ଜୁଲାଇ ପହିଲାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା

ଏପର୍ଯ୍ୟନ୍ତ ବସିଲାନି ବୈଠକ, ଦ୍ୱନ୍ଦ୍ୱରେ ଭକ୍ତ
ପୁରୀ (ବୁ୍ୟରୋ): ଆସନ୍ତା ଜୁଲାଇ ପହିଲାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିତିରି ପ୍ରସ୍ତୁତି ଜାରି ରହିଥିବା ବେଳେ ଘୋଷଯାତ୍ରାକୁ ନେଇ କୌଣସି ଆଲୋଚନା ହୋଇନାହିଁ । ଏପରିକି ରଥଯାତ୍ରା ଆଉ ମାତ୍ର ଦୁଇ ମାସ ରହିଥିବା ବେଳେ ଏପର୍ଯ୍ୟନ୍ତ ପ୍ରସ୍ତୁତି ବୈଠକ ନ ହେବା ନେଇ ସମସ୍ତଙ୍କ ମନରେ ଆଶଙ୍କା ଦେଖାଦେଇଛି । ତେବେ ମହାମାରୀ କରୋନା ଯୋଗୁ ୨୦୨୦ ଓ ୨୦୨୧ ମସିହା ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା । ଏବେ କରୋନାର ପ୍ରକୋପ ଶୂନ୍ ରହିଥିବା ବେଳେ ଧୀରେ ଧୀରେ କଟକଣାମୁକ୍ତ ହୋଇଛି । ଏହାରି ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଲାଣି ଗ୍ରାମଠାରୁ ସହର । ଦୁଇ ମାସ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଚଳିତବର୍ଷ ଭକ୍ତଙ୍କୁ ନେଇ ଅର୍ଥାତ୍ ୨୦୧୯ ମସିହା ଅନୁଯାୟୀ ରଥଯାତ୍ରା ହେବ ବୋଲି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲଗାତର ଦୁଇବର୍ଷ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଦେଖିପାରିନାହାନ୍ତି ଭକ୍ତ । ଏପରିକି ବଡଦାଣ୍ଡ ରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇନାହିଁ । ଚଳିତଥର କିଭଳି ଶୀ ଘ୍ର ରଥଯାତ୍ରା ଆସିବ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଗହଳିରେ ମହରାପ୍ରଭୁଙ୍କୁ ଦର୍ଶନ କରିବେ ତାହାକୁ ଚାହିଁ ବସିଛନ୍ତି ଅଗଣିତ ଶ୍ରଦ୍ଧାଳୁ । ହେଲେ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପ୍ରସ୍ତୁତି ବୈଠକ ନ ବସିବା ନେଇ ଭକ୍ତଙ୍କ ମହଲରେ ଉଦ୍ବେଗ୍ ପ୍ରକାଶ ପାଇଛି ।ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ରଥଯାତ୍ରାର ନୀତିକାନ୍ତି ଜାରି ରଖିଛନ୍ତି । ଆଉ ମାତ୍ର ଅଳ୍ପ ଦିନ ପରେ ଅକ୍ଷୟ ତୃତୀୟା । ଉକ୍ତ ଦିନ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ତେବେ ସେ ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହି ଥିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ୪ଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥାଏ । ତେବେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ପ୍ରଶାସନର ବୈଠକ ନ ବସିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଗତ ଦୁଇବର୍ଷ ଧରି ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହୋଇପାରି ନ ଥିଲେ ଭକ୍ତ । କିନ୍ତୁ ଚଳିତଥର ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଲେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନର ପ୍ରସ୍ତୁତି ବୈଠକ ବିଳମ୍ବ ଭକ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *