ୱାନ୍-ୱେ ନ ହେବାରୁ ସମସ୍ୟା
ପୁରୀ (ବୁ୍ୟରୋ): ନବକଳେବର ରୋଡ୍ ଏବେ ପାଲଟିଛି ମରଣଯନ୍ତା । ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ଥ ହୋଇପଡ଼ିଛି । ଏହାର କାରଣ ହେଉଛି ଯେଉଁ ବାଟେ ବସ୍, ଟ୍ରକ୍ ଯାଉଛି ଠିକ୍ ସେହିବାଟେ ଆସୁଛି । ୱାନ୍-ୱେ ବ୍ୟବସ୍ଥା କରାଯାଉ ନାହିଁ । ଯାହାର ଫଳସ୍ୱରୂପ ଏହିପରି ଅବସ୍ଥା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ପ୍ରତିଦିନ କଟକ, ଭୁବନେଶ୍ୱର, ସାତପଡ଼ା, ବ୍ରହ୍ମଗିରି, ପିପିଲି ସମେତ ପୁରୀ ଜିଲ୍ଲାର ବିଭିନ୍ନ ପୁରପଲ୍ଲୀକୁ ଶହ ଶହ ବସ୍ ଯିବା ଆସିବା କରୁଛି । ଏହାସହ ଅନ୍ୟାନ୍ୟ ଗାଡ଼ିମୋଟର ମଧ୍ୟ ଯିବା ଆସିବା କରୁଛି । ହେଲେ ଏହି ରାସ୍ତାକୁ ୱାନ୍-ୱେ କରାଯାଉ ନାହିଁ । ଫଳରେ ଗାଡ଼ିମୋଟର ଯିବା ଆସିବା କରିବା ବେଳେ ଦୁର୍ଘଟଣା ଘଟୁଛି । ଏପରିକି ଲୋକେ ମୃତାହତ ମଧ୍ୟ ହେଉଛନ୍ତି । ହେଲେ ପୁଲିସ କି ପ୍ରଶାସନ କେହି ଚେତୁ ନାହାନ୍ତି । କ’ଣ ପାଇଁ ୱାନ୍-ୱେ ଟ୍ରାଫିକ ବ୍ୟବସ୍ଥା କରାଯାଉ ନାହିଁ ତାହା ବୁଝାପଡୁ ନାହିଁ ।
ଅନ୍ୟପକ୍ଷରେ ପୂର୍ବରୁ ଗାଡ଼ିମୋଟର ସଂଖ୍ୟା କମ୍ ଥିଲା । ଟ୍ରାଫିକ୍ ସମସ୍ୟା ଏତେ ନ ଥିଲା । ହେଲେ ଗତ ୫ ବର୍ଷ ହେବ ଗାଡ଼ିମୋଟର ସଂଖ୍ୟା ବହୁଗୁଣିତ ହୋଇଛି । ଯାହାକି ଏପରି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ବିଗତ ଦିନରେ ଏକ ବସ୍ ଜଣେ ମହିଳାଙ୍କ ହାତ ଉପରେ ଚଢ଼ି ଯାଇଥିଲା । ମହିଳା ଜଣକ ସବୁଦିନ ପାଇଁ ହାତ ହରାଇଲେ । ଏହା ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଘରେ ବସ୍ ପଶି ଜଣେ ବୃଦ୍ଧାଙ୍କ ମୃତୁ୍ୟ ଘଟିଥିଲା । ତତ୍ସହିତ ଅନେକ ଘଟଣା ମଧ୍ୟ ଘଟିବାରେ ଲାଗିଛି । ହେଲେ ପ୍ରଶାସନ ଚେତୁନି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଦାବି କରିଥିଲେ ୱାନ୍-ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଉ । କିଛି ଦିନ ପାଇଁ ପ୍ରଶାସନ ପକ୍ଷରୁ ୱାନ୍-ୱେ ବ୍ୟବସ୍ଥା କରାଗଲା । ପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥାକୁ ଚାଲି ଆସିଲା । ତେଣୁ ଏବେ ସେହି ସମସ୍ୟା ଲାଗି ରହିଛି । ବିଶେଷ କରି ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବୁଦ୍ଧିଜୀବୀ ଦିଲ୍ଲୀପ କୁମାର ବରାଳ କୁହନ୍ତି ଜଣେ ମହିଳା ହାତ ହରାଇବା ପରେ ପ୍ରଶାସନ ଚେତି ଯିବା କଥା । ହେଲେ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁ ଲୋକେ ହଇରାଣ ହରକତ ହେଉଛନ୍ତି । ଏପରିକି ଲୋକେ ଅଙ୍ଗ ହରାଇବା ପରେ ମଧ୍ୟ ପ୍ରଶାସନ କିଛି ଶିଖୁ ନାହିଁ । ତେଣୁ ଏନେଇ ଜନ ଜାଗରଣର ଆବଶ୍ୟକତା ରହିଛି । ଲୋକେ ଜାଗ୍ରତ ହେଲେ ପ୍ରଶାସନ ବାଧ୍ୟ ହେବ ଏହି ରାସ୍ତାରେ ୱାନ୍-ୱେ ଟ୍ରାଫିକ୍ ବ୍ୟବସ୍ଥା କରିବା ପାଇଁ । ସେହିପରି ସ୍କୁଲ୍ ଓ କଲେଜ ପିଲାଙ୍କ ଜୀବନ ଅତ୍ୟନ୍ତ ମୂଲ୍ୟବାନ । ସେମାନେ ବିପଦରେ ଯିବା ଆସିବା କରୁଛନ୍ତି । କାରଣ ଦୁଇଟି ବସ୍ ଏକ ସମୟରେ ଅତିକ୍ରମ କରିବା ବେଳେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି । ସେହିପରି ପଥଚାରୀ ଓ ବରିଷ୍ଠ ନାଗରିକମାନେ ମଧ୍ୟ ଅନୁରୂପ ଅବସ୍ଥା ଭୋଗିବେ । ତେଣୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ୱାନ୍-ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି ।
ଆଇନ୍ଜୀବୀ ପ୍ରସନ୍ନ କୁମାର ଦାସ କୁହନ୍ତି ଏହି ରାସ୍ତାରେ ବସ୍କୁ ଛଡ଼ାଯାଉ ଅବା ଆସିବା ପାଇଁ ଅନୁମତି ଦିଆଯାଉ, ଯାହା ହେଲେ ଗୋଟିଏ କାର୍ଯ୍ୟ ହେଉ । କିନ୍ତୁ ଦୁଇଟି କାର୍ଯ୍ୟ ହେବା ଫଳରେ ଭୟାନକ ପରିସ୍ଥିତି ସୃଷ୍ଟି ହେଉଛି । ଯାହାକୁ ସମ୍ଭାଳିବା କଷ୍ଟକର ବ୍ୟାପାର ହୋଇପଡୁଛି । ପ୍ରଶାସନ ଯଦି ଏବେଠାରୁ ସତର୍କତା ପଦକ୍ଷେପ ଅବଲମ୍ବନ ନ କରିବ ତାହା ହେଲେ ଆଗାମୀ ଦିନରେ ନେଡ଼ି ଗୁଡ଼ କହୁଣିକୁ ବୋହିଯିବ । ସେତେବେଳକୁ ସବୁ ସରିଯିବ । ଲୋକେ ବହୁ ସଂଖ୍ୟାରେ ମୃତାହତ ହେବା ସାର୍ ହେବ ।