ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର,୧୫ା୪(ବୁ୍ୟରୋ): ଅସହ୍ୟ ତାତିରେ ଲାଗିବନି ବ୍ରେକ୍ । ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ ଠାରୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ ଓଡ଼ିଶା ପ୍ରଚଣ୍ଡ ରୌଦ୍ରତାପରେ ସିଝୁଥିବାବେଳେ ଆଭ୍ୟନ୍ତରୀଣରେ ଦିନର ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସାରା ରାଜ୍ୟରେ ଭୀଷଣ ତାତି ଜାରି ରହିଛି । ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଆଭ୍ୟନ୍ତରୀଣରୁ ପଶ୍ଚିମ ଯାଏ ସବୁଠି ପାରଦ ଉପରମୁହାଁ । ଉପକୂଳର ୨ରୁ ୩ଟି ଜିଲ୍ଲାକୁ ଛାଡ଼ିଲେ ବାକି ସବୁ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୦ଂ ପାର୍ କରିଛି । ତେବେ ଶୁକ୍ରବାର ୩ ସହରର ତାପମାତ୍ରା ୪୩ଂ ଟପିଛି । ବଲାଙ୍ଗିର, ସୋନପୁର ଓ ବାରିପଦାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ଏଭଳି ତାପମାତ୍ରା ଆସନ୍ତା ୫ଦିନ ପର୍ଯ୍ୟନ୍ତ ଜାରି ରହିବ ।
ପାଣିପାଗ ବିଭାଗର କହିବା ଅନୁଯାୟୀ, ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୩.୪ଂ ରହିଥିବା ବେଳେ ସୋନପୁରରେ ୪୩.୨ଂ ଓ ବଲାଙ୍ଗିରରେ ୪୩ଂ ରହିଛି । ଏହି ତିନି ସହରରେ ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଝାଞ୍ଜି ମାଡ଼ । ରାତିତମାମ ମଧ୍ୟ ଗରମ ପବନ ଯୋଗୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ କରିପକାଉଛି । କେବଳ ଏହି ତିନି ସହର ନୁହେଁ, ଆଭ୍ୟନ୍ତରୀଣ ଅଞ୍ଚଳର ୨୦ରୁ ଊଦ୍ଧ୍ୱର୍ ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି । ତେବେ କାଳବୈଶାଖୀ ବର୍ଷା ଯୋଗୁ କିଛି ଜିଲ୍ଲାର ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ୪୦ଂ ଉପରେ ରହିଛି । ସେହିପରି ଅନୁଗୁଳ ଜିଲ୍ଲାରେ ୪୨.୯ଂ, ସୁନ୍ଦରଗଡ଼ ୪୨ଂ, ବୌଦ୍ଧ ୪୨.୫ଂ, ଟିଟିଲାଗଡ଼ ୪୧.୮ଂ, ତାଳଚେର ୪୧.୬ଂ, ସମ୍ବଲପୁରରେ ୪୧.୮ଂ, ଝାରସୁଗୁଡ଼ା ୪୨.୭ଂ, ପାରଳାଖେମୁଣ୍ଡି ୪୧ଂ, ଭବାନୀପାଟଣା ୪୦.୮ଂ, ହୀରାକୁଦ ୪୦.୬ଂ, ମାଲକାନାଗିରି ୪୦ଂ, ବାଲେଶ୍ୱର ୩୯.୪ଂ, ଚାନ୍ଦବାଲି ୩୯.୩ଂ, କଟକ ଏବଂ ଫୁଲବାଣୀରେ ୩୯ଂ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିଭଳି ଭୁବନେଶ୍ୱରରେ ମଧ୍ୟ ଶୁକ୍ରବାର ତାପମାତ୍ରା ୧ଂ ବଢ଼ିଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୮.୨ଂ ରହିଛି । ତେବେ ପାରାଦୀପରେ ୩୧.୪ଂ, ପୁରୀରେ ୩୨.୩, ଗୋପାଳପୁର ୩୦.୨ ତାପମାତ୍ରା ରେକର୍ଡ଼ ହୋଇଛି ।
ଶୁକ୍ରବାର ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହୋଇଥିବାର ସୂଚନା ମିଳିଛି । ନୟାଗଡ଼ରେ ୪ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାର କାଶୀପୁରରେ ୧ ମିମି, ଗଞ୍ଜାମର ଆସ୍କାରେ ୧ ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *