ମେ’୧ରୁ ନୂଆ ଶିକ୍ଷାବର୍ଷ

ଭୁବନେଶ୍ୱର,୧୬ା୪(ବୁ୍ୟରୋ): ଚଳିତବର୍ଷ ରାଜ୍ୟରେ ଖରାଛୁଟିକୁ ନେଇ ସରକାର ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଥମଥର ଲାଗି ଖରାଛୁଟି ଅବଧିକୁ ୧୧ଦିନକୁ ହ୍ରାସ କରାଯାଇଛି । ଆସନ୍ତା ଜୁନ ୬ରୁ ୧୬ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ମହାମାରୀ ସ୍ଥିତିର ସୁଧୁରିବା ପରେ ପାଠପଢା ସ୍ୱାଭାବିକ ହୋଇଛି । ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ନୂଆ ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ଏଣିକି ୧୦୦ ପ୍ରତିଶତ ସିଲାବସ୍ରେ ପାଠପଢା ପୂର୍ବରୁ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ପ୍ରତିସତ ସିଲାବସ୍ ହ୍ରାସ ଯାଇଥିଲା । କିନ୍ତୁ ନୂତନ ଶିକ୍ଷାବର୍ଷରେ ଶତ ପ୍ରତିଶତ ସିଲବାସରେ ପାଠପଢା ଯିବ । ସେହିପରି ଖରାଛୁଟି ପରେ ଛାତ୍ରଛାତ୍ରୀଙ୍କ ବ୍ରିଜ୍ କୋର୍ସ ଆରମ୍ଭ ହେବ । ଗତ ଦୁଇବର୍ଷରେ ସେମାନେ ଯାହା ହରାଇଛନ୍ତି ସେସବୁକୁ ଏହି ବ୍ରିଜ୍ କୋର୍ସ ମାଧ୍ୟମରେ ପୂରଣ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । କରୋନା ପାଇଁ ଦୁଇବର୍ଷ ହେବ ପିଲାଙ୍କ ପାଠପଢ଼ାରେ ଗଭୀର ପ୍ରଭାବ ପଡ଼ିଛି । ପୂରାପୂରି ଦୁଇଟି ଶିକ୍ଷାବର୍ଷ ପିଲାଙ୍କର ସମସ୍ୟା ସୃଷ୍ଟି କରିଛି । ୧୧ ଦିନର ଗ୍ରୀଷ୍ମ ଛୁଟି ମଧ୍ୟରେ ଶିକ୍ଷକମାନଙ୍କୁ ବ୍ରିଜ୍ କୋର୍ସ ଉପରେ ପ୍ରଶିକ୍ଷଣ ଦିଆଯିବ । ଗ୍ରୀଷ୍ମ ଛୁଟି ପରେ ବ୍ରିଜ୍ କୋର୍ସ ଆରମ୍ଭ ହେବ । ଏହାଦ୍ୱାରା ପିଲାମାନେ ହରାଇଥିବା ଶିକ୍ଷାକୁ ପୂରଣ କରାଯାଇପାରିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସ୍କୁଲ୍ର ଖରାଛୁଟି ଦେଢ଼ ମାସରୁ ଊର୍ଦ୍ଧ୍ୱ ଦିନ ଧରି ହେଉଥିବା ବେଳେ ଏଥର ମାତ୍ର ୧୧ ଦିନରେ ଏହାକୁ ସୀମିତ ରଖାଯାଇଛି । ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକୁ ଖରାଛୁଟି ହେବ । କୋଭିଡ୍-୧୯ ଯୋଗୁ ଗତ ୨ ବର୍ଷ ହେବ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା । ସେଥିପାଇଁ ଏଥର ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି । ଏହା ସହିତ ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଅବ୍ୟାହତ ରହିବ । ତେବେ ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ କରାଯାଇଛି, ଯାହା ମେ’ ପହିଲାରୁ ଲାଗୁ ହେବ । ମେ’ ୧ ତାରିଖରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ । ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଏହି ସମୟରେ ସ୍କୁଲ୍ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଉପଯୁକ୍ତ ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯିବ ବୋଲି କୁହାଯାଇଛି । ସ୍ୱ ପୃଷ୍ଠା: ୫
ମେ’ ୧ରୁ…
ସେହିପରି ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରମୋସନ କରାଯିବ । ହେଲେ ଏଥିନିମନ୍ତେ ପରୀକ୍ଷା କରାଯିବ ନା ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କ୍ଲାସ ପ୍ରମୋସନ ମିଳିବ, ସେ ନେଇ ବିଭାଗ ପକ୍ଷରୁ ଜାରି ନିଦେ୍ର୍ଦଶରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଏହାବାଦ୍ ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନୂଆ ନାମଲେଖା ଓ ପୁନଃ ନାମଲେଖା ପ୍ରକ୍ରିୟା ସାରିବାକୁ ସ୍କୁଲଗୁଡ଼ିକୁ ନିଦେ୍ର୍ଦଶ ଦିଆଯାଇଛି । ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)ର ନୂଆ ମୂଲ୍ୟାୟନ ନୀତି ଅନୁସାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସମେଟିଭ ଆସେସମେଣ୍ଟ-୨ ପରୀକ୍ଷା ଦେବେ ବୋଲି ନିଦେ୍ର୍ଦଶ ଦିଆଯାଇଛି । ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଓ ଫଳାଫଳ ଘୋଷଣା ସହ ଦଶମ ଶ୍ରେଣୀକୁ ଉନ୍ନୀତ କରିବା ପ୍ରକ୍ରିୟା ମେ’ ୧୦ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *