କାଳବୈଶାଖୀ: ତାତିରୁ ସାମାନ୍ୟ ଆଶ୍ୱସ୍ତି
ଭୁବନେଶ୍ୱର,୧୬ା୪(ବୁ୍ୟରୋ): ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଯୋଗୁ ତାତିରୁ ସାମାନ୍ୟ ତ୍ରାହି ମିଳିଛି । ଶନିବାର ଦାରିଙ୍ଗବାଡିରେ ସର୍ବାଧିକ ୧୬.୫ ମିମି ବର୍ଷା ହୋଇଥିବା ବଲାଙ୍ଗିରରେ ସର୍ବନିମ୍ନ ୧.୫ ମିମି ବର୍ଷା ହୋଇଛି । ସେହିପରି ନଳାନ୍ଦାରେ ୭ମିମି, ଆସିକାରେ ୫.୬ ମିମି ବର୍ଷା ରେକର୍ଡ କରାଯାଇଛି । ଶନିବାର ୧୫ଟି ସହରରେ ତାପମାତ୍ରା ୪୦ଂ ଉପରେ ରହିଛି । ତେବେ ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ପାରଦ ସାମାନ୍ୟ ତଳକୁ ଖସିଛି । ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବହୁ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର କହିବା ଅନୁଯାୟୀ, ସୋନପୁରରେ ସର୍ବାଧିକ ତାପମାତ୍ରା ୪୩.୫ଂ ସେଲ୍ସିୟସ ରେକର୍ଡ କରାଯାଇଥିବାବେଳେ ବୌଦ୍ଧରେ ୪୨, ବଲାଙ୍ଗିରରେ ୪୩, ଅନୁଗୁଳରେ ୪୨.୭, ଝାରସୁଗୁଡାରେ ୪୨.୬, ସୁନ୍ଦରଗଡରେ ୪୨.୫, ସମ୍ଭଲପୁରରେ ୪୨.୨, ବାରିପଦାରେ ୪୧.୮, ଟିିଟିଲାଗଡରେ ୪୧.୫, ଭବାନୀପାଟଣାରେ ୪୧.୨, ତାଳଚେରରେ ୪୦.୪, କେନ୍ଦୁଝରରେ ୪୦.୧, ହୀରାକୁଦରେ ୪୦.୩, ନୟାଗଡରେ ୪୦, କଟକରେ ୩୮ ଓ ଭୁବନେଶ୍ୱରରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରବିବାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ଓ ବାଲେଶ୍ୱର ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।