ମୋଦି ଚୁପ୍ କାହିଁକି?

ଦେଶରେ ବଢ଼ୁଛି ସାମ୍ପ୍ରଦାୟିକ ହିଂସା, ଘୃଣା ମନ୍ତବ୍ୟ
ପ୍ରଶ୍ନ ଉଠାଇଲେ ୧୩ ବିରୋଧୀ ଦଳ
ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ସମ୍ପ୍ରତି ସାମ୍ପ୍ରଦାୟିକ ହିଂସାକାଣ୍ଡ, ଧର୍ମ, ଜାତି ଆଳରେ ଘୃଣା ମନ୍ତବ୍ୟ ଦିଆଯିବା ଭଳି ଘଟଣା ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଦେଶବ୍ୟାପୀ ଏବେ ଏକ ଅସୂୟା ମନୋଭାବ, ଭୟର ବାତାବରଣ, ଅପ୍ରୀତିକର ପରିସ୍ଥିତି ତଥା ଉତ୍ତେଜନା ପୂର୍ଣ୍ଣ ମାହୋଲ ଦେଖିବାକୁ ମିଳୁଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ପର୍ଯ୍ୟନ୍ତ ଏସମ୍ପର୍କରେ ମୁହଁ ନଖୋଲିବା ବା ଚୁପ୍ ରହିବାକୁ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ କରାଯିବା ଆରମ୍ଭ ହୋଇଯାଇଛି । ପ୍ରାପ୍ତ ସୂଚନାନୁସାରେ ଦେଶରେ ବଢ଼ୁଥିବା ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍ ରହିବାକୁ ନେଇ ଶନିବାର କଂଗ୍ରେସ ସମେତ ପ୍ରାୟ ୧୩ ବିରୋଧୀ ଦଳ ଏକଜୁଟ୍ ହୋଇ ଆଲୋଚନା ବୈଠକ କରିଥିବା ସୂଚନା ମିଳିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନ୍ସିପି ସୁପି୍ରମୋ ଶରଦ ପାୱାର, ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ନେତା ଏମ୍କେ ଷ୍ଟାଲିନ୍, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ମୁଖ୍ୟ ହେମନ୍ତ ସୋରେନ୍, ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଏବଂ ନ୍ୟାସନାଲ କନ୍ଫରେନ୍ସ ପ୍ରମୁଖ ଫାରୁକ୍ ଅବଦ୍ଦୁଲ୍ଲା, ସିପିଏମ୍ ସାଧାରଣ ସଚିବ ସୀତାରାମ ୟେଚୁରୀ, ସିପିଆଇ ନେତା ଡି ରାଜା ପ୍ରମୁଖଙ୍କ ସମେତ ମୋଟ୍ ୧୩ ବିରୋଧୀ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ ।
ବିରୋଧୀ ନେତାମାନେ ସମ୍ପ୍ରତି ସୋସିଆଲ ମିଡିଆର ଅପବ୍ୟବହାର ହେଉଥିବା ନେଇ ଗୁରୁତ୍ୱାରୋପ କରିଥିଲେ । ଦେଶରେ ଏବେ ସାମ୍ପ୍ରଦାୟିକ ସଦ୍ଭାବକୁ କ୍ଷତି ପହଞ୍ଚାଇବା ପାଇଁ, ବିଦ୍ୱେଷପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆ ଏବଂ ଅଡିଓ ଭିଜୁଆଲ୍ ପ୍ଲାଟ୍ଫର୍ମର ଅପବ୍ୟବହାର କରାଯାଉଥିବା ନେତାମାନେ କହିଥିଲେ । ସେମାନଙ୍କ ଯୁକ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାର ଦେଶରେ ଘଟୁଥିବା ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ନିରବ ରହିବା ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏଭଳି ମାମଲାରେ ଚୁପ୍ ରହିବା ଅର୍ଥ ସାମ୍ପ୍ରଦାୟିକ ବିଦ୍ୱେଷକୁ ପ୍ରୋତ୍ସାହିତ କରିବା ଭଳି ପ୍ରତୀତ ହେଉଥିବା ବେଳେ ଏସବୁ ପଛରେ ସରକାରୀ ପୃଷ୍ଠପୋଷକତା ରହିଥିବା ସନେ୍ଦହ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ୧୩ ଦଳର ନେତାମାନେ ଏକ ମିଳିତ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ଏଥିରେ ସେମାନେ ସେମାନଙ୍କ ଶାଖା କାର୍ଯ୍ୟାଳୟ ତଥା କର୍ମୀମାନଙ୍କୁ ଦେଶରେ ସଦ୍ଭାବ ବଜାୟ ରଖିବା ପାଇଁ ସ୍ୱାଧୀନ ଭାବେ କିନ୍ତୁ ଏକଜୁଟ୍ ହୋଇ କାମ କରିବାକୁ ନିଦେ୍ର୍ଦଶ ଦେବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।
ପ୍ରକାଶ, ‘ପୋଲାରାଇଜେସନ୍ ରାଜନୀତି’ ଶୀର୍ଷକ ଦୈନିକ ସମ୍ବାଦପତ୍ର ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ସୋନିଆଙ୍କ ଲିଖିତ ଏକ ଆର୍ଟିକିଲ୍ ପ୍ରକାଶ ପାଇବାର ଦିନକ ପରେ ବିରୋଧୀ ଦଳଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *