ନୂଆ ସାମ୍ମୁଖ୍ୟ ପାଇଁ ପ୍ରସ୍ତୁତି ଜୋର୍ଦାର
ମମତାଙ୍କ ମିଶନ୍ ୨ଠ୨୪
ନୂଆଦିଲ୍ଲୀ,୧୭/୪: ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା ପାଇଁ ଖୁବ୍ଶୀଘ୍ର ମୁମ୍ବାଇରେ ଅଣବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ଶିବସେନା ସାଂସଦ ସଞ୍ଜୟ ରାଉତ ରବିବାର ଏହି ସୂଚନା ଦେଇ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଦେଶର ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିବା ନିତାନ୍ତ ଜରୁରୀ ।
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାୱାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମମତାଙ୍କ ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ପରେ ମୁମ୍ବାଇ ସମ୍ମିଳନୀ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ବୈଠକରେ ବେକାରୀ, ମହଙ୍ଗା ପରିସ୍ଥିତି, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗୁଡ଼ିକର ଦୁରୂପଯୋଗ, ସାମ୍ପ୍ରଦାୟିକ କଳହ ସୃ୍ଷ୍ଟି ଉଦ୍ୟମ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ସଞ୍ଜୟ ରାଉତ କହିଛନ୍ତି, ରାମ ନବମୀ ଓ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପ୍ରାୟୋଜିତ, ଭୋଟରମାନଙ୍କ ଧ୍ରୁବୀକରଣ ଉଦେ୍ଦଶ୍ୟରେ ଏପରି କରାଯାଇଛି । ଏସବୁ ସେହି ରାଜ୍ୟରେ ହେଉଛି ଯେଉଁଠି ଆଗାମୀ କିଛି ମାସରେ ନିର୍ବାଚନ ହେବ ।
ଉଲ୍ଲେଖଯୋଗ୍ୟ ଯେ ୧୩ଟି ବିରୋଧୀ ଦଳର ନେତାମାନେ ଶନିବାର ସାମ୍ପ୍ରଦାୟିକ ହିଂସା ଉପରେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ସେମାନେ ଏକ ମିଳିତ ବିବୃତିରେ ସାମ୍ପ୍ରଦାୟିକ ହିଂସା ଉପରେ ପ୍ରଧାନମନ୍ତ୍ରୀଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଥିଲେ ।