ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ
ଭୁବନେଶ୍ୱର (ବୁ୍ୟରୋ): ସରକାରୀ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ଦୁଇ ଘଣ୍ଟା ଧରି ଘେରାଉ କରି ରଖାଯାଇଥିଲା । ଏଥିସହ ମନ୍ତ୍ରୀଙ୍କ ବାସଭବନକୁ ଛାତ୍ର କଂଗ୍ରେସ କର୍ମୀମାନେ ଟମାଟୋ ମାଡ଼ କରିଥିବା ଦେଖିବାକୁ ମିଳିଥିଲା ।
ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ଓଡ଼ିଶାର ଛାତ୍ରମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦୁଇଟି ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି । ଓଡ଼ିଶାର ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀଙ୍କୁ ସରକାର ସାବତପୁଅ ଦୃଷ୍ଟିରେ ଦେଖୁଛନ୍ତି । ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ୨୦୨୨-୨୩ ଶିକ୍ଷା ବର୍ଷରୁ ସେଲ୍ଫ ଫାଇନାସିଂ କୋର୍ସର ସିଟି ସଂଖ୍ୟାକୁ ହ୍ରାସ କରାଯାଇ ସମୁଦାୟ ସିଟ୍ର ମାତ୍ର ୨୦ ପ୍ରତିଶତ ରଖାଯାଇଛି । ସରକାର ଏ ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ଏବଂ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଥିବା ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ର କଂଗ୍ରେସ ଦାବି କରିଛି । ସେହିପରି ସାରା ଓଡ଼ିଶାର ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ମାନଙ୍କରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ ଜରିଆରେ ବ୍ୟାପକ ଆଡମିଶନ ଚାଲିଛି । ଏହାର ତଦନ୍ତ ଭାର ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ଦିଆନଯାଉ । ଏହି ର୍ୟାକେଟକୁ ଧରିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ଏବଂ ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି ଦାବି କରାଯାଇଛି । କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, କିରଣ ସାହୁ, ନିହାର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *