୫ ଶିଶୁ ସମେତ ୩୯ ମୃତ

ଆଫଗାନିସ୍ତାନରେ ପାକ୍ ଏୟାର୍ଷ୍ଟ୍ରାଇକ୍
କାବୁଲ୍,୧୬ା୪: ପଡୋଶୀ ଦେଶମାନଙ୍କ ପାଇଁ ପାକିସ୍ତାନ ସଦାସର୍ବଦା ମୁଣ୍ଡବ୍ୟଥାର କାରଣ ହୋଇଆସିଛି । ଆତଙ୍କବାଦୀ ପଠାଇ ଜମ୍ମୁ-କାଶ୍ମୀରରେ ଅସ୍ଥିରତା ସୃଷ୍ଟିରେ ବିଫଳ ହେବା ପରେ ପାକିସ୍ତାନ ଏବେ ଆଫଗାନିସ୍ତାନରେ ଉତ୍ପାତ ଆରମ୍ଭ କରିଦେଇଛି । ଆଫଗାନିସ୍ତାନର ଖୋସ୍ତ ଓ କୁନାର ପ୍ରଦେଶରେ ଆତଙ୍କବାଦୀଙ୍କୁ ନିପାତ କରିବା ବାହାନାରେ ପାକିସ୍ତାନୀ ବାୟୁ ସେନା ପକ୍ଷରୁ ବୋମା ମାଡ କରାଯିବା ଫଳରେ ୫ଜଣ ଶିଶୁ ଓ ଜଣେ ମହିଳା ସମେତ ୩୯ଜଣ ଆଫଗାନ୍ ନାଗରିକ ପ୍ରାଣ ହରାଇଛନ୍ତି ।
ଏହି ଦୁଇ ପ୍ରଦେଶର ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ୨୪ଟି ପାକିସ୍ତାନୀ ବିମାନ ଏୟାରଷ୍ଟ୍ରାଇକ୍ରେ ଭାଗ ନେଇଥିଲେ । ଦୁଇ ପ୍ରଦେଶର ବିଭିନ୍ନ ଇଲାକାରେ ବହୁବାର ବୋମାମାଡ କରାଯାଇଛି ।
ଆଫଗାନ ମିଡିଆ ରିପୋର୍ଟ ଅନୁଯାୟୀ ପାକ୍ ବିମାନଗୁଡିକ ଶୁକ୍ରବାର ରାତିରେ ମୁଖ୍ୟତଃ ପେସା ମିଲା ଓ ମୀର୍ ସଫର୍ ଇଲାକାକୁ ଟାର୍ଗେଟ୍ କରିଥିଲେ । ଏହାଛଡା ଖୋସ୍ତ ପ୍ରଦେଶର ସ୍ପେରା ଜିଲ୍ଲାରେ ଏୟାରଷ୍ଟ୍ରାଇକ୍ ହୋଇଛି । ସେଥିରେ ୨ଟି ପରିବାରର ୩୩ ସଦସ୍ୟଙ୍କ ମୃତୁ୍ୟ ହୋଇଛି । କୁନାର ପ୍ରଦେଶ ଅନ୍ତର୍ଗତ ଶାଲଟନ୍ ଜିଲ୍ଲାର ସ୍ଥାନୀୟ ବାସିନ୍ଦା କହିଛନ୍ତି ପାକ୍ ଏୟାର ଷ୍ଟ୍ରାଇକ୍ରେ ସେଠିକାର ୫ଜଣ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି ।
ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇ ନାହିଁ । ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ ଖୋସ୍ତ ଓ କୁନାର ପ୍ରଦେଶରେ ତହରିକ-ଏ-ତାଲିବାନ୍ ପାକିସ୍ତାନ (ଟିଟିପି)ର ପସ୍ତୁନ ଇସ୍ଲାମୀ ଆତଙ୍କୀମାନଙ୍କୁ ପାକ୍ ବାୟୁସେନା ଟାର୍ଗେଟ୍ କରିଥିଲା । ଅପରପକ୍ଷେ ଆଫଗାନିସ୍ତାନର ନିମରୋଜ ପ୍ରଦେଶର ସ୍ଥାନୀୟ ବାସିନ୍ଦା ଭିନ୍ନ ବୟାନ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଟିଟିପି ହେଉଛି ପସ୍ତୁନ ଇସ୍ଲାମୀ ଆତଙ୍କବାଦୀମାନଙ୍କର ଏକ ପ୍ରମୁଖ ଗୋଷ୍ଠୀ । ଏହି ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତର-ପଶ୍ଚିମ ଇଲାକା ଅନ୍ତର୍ଗତ ଉତ୍ତର ବଜିରିସ୍ତାନରେ ଆଡ୍ଡା ଜମାଇଛନ୍ତି । ସେମାନେ ୨୦୦୭ରୁ ବିଭିନ୍ନ ରୂପରେ ପାକିସ୍ତାନ ସହ ଲଢୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *