ନଷ୍ଟ ହେଉଛି କଂକ୍ରିଟ୍ ରାସ୍ତା
ପାଇପ ଲାଇନ୍ ସଂଯୋଗ ପାଇଁ ଚାଲିଛି ରାସ୍ତା ଖୋଳା
ଆସିକା(ଆପ୍ର): ଆସିକା ସହରାଞ୍ଚଳ ପରିସରଭୁକ୍ତ ୧୮ଟି ୱାର୍ଡର ବିଭିନ୍ନ ରାସ୍ତାଘାଟର ମରାମତି ପାଇଁ ଏନଏସି ପକ୍ଷରୁ ଅତୀତରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ସାହି ବସ୍ତି ଗୁଡିକରେ ସିମେଣ୍ଟ କଂକି୍ରଟ୍ ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ବିଗତ କିଛି ଦିନ ହେଲା କେତେକ ସାହି ବସ୍ତିରେ ଘରୋଇ ପାଇପ ଲାଇନ ସଂଯୋଗ ପାଇଁ ରାସ୍ତା ଗୁଡିକୁ ଖୋଳା ଯାଉଥିବା ଯୋଗୁଁ ଗୋଟିଏ ପଟେ ରାସ୍ତା ଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ରାସ୍ତା ଗୁଡିକରେ ଖାଲଖମା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।
ପାଇପଲାଇନ୍ ସଂଯୋଗ ପାଇଁ ଅବାଧରେ ଡ୍ରିଲ୍ ମେସିନ୍ ସହାୟତାରେ ରାସ୍ତା ଖୋଳା ଯାଉଥିବା ଯୋଗୁଁ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଇବା ସାଙ୍ଗକୁ ଲକ୍ଷଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ରାସ୍ତାରେ ଗଭୀର ଗର୍ତ୍ତ ସୃଷ୍ଟି ହେଉଥିଲେ ମଧ୍ୟ ସମସ୍ୟାକୁ ସମାଧାନ କରିବା ଦିଗରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଜନସ୍ୱାସ୍ଥ୍ୟ ବିଭାଗର ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଘରୋଇ ପାଇପ୍ଲାଇନ୍ ସଂଯୋଗ ପାଇଁ ଏନଏସି ଠାରୁ କୌଣସି ଅନୁମତି ନ ନେଇ ରାସ୍ତାଖୋଳା ଯାଉଥିବା ଯୋଗୁଁ ପ୍ରମୁଖ ରାସ୍ତା ଗୁଡିକ ମରଣଯନ୍ତା ପାଲଟିଥିବା ବେଳେ ସହରବାସୀ ଯାତାୟତ୍ରରେ ବହୁ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହେଉଛି । ପ୍ରାୟ ସାଢେ ୩ବର୍ଷ ଧରି ପ୍ରଶାସନ ହାତରେ ଥିବା ଆସିକା ଏନ୍ଏସିର ପରିଚାଳନା ଭାର ଲୋକ ପ୍ରତିନିଧିଙ୍କ ହାତକୁ ଆସି ସାରିଛି । ଆସିକା ସହରବାସୀ ବହୁ ଆଶା ଓ ବିଶ୍ୱାସ ରଖି ଜନ ପ୍ରତିନିଧି ମାନଙ୍କୁ ନିର୍ବାଚିତ କରାଇଛନ୍ତି । ତେବେ ଏନଏସି ପରିସରଭୁକ୍ତ ଅଞ୍ଚଳର ରାସ୍ତାଘାଟ ଅବସ୍ଥାର ପରିବର୍ତ୍ତନ ଏବେ ମୁଖ୍ୟ ପ୍ରସଙ୍ଗ ଭାବେ ମୁଣ୍ଡ ଟେକିଛି । ଏନଏସି ପରିସର ଭୁକ୍ତ ଅଧିକାଂଶ ୱାର୍ଡର ରାସ୍ତା ଘାଟ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଆସିଯାଇଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନଦେଇ ଆସିକା ସହରାଞ୍ଚଳରେ ଘରୋଇ ପାଇପଲାଇନ୍ ସଂଯୋଗ ପାଇଁ ଚାଲିଥିବା ରାସ୍ତାଖୋଳା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବି ହେଉଛି । ଇତିମଧ୍ୟରେ ଘରକୁ ପାନୀୟ ଜଳ ସଂଯୋଗ ପାଇଁ ଆସିକା ଏନ୍ଏସିର ସାହିବସ୍ତି ଗୁଡିକରେ ଖୋଳା ଯାଇଥିବା ରାସ୍ତା ଗୁଡିକର ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ବିଭାଗୀୟ ଅଧିକାରୀଙ୍କୁ ଆଜି ଚିଠି ଲେଖିଥିବା ଜଣାପଡିଛି ।