କ୍ଷତିପୂରଣ ଦାବିରେ ଧାରଣା
ଆଇଆର୍ଇ ପ୍ଲାଣ୍ଟରେ ମହିଳା ଶ୍ରମିକଙ୍କ ମୃତୁ୍ୟ
ଛତ୍ରପୁର (ଆପ୍ର): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆଇଆର୍ଇ ପ୍ଲାଣ୍ଟ ପରିସରରେ କାମ କରୁଥିବା ବେଳେ ଜଣେ ମହିଳା ଶ୍ରମିକଙ୍କ ମୃତୁ୍ୟ ଘଟିଛି । ସେ ହେଲେ ଛତ୍ରପୁର ନିକଟବର୍ତ୍ତୀ ମାଟିଖାଲ ଗ୍ରାମର ରମା ପ୍ରଧାନ(୩୪) । ପ୍ଲାଣ୍ଟ ପରିସରରେ ରବିବାର ଲୁହା ବୋହି ଆଣୁଥିବା ବେଳେ ହଠାତ୍ ଲୁହା ଖସି ପଡ଼ିବାରୁ ତାଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ରମାଙ୍କୁ ପ୍ଲାଣ୍ଟ କାମରେ ନିୟୋଜିତ କରାଯାଇଥିଲେ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତ ମହିଳା ଶ୍ରମିକଙ୍କ ଦୁଇଟି ଛୋଟ ପିଲା ଅଛନ୍ତି । ପୂର୍ବରୁ ସ୍ୱାମୀଙ୍କ ମୃତୁ୍ୟ ହୋଇଥିବା ବେଳେ ଏବେ ରମାଙ୍କ ମୃତୁ୍ୟ ଫଳରେ ଦୁଇ ଛୁଆ ଅନାଥ ହୋଇପଡ଼ିଛନ୍ତି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଆଇଆର୍ଇ ପ୍ଲାଣ୍ଟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ବାବୁଲି ପ୍ରଧାନ, ପଞ୍ଚାନନ ପ୍ରଧାନ, ସୁରେଶ ପ୍ରଧାନ, ଭାଗିରଥି ବେହେରା, ପି.ଧର୍ମା ରେଡ଼ି, ବାଦଲ ବେହେରା, ପୂର୍ବତନ ସମିତିସଭ୍ୟ ଭାଗୀରଥି ପ୍ରଧାନ, କଣମଣା ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଏନ୍. ୱାର୍ଦ୍ଧ ରାଜୁଲୁ ରେଡ଼ୀ ପ୍ରମୁଖ ସାମିଲ ହୋଇଛନ୍ତି ।