୧୩୮ ଡିଏଲ୍ ସ୍ଥଗିତ, ୨୧୬ ଡ୍ରାଇଭର ଗିରଫ
ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ ସମ୍ବନ୍ଧୀୟ ପ୍ରତିବନ୍ଧକ ହଟାଯିବା ପରେ “ମଦ୍ୟପାନ କରି ଡ୍ରାଇଭିଂ’ ମାମଲାରେ ଗୁରୁତର ଅବନତି ଘଟିଛି । ଏହା ଦେଖି ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ଲୋକମାନଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଛି । ମଦ୍ୟପ ଡ୍ରାଇଭିଂ ବିରୋଧରେ ରାଜ୍ୟସ୍ତରୀୟ ମିଳିତ ଡ୍ରାଇଭରେ ଶନିବାର ରାତିରେ ପ୍ରାୟ ୨୬୦୦ରୁ ଅଧିକ ଡ୍ରାଇଭର ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା କରିଥିଲେ । ନାଇଟ୍ ଲଙ୍ଗ୍ ଡ୍ରାଇଭିଂରେ ସମୁଦାୟ ୨୫୧ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ଚିହ୍ନଟ କରାଯାଇଥିଲା ।
ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିର ନିଦେ୍ର୍ଦଶନାମା ଅନୁଯାୟୀ ମୋଟ୍ ୧୩୮ ଡ୍ରାଇଭିଂ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି । ଅପରାଧୀଙ୍କ ୨୩୨ଟି ଗାଡିକୁ ଅଟକ ରଖାଯାଇଛି । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୧୬ ମଦ୍ୟପ ଡ୍ରାଇଭରଙ୍କୁ ପୁଲିସ୍ ଗିରଫ କରିଥିଲା । ମୋଟର ଯାନ ଅଧିନିୟମ ୧୯୮୮ର ସେପ୍ଟେମ୍ବର ୨୦୧୯ ସଂଶୋଧନରେ ଉଲ୍ଲେଖ କରାଯାଇଛି ଯେ ମଦ୍ୟପ ଡ୍ରାଇଭିଂ ମାମଲାରେ ପ୍ରଥମ ଥର ଅପରାଧୀମାନେ ଛଅ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ କିମ୍ବା ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭୋଗିବେ । ଦ୍ୱିତୀୟ ଅପରାଧ, ଯଦି ଦୁଇ ବର୍ଷ ମଧ୍ୟରେ ଘଟେ, ତେବେ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧୫,୦୦୦ ହଜାର ଟଙ୍କା ଜରିମାନା ଦଣ୍ଡ ସ୍ୱରୂପ ଭୋଗିବେ । ୨୦୨୦ ମସିହାରେ ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ଓଡିଶାରେ ୬୪୮ ଟି ସଡକ ଦୁର୍ଘଟଣା ଘଟିଥିଲା । ଏହି ଘଟଣାଗୁଡ଼ିକରେ ସମୁଦାୟ ୨୯୮ ଜଣ ପ୍ରାଣ ହରାଇଛନ୍ତି । କୋଭିଡ ମହାମାରୀ ସମୟରେ ଓଡିଶା ସରକାର ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ ରଖି ବନ୍ଦ ରଖିଥିଲେ, ଏବେ ନିୟମିତ ବ୍ୟବଧାନରେ ଏଭଳି ଡ୍ରାଇଭ କରିବାକୁ କାର୍ଯ୍ୟନିର୍ବାହୀ ସ୍କ୍ୱାଡ଼୍ଙ୍କୁ କୁହାଯାଇଛି ।