ଜଗତପୁରରେ ନାହିଁ ଯାତ୍ରୀ ବିଶ୍ରାମାଗାର
କଟକ-ଜଗତପୁର (ବୁ୍ୟରୋ): ଜଗତପୁର ଗୋଲେଇଛକ ମୁଖ୍ୟ ବଜାରରେ ବସ୍ଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମାଗାର ନଥିବାରୁ ପ୍ରତ୍ୟେକ ଦିନ ଶହଶହ ଯାତ୍ରୀ ଖରା, ବର୍ଷା, ଶୀତକାକରରେ ବସ୍କୁ ଅପେକ୍ଷା କରି ହନ୍ତସନ୍ତ ହେଉଛନ୍ତି । ୧୯୯୮ ମସିହାରେ ଜାତୀୟ ଓ ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ମୁଖ୍ୟ ବଜାରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ସେହି ସମୟରେ ଯାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ୨ ଗୋଟି ବିଶ୍ରାମାଗାରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା । ମାତ୍ର ରାଜପଥ ସମ୍ପ୍ରାସାରଣ କାର୍ଯ୍ୟକୁ ଇତିମଧ୍ୟରେ ୨୦ ବର୍ଷରୁ ଅଧିକ ସମୟ ବତିଯାଇଥିଲେ ବି ଅଦ୍ୟାବଧି ଜଗତପୁରରେ ବସଷ୍ଟାଣ୍ଡ ଓ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ହୋଇ ପାରୁନାହିଁ । ଯାହା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଯାତ୍ରୀମାନେ ହିନସ୍ତା ଭୋଗୁଥିବା କୁହାଯାଉଛି ।
କଟକ, ଭୁବନେଶ୍ୱର, ପୁରୀ, କେନ୍ଦ୍ରାପଡା, ଯାଜପୁର, ଅନୁଗୁଳୁ, ଭଦ୍ରକ, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନକୁ ବସ୍ଗୁଡିକ ଜଗତପୁର ଗୋଲେଇଛକ ଦେଇ ଦୈନିକ ଯାଆସ କରିଥାନ୍ତି । ଯାତ୍ରୀମାନେ ବସକୁ ଅପେକ୍ଷା କରିବା ସମୟରେ ଅସହ୍ୟ ତାତି ଯୋଗୁଁ ପାଶ୍ୱର୍ ଦୋକାନ ବାରଣ୍ଡା ଓ ଗଛ ଛାଇତଳେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ଦୋକାନୀମାନଙ୍କୁ ଅସୁବିଧା ହେବାରୁ ସେମାନେ ଯାତ୍ରୀଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରୁଛନ୍ତି । ତେବେ କଟକ ମହାନଗର ନିଗମ ପକ୍ଷରୁ ଗୋଲେଇଛକ ଉଭୟ ପାଶ୍ୱର୍ରେ ବିଜ୍ଞାପନ ଓ ସଚେତନତା ବାର୍ତ୍ତା ଦିଆଯିବା ଉଦେ୍ଦଶ୍ୟରେ ଦୁଇଗୋଟି ହୋର୍ଡିଂ ଲଗାଯାଇଛି । ସେଥିରେ ଯାତ୍ରୀମାନଙ୍କ ବସିବା ନିମନ୍ତେ ସୁବିଧା ଥିଲେ ବି ସ୍ୱଳ୍ପସ୍ଥାନ ରହିଛି । ଏପରିକି ଏହି ବସିବା ଷ୍ଟାଣ୍ଡଟି ଅଧିକ ଉଚ୍ଚତା ହୋଇଥିବାରୁ ମହିଳାମାନେ କୌଣସି ସୁବିଧା ପାଇପାରୁନାହାନ୍ତି । ଚୌଦ୍ୱାର, ଟାଙ୍ଗୀ ଓ ଛତିଆ ଆଦି ଅଞ୍ଚଳରୁ ଜଗତପୁର କଲେଜ ଆସୁଥିବା ଛାତ୍ରଛାତ୍ରୀ ବସକୁ ଅପେକ୍ଷା କରି ଘଣ୍ଟା ଘଣ୍ଟା କାଳ ଟାଣ ଖରାରେ ଛିଡାହେଉଥିବା ଦେଖିବାକୁ ମିଳୁଛି । ବିଶେଷକରି ବସରୁ ଓହ୍ଲାଉଥିବା ବହୁ ବୃଦ୍ଧ, ବୃଦ୍ଧା, ମହିଳା, ଗର୍ଭବତୀ, ଦିବ୍ୟାଙ୍ଗ ଓ ଛୋଟଛୋଟ ପିଲାମାନେ ମଧ୍ୟ ଅସହ୍ୟ ତାତିରେ ବସରେ ନିଜ ଅଞ୍ଚଳକୁ ଯିବାପାଇଁ ଅପେକ୍ଷା କରୁଛନ୍ତି । ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଜଗତପୁର ମୁଖ୍ୟ ବଜାରରେ ଅନୂନ୍ୟ ଦୁଇଗୋଟି ସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବାକୁ ଦାବି କରାଯାଉଛି ।