ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ବିଜୁବାବୁଙ୍କୁ ମନେ ପକାଇଲେ
ଭୁବନେଶ୍ୱର (ବୁ୍ୟରୋ): ପ୍ରବାଦ ପୁରୁଷ, ମହାନ ସ୍ୱାଧୀନତା ସଂଗ୍ରାମୀ, ଝଡ଼ର ଇଗଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଭୁବନେଶ୍ୱର ଯୁବ ବିଜେଡି କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ପାଳିତ ହୋଇଥିଲା । ଦଳୀୟ ନେତା ଓ କର୍ମକର୍ତ୍ତା ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବିଜୁବାବୁଙ୍କ ସ୍ମୃତିକୁ ମନେ ପକାଇଥିଲେ ।
ମୁକୁଟ ବିହୀନ ସମ୍ରାଟ ବିଜୁ ବାବୁଙ୍କ ଦୁଃସାହସିକ କାର୍ଯ୍ୟ ଓ ଆଧୁନିକ ଓଡ଼ିଶା ଗଠନ ପାଇଁ ନେଇଥିବା ପଦକ୍ଷେପକୁ ଆମେ କିପରି ଆହୁରି ତ୍ୱରାନ୍ୱିତ କରିବା ତା’ଉପରେ ଦଳର ବରିଷ୍ଠ ନେତା ବିଧାୟକ ଦେବୀପ୍ରସାଦ ମିଶ୍ର ମତବ୍ୟକ୍ତ କରିଥିଲେ । ସେହିପରି ବିଜୁ ବାବୁଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ସମାଜ ଏକ ଆଧୁନିକ ଓଡ଼ିଶା ଗଠନରେ ମୁଖ୍ୟ ବିନ୍ଧାଣି ସାଜିବା ପାଇଁ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ବିଜୁ ବାବୁଙ୍କ ଚିନ୍ତା ଚେତନା ଯଦି ଭବିଷ୍ୟତର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିପାରିବ, ତାହା ହିଁ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅରୂପ ପଟ୍ଟନାୟକ, ଯୁବନେତା ରବି ସାମଲ, ସୁବାସ ଚନ୍ଦ୍ର ପାତ୍ର, ଦୁର୍ଗା ସାମନ୍ତରାୟ, ପ୍ରିୟଦର୍ଶୀ ମିଶ୍ର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୁପକାର, ସୁଲତା ଦେଓ, ଚିନ୍ମୟ ସାହୁଙ୍କ ସମେତ ସାଂଗଠନିକ ଜିଲ୍ଲାର ବରିଷ୍ଠ ପଦାଧିକାରୀ ସମସ୍ତ କର୍ପୋରେଟର ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ଅବସରରେ ବିଜୁ ବାବୁଙ୍କ ପାଇଁ ବିନ୍ଦୁସାଗର ଠାରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବିଜେଡି ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *