ନରେନ୍ଦ୍ରରୁ କଢ଼ାଗଲା ୫ ଡଙ୍ଗା
ମେ’୩ରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା
ପୁରୀ (ବୁ୍ୟରୋ): ଆସନ୍ତା ୩ରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ଏହି ଯାତ୍ରା ୪୨ ଦିନ ଧରି ଚାଲିବ । ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ତେଣୁ ଠାକୁରଙ୍କର ନନ୍ଦା ଓ ଭଦ୍ରା ଚାପ ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପରମ୍ପରା ମୁତାବକ ଚୈତ୍ୟ ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ରଖାଯାଇଥିବା ୫ ଡଙ୍ଗାକୁ ଶ୍ରୀମନ୍ଦିରର ଭୋଇ ସେବକମାନେ ଶନିବାର ଉପରକୁ କାଢ଼ିଛନ୍ତି । ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଭୋଇ ସେବକ ୪ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରି ଡଙ୍ଗାଗୁଡ଼ିକୁ ପାଣି ଭିତରୁ ବାହାର କରିଛନ୍ତି ।
ଏ ସମ୍ପର୍କରେ ସର୍ଦ୍ଦାର ରବି ଭୋଇ କୁହନ୍ତି, ଚନ୍ଦନ ଯାତ୍ରା ଶେଷ ହେବା ପରେ ଚାପଗୁଡ଼ିକୁ ଖୋଲି ୪ଟି ଡଙ୍ଗାକୁ ଅଲଗା କରାଯାଏ । ଚନ୍ଦନ ଯାତ୍ରାରେ ସାମିଲ ୫ଟି ଡଙ୍ଗାକୁ ନରେନ୍ଦ୍ରରେ ବୁଡ଼ାଇ ରଖାଯାଏ । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଚୈତ୍ୟ ପୂର୍ଣ୍ଣିମା ଦିନ ଡଙ୍ଗାଗୁଡ଼ିକୁ ବାହାର କରୁ । ସେଗୁଡ଼ିକୁ ଆଣି ନରେନ୍ଦ୍ର କଡ଼ରେ ରଖାଯାଏ । ଶୁଖିବା ପରେ ସେଥିରେ ଆବଶ୍ୟକ ମରାମତି ସହ ରଙ୍ଗ ଦିଆଯାଏ ।
ଶ୍ରୀମନ୍ଦିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କୁହନ୍ତି, ଚନ୍ଦନ ଯାତ୍ରାର ୪/୫ ଦିନ ପୂର୍ବରୁ ଚାପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ବିଶ୍ୱକର୍ମାମାନେ ଚାପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ବିଶ୍ୱକର୍ମାମାନେ ଚାପ ନିର୍ମାଣ କରନ୍ତି । ଦୁଇଟି ଡଙ୍ଗାକୁ ନେଇ ଗୋଟିଏ ଚାପ ପ୍ରସ୍ତୁତ ହୁଏ । ଦୁଇ ଚାପ ନନ୍ଦା ଓ ଭଦ୍ରା ଆଗରେ ବୈଜୟନ୍ତୀ ଡଙ୍ଗା ରହିଥାଏ । ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଅବସ୍ଥାନ କରନ୍ତି ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚ ମହାଦେବ ବିଜେ କରି ଚାପ ଖେଳିଥାନ୍ତି । ବୈଜୟନ୍ତୀରେ ତେଲିଙ୍ଗି ବାଜା ବଜା ଯାଇଥାଏ ।