାଙ୍କୁ ବିଭାଗ ପକ୍ଷରୁ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ପାଇଁ ଜଣେ କର୍ମୀ ଏବଂ ଅନ୍ୟ ଜଣେ ସହଯୋଗୀ, ମିନି ଅଙ୍ଗନୱାଡି ପାଇଁ କେବଳ ଜଣେ କର୍ମୀ କାର୍ଯ୍ୟ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବ୍ଲକ୍ରେ ଅଙ୍ଗନୱାଡି ଯୋଜନା ଆରମ୍ଭ ହେବାର ୨୬ ବର୍ଷ ହୋଇଗଲାଣି, ହେଲେ କିଛି କେନ୍ଦ୍ରରେ ସ୍ଥାୟୀ ଘର ନାହିଁ । କେତେକ ଜାଗାରେ ପିଲା ବାରଣ୍ଡାରେ ବସି ପାଠ ପଢ଼ୁଥିବା ବେଳେ ଆଉ କିଛି ଜାଗାରେ ଯୁବକ ସଂଘ ଘର, ମଠ କିମ୍ବା ମନ୍ଦିର ଘର ଇତ୍ୟାଦିରେ ପିଲା ପାଠ ପଢୁଛନ୍ତି । ସେସବୁ ଜାଗାରେ ବିଭିନ୍ନ ସମୟରେ କାମ ହେଲେ ଅଙ୍ଗନୱାଡି କେନ୍ଦ୍ରକୁ ବାଧ୍ୟ ହୋଇ ବନ୍ଦ ରଖାଯାଉଛି ।
ଖବର ନେବାରୁ ଜଣାଯାଏ, ମିନି ଅଙ୍ଗନୱାଡି କେନ୍ଦ୍ର ପାଇଁ ସରକାରଙ୍କ ଘର ବ୍ୟବସ୍ଥା ନାହିଁ । ଅବଶିଷ୍ଟ ୧୬୫ଟି କେନ୍ଦ୍ରର ଘର କାର୍ଯ୍ୟ ଶେଷ ହୋଇ ସେଠାରେ କେନ୍ଦ୍ର ଚାଲୁଥିବା ବେଳେ ୪୫ଟି କେନ୍ଦ୍ରର ଘର ଅଧପନ୍ତରିଆ ଭାବେ ରହିଛି । ସେହିପରି ୧୨ଟି କେନ୍ଦ୍ରର ଘରକାର୍ଯ୍ୟ ସରିଥିଲେ ହେଁ ତାହା ହସ୍ତାନ୍ତର ହୋଇ ନାହିଁ । ସେଥି ମଧ୍ୟରୁ ୨ଟି ଘର ଜବରଦଖଲକୁ ଚାଲିଗଲାଣି । ସେହିପରି ବିଭିନ୍ନ ସମସ୍ୟା ପାଇଁ ୬୦ଟି କେନ୍ଦ୍ର ପାଇଁ ଜମି ଅଧିଗ୍ରହଣ ହୋଇପାରି ନାହିଁ । ଅନେକ କେନ୍ଦ୍ରରେ ପାଣି ସମସ୍ୟା ଥିବାବେଳେ କେନ୍ଦ୍ର ଚାରିପଟେ ଜବରଦଖଲ ଥିବାରୁ ଅପରିଷ୍କାର ପରିବେଶ ଦେଖିବାକୁ ମିଳିଛି । ଏ ସମ୍ପର୍କରେ ସିଡିପିଓ ନମିତା ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଅଙ୍ଗନୱାଡି କେନ୍ଦ୍ର ପାଇଁ ଘର ତିଆରି କରିବା ଦାୟିତ୍ୱ ବିଡିଓଙ୍କର । ଘର ନ ଥିବାରୁ କେତେକ ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ଅସୁବିଧା ଦେଖିବାକୁ ମିଳିଛି । ଜାଗା ସମସ୍ୟା ଥିବାରୁ ଅଙ୍ଗନୱାଡି କେନ୍ଦ୍ର ତିଆରି ହୋଇପାରୁନାହିଁ । ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ଦୁର୍ଗାଚରଣ ମୁର୍ମୁ ସୂଚନା ଦେଇଛନ୍ତି ।