ନାଚ-ଗୀତରେ ଝୁମିଲେ ପର୍ଯ୍ୟଟକ ଓ ଯୁବଗୋଷ୍ଠୀ

ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଶୁଭାରମ୍ଭ
ପୁରୀ (ବୁ୍ୟରୋ): ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ପୌର ସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ତହସିଲ୍ଦାର ରବିନ୍ଦ୍ର ପ୍ରଧାନ ପ୍ରମୁଖ ଏହାର ଶୁଭାରମ୍ଭ କରିଥିଲେ । ସକାଳ ୬ଟାରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଯୋଗ, ଉଭୟ ମହିଳା ଓ ପୁରୁଷ ବିଭାଗରେ ବିଚ୍ ଭଲିବଲ୍ ମ୍ୟାଚ୍, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ୍ ପ୍ରତିଯୋଗିତା, ୱାଟର ସ୍ପୋର୍ଟସ, ପିଲାମାନଙ୍କ ପାଇଁ ବାସ୍କେଟବଲ, ଆର୍ଚେରୀ ଭଳି ଫନ୍ ଗେମ୍, ମହିଳା ଓ ପୁରୁଷ ବିଭାଗରେ ଟଗ୍ ଅଫ୍ ୱାର (ଦୌଡ଼ି ଭିଡ଼ା) ଅନୁଷ୍ଠିତ ହୋଇଥିଲା ।
ପୁରୀର ଫେଟ୍ ଫାଇଟର୍ସ ପକ୍ଷରୁ ଚିତ୍ତାକର୍ଷକ ମଲଖମ୍ଭ ପ୍ରଦର୍ଶିତ ହୋଇଥିଲା । ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ସଂସ୍ଥା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଲାଇଫ୍ ଗାର୍ଡମାନଙ୍କ ଦ୍ୱାରା ସମୁଦ୍ରରୁ ଉଦ୍ଧାର କାର୍ଯ୍ୟର କଳାକୌଶଳ ପ୍ରଦର୍ଶନ କରାଯାଇଥିଲା । ଉପସ୍ଥିତ ଅଧିକାଂଶ ସେଲ୍ଫି ପଏଣ୍ଟର ମଜ୍ଜା ନେବା ସହ ମତାମତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ ।
ସମୁଦ୍ରକୂଳ ବ୍ୟବସାୟୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବେଳାଭୂମି ସଫେଇ ସହ ଏହାର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡ଼ି ପୌରସଂସ୍ଥା ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି । ସରକାରୀ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ବ୍ୟବସାୟୀ, ବୁଦ୍ଧିଜୀବୀ, ପୁରୀବାସୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ ପ୍ରତି ରବିବାର ବ୍ୟବଧାନରେ ସକାଳ ସାଢ଼େ ୫ରୁ ସାଢ଼େ ୮ଟା ଯାଏ ଏହି କାର୍ଯ୍ୟକ୍ରମ ଜାରି ରହିବ ।
ଏହି ଅବସରରେ ଆହ୍ୱାନ କରାଯାଇଥିବା ଫଟୋ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଥମ ହୋଇଥିବା ସନ୍ତୋଷ କୁମାର ସ୍ୱାଇଁଙ୍କୁ ୫ ହଜାର ଟଙ୍କା, ଦ୍ୱିତୀୟ ହୋଇଥିବା ଶାଶ୍ୱତ ରଞ୍ଜନ ସାହୁଙ୍କୁ ୩ ହଜାର ଏବଂ ସୋମନାଥ ବାରିକଙ୍କୁ ତୃତୀୟ ପୁରସ୍କାର ଭାବେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପରାମର୍ଶଦାତା ଜ୍ୟୋତିପ୍ରକାଶ ପ୍ରମୁଖ ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *