ବଦଳିବ ୫% ଜିଏସ୍ଟି ସ୍ଲାବ୍
ନୂଆଦିଲ୍ଲୀ,୧୭/୪: ବସ୍ତୁ ଓ ସେବା କର (ଜିଏସ୍ଟି) କାଉନ୍ସିଲ୍ ବୈଠକ ଆସନ୍ତା ମାସ ମଧ୍ୟଭାଗରେ ବସିବ । ଏହି ବୈଠକରେ ୫ ପ୍ରତିଶତ ଟିକସ୍ ସ୍ଲାବ୍ରେ ଆସୁଥିବା ବସ୍ତୁ ଗୁଡ଼ିକୁ ୩ ଓ ୮ ପ୍ରତିଶତ ସ୍ଲାବ୍ରେ ସାମିଲ୍ କରିବା ଉପରେ ଚର୍ଚ୍ଚା ହେବ । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଏ କଥା ଜଣାଯାଇଛି । କ୍ଷତିପୂରଣ ଅନୁଦାନ ପାଇଁ କେନ୍ଦ୍ର ଉପରେ ନିର୍ଭରତାରେ ପୂର୍ଣ୍ଣଚ୍ଛେଦ ପକାଇବା ଉଦେ୍ଦଶ୍ୟରେ ରାଜସ୍ୱ ବଢ଼ାଇବା ପାଇଁ ଅଧିକାଂଶ ରାଜ୍ୟ ରାଜି ହୋଇଛନ୍ତି ।
ପ୍ରସ୍ତାବ ଅନୁଯାୟୀ ବ୍ୟାପକସ୍ତରରେ ବ୍ୟବହୃତ କେତେକ ବସ୍ତୁକୁ ୩ ପ୍ରତିଶତ, ଅବଶିଷ୍ଟ ବସ୍ତୁ ଗୁଡ଼ିକୁ ୮ ପ୍ରତିଶତ କର ସ୍ଲାବ୍ରେ ରଖାଯିବ । ବର୍ତ୍ତମାନ ଜିଏସ୍ଟିରେ ଅଛି ୪ ପ୍ରକାର ଟାକ୍ସ ସ୍ଲାବ୍, ଯଥା-୫, ୧୨, ୧୮ ଓ ୨୮ ପ୍ରତିଶତ । ଏହାଛଡ଼ା ସୁନା ଓ ସୁନା ଅଳଙ୍କାର ଉପରେ ୩ ପ୍ରତିଶତ କର ଲାଗୁଛି । ସୂତ୍ର ଅନୁଯାୟୀ ଜିଏସ୍ଟି କାଉନ୍ସିଲ୍ ରାଜସ୍ୱ ବଢ଼ାଇବା ପାଇଁ କେତେକ ଅଣଖାଦ୍ୟ ବସ୍ତୁକୁ ୩ ପ୍ରତିଶତ ସ୍ଲାବ୍ ମଧ୍ୟକୁ ଆଣି ରିହାତି ପ୍ରାପ୍ତ ବସ୍ତୁ ଗୁଡ଼ିକର ସୂଚୀରେ କାଟ୍ କରିବା ପାଇଁ ନିର୍ଣ୍ଣୟ ନିଆଯାଇପାରେ ।
୫ ପ୍ରତିଶତ ସ୍ଲାବ୍କୁ ବଢ଼ାଇ ୭ ବା ୮ କିମ୍ବା ୯ ପ୍ରତିଶତ କରିବା ଉପରେ ଆଲୋଚନା ଚାଲିଛି । ଚୂଡ଼ାନ୍ତ ନିଷ୍ପତ୍ତି ଜିଏସ୍ଟି କାଉନ୍ସିଲ୍ ବୈଠକରେହିଁ ନିଆଯିବ । ୫ ପ୍ରତିଶତ ସ୍ଲାବ୍ରେ ଯଦି ୧ ପ୍ରତିଶତ ବୃଦ୍ଧି କରାଗଲେ ବାର୍ଷିକ ପ୍ରାୟ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ । ଏହି ସ୍ଲାବ୍ରେ ମୁଖ୍ୟତଃ ପ୍ୟାକ୍ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ ।
ଜିଏସ୍ଟି ଅନୁସାରେ ଆବଶ୍ୟକ ବସ୍ତୁଗୁଡ଼ିକ ଉପରେ କର ହାର କମ୍ କରାଯାଇଥାଏ କିମ୍ବା କର ରିହାତି ଦିଆଯାଇଥାଏ । ବିଳାସ ସାମଗ୍ରୀ ଗୁଡ଼ିକ ଉପରେ ସର୍ବାଧିକ ୨୮ ପ୍ରତିଶତ କର ଲାଗୁଛି ଏବଂ ଜିଏସ୍ଟି ଜନିତ କ୍ଷତିର ଭରଣା ପାଇଁ ରାଜ୍ୟମାନଙ୍କୁ ଏ ବାବଦରୁ ମିଳୁଥିବା ରାଜସ୍ୱ ପ୍ରଦାନ କରାଯାଉଛି ।
ଜିଏସ୍ଟି କ୍ଷତିପୂରଣ ଅନୁଦାନ ବ୍ୟବସ୍ଥା ଚଳିତ ବର୍ଷ ଜୁନ୍ରେ ଶେଷ ହେବ । ସେହି ଦୃଷ୍ଟିରୁ ରାଜ୍ୟମାନେ ଆତ୍ମନିର୍ଭର ହେବା ସହିତ ଜିଏସ୍ଟି ଆଦାୟ ଜନିତ ରାଜସ୍ୱ କ୍ଷତି ଭରଣା ପାଇଁ କେନ୍ଦ୍ର ଉପରେ ନିର୍ଭର ନ କରିବାର ଆବଶ୍ୟକତା ରହିଛି । ଏ ସମ୍ବନ୍ଧରେ ଜିଏସ୍ଟି କାଉନ୍ସିଲ୍ ପକ୍ଷରୁ ଗତ ବର୍ଷ ରାଜ୍ୟ ମନ୍ତ୍ରୀମାନଙ୍କର ଏକ କମିଟି ଗଠନ କରାଯାଇଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଏହାର ଅଧ୍ୟକ୍ଷତା କରିଥିଲେ । କର ହାରକୁ ଯୁକ୍ତିସଙ୍ଗତ କରିବା ଓ କର ଢାଞ୍ଚାରେ ଥିବା ବୈଷମ୍ୟ ଦୂର କରି ରାଜସ୍ୱ ବଢ଼ାଇବାର ଉପାୟ ବତାଇବା ଲାଗି ଉକ୍ତ କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ଆସନ୍ତା ମାସ ପୂର୍ବରୁ କମିଟି ତାଙ୍କ ସୁପାରିସକୁ ଚୂଡ଼ାନ୍ତ ରୂପ ଦେବା ଆଶା କରାଯାଉଛି । ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଆଗାମୀ ଜିଏସ୍ଟି କାଉନ୍ସିଲ୍ ବୈଠକରେ ଉକ୍ତ ରିପୋର୍ଟ ଉପସ୍ଥାପନ କରାଯବ ।
ଉଲ୍ଲେଖଯୋଗ୍ୟ ଯେ କାଉନ୍ସିଲ୍ ବୈଠକରେ କେନ୍ଦ୍ର ଓ ରାଜ୍ୟ ଅର୍ଥମନ୍ତ୍ରୀମାନେ ଅଂଶଗ୍ରହଣ କରିଥାଆନ୍ତି । ୨୦୧୭ରେ ଲାଗୁ ହୋଇଥିବା ଜିଏସ୍ଟି । ୨୦୨୨ ଜୁନ୍ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ଜିଏସ୍ଟି ଜନିତ କ୍ଷତିପୂରଣ ଅନୁଦାନ ଦେବା ଲାଗି କେନ୍ଦ୍ର ସରକାର ରାଜି ହୋଇଥିଲେ ।