ଆଇନରେ ଅସଙ୍ଗତି
ଗରିବଙ୍କ ସହ ଭେଦଭାବ ହେବା ଭଳି ଆଇନ ପ୍ରଣୀତ ହୋଇଛି
ନୂଆଦିଲ୍ଲୀ,୧୫ା୪: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧରଙ୍କ ମତରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଧନୀ ଓ ଗରିବଙ୍କ ପାଇଁ ଭିନ୍ନ ଭିନ୍ନ ପଦ୍ଧତିରେ କାମ କରୁଛି । ଯେଉଁମାନଙ୍କ ପାଖରେ ଆଇନ ସହାୟତା ସେବାକୁ ଆପଣାଇବା ଛଡ଼ା ଅନ୍ୟ ବିକଳ୍ପ ନାହିଁ, ସେହି ହକ୍ରୁ ସେମାନେ ବଞ୍ଚôତ ହେଉଛନ୍ତି । ଗରୀବଙ୍କ ସହ ଏପରି ଭେଦଭାବ କରିବା ଲାଗି ଭାରତରେ ଆଇନ ପ୍ରଣୟନ କରାଯାଇଛି । ଗରୀବ ଓ ଧନୀଙ୍କ ପାଇଁ ଭାରତୀୟ ଆଇନ ସମାନ ଭାବେ କାମ କରୁନାହିଁ ।
କମୁ୍ୟନିଟି ଫର୍ ଦ ଇରାଡିକେସନ୍ ଅଫ୍ ଡିସ୍କି୍ରମିନେସନ୍ ଇନ୍ ଏଜୁକେସନ୍ ଆଣ୍ଡ୍ ଏମ୍ପ୍ଲୟମେଣ୍ଟ୍ ନାମକ ଅନୁଷ୍ଠାନ ଦ୍ୱାରା ବାବା ସାହେବ ବିଆର୍ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ ସେମିନାର୍ରେ ‘ଆପିୟରିଂ ଇନ୍ କୋର୍ଟ: ଚାଲେଞ୍ଜେସ୍ ଇନ୍ ରିପ୍ରେଜେଣ୍ଟିଂ ଦ ମାରିଜନାଲାଇଜ୍ଡ’ ବିଷୟରେ ଭାଷଣ ଦେବା ମଧ୍ୟରେ ଏହି ମତ ବ୍ୟକ୍ତ କରିଛନ୍ତି । ମୁଖ୍ୟ ବିଚାରପତି ମୁରଲୀଧର କହିଛନ୍ତି ନ୍ୟାୟ ପାଇବା ପର୍ଯ୍ୟନ୍ତ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ଜଣେ ଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଆଇନ୍ ଓ ତା’ର ପ୍ରକି୍ରୟା ଗୁଡ଼ିକ ରହସ୍ୟମୟ । ଆଇନଗୁଡ଼ିକୁ ଗରୀବଙ୍କ ପ୍ରତି ଭେଦଭାବ ହେବା ଭଳି ପ୍ରସ୍ତୁତ କରାଯାଇଛି । ଆଇନ ବ୍ୟବସ୍ଥା ଗରୀବଙ୍କ ପ୍ରତି ଭିନ୍ନ ଢଙ୍ଗରେ କାମ କରୁଛି । ବେଗର୍ସ କୋର୍ଟ, କିଶୋର ନ୍ୟାୟ ବୋର୍ଡ ଓ ମହିଳା ମାଜିଷ୍ଟ୍ରେଟ୍ ଅଦାଲତ ଗୁଡ଼ିକରେ ଏହି ଭଳି ଘଟୁଛି ଯେଉଁଠି ଗରୀବ ଲୋକମାନେ ପ୍ରଥମଥର ପାଇଁ ନ୍ୟାୟିକ ବ୍ୟବସ୍ଥା ଦେଖୁଛନ୍ତି ଓ ବୁଝୁଛନ୍ତି । ଜଷ୍ଟିସ୍ ମୁରଲୀଧର ଭାରତରେ ନ୍ୟାୟ ବ୍ୟବସ୍ଥାରେ ଅସଙ୍ଗତି ସମ୍ପର୍କରେ ବ୍ୟାଖ୍ୟା କରିବା ମଧ୍ୟରେ କହିଛନ୍ତି ଭାରତରେ ୩ ଲକ୍ଷ ୭୨ ହଜାର ବିଚାରାଧୀନ ବ୍ୟକ୍ତିଙ୍କ ମଧ୍ୟରୁ ୨୨ ପ୍ରତିଶତ ଓ ଦଣ୍ଡ ପାଇଥିବା ୧ଲକ୍ଷ ୧୩ ହଜାର ଲୋକଙ୍କ ମଧ୍ୟରୁ ୨୧ ପ୍ରତିଶତ ଅନୁସୂଚିତ ଜାତିର । ଦୋଷୀ ସାବ୍ୟସ୍ତ ୩୭.୧ ପ୍ରତିଶତ ଓ ୩୪.୩ ପ୍ରତିଶତ ବିଚାରାଧୀନ କଏଦୀ ଓବିସି ଶ୍ରେଣୀର । ସେହିପରି ଦଣ୍ଡ ପାଉଥିବା ୧୭.୪ ପ୍ରତିଶତ ଓ ୧୯.୫ ପ୍ରତିଶତ ବିଚାରାଧୀନ ବ୍ୟକ୍ତି ମୁସଲମାନ ସମ୍ପ୍ରଦାୟର ଯେଉଁ ଲୋକମାନଙ୍କ ପାଖରେ ଆଇନ ସହାୟତା ସେବାକୁ ଚୟନ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ, ସେମାନଙ୍କୁ ଅଦାଲତରେ ପ୍ରତିନିଧିତ୍ୱ ମିଳୁ ନାହିଁ ଯଦିଓ ସେଥିପାଇଁ ସେମାନେ ହକ୍ଦାର୍ । ଆଇନ ସହାୟତା ବା ପରାମର୍ଶ ଲୋଡ଼ିବା ଏକ ଅଧିକାର ହୋଇଥିଲେହେଁ ଅଧିକାଂଶ ଲୋକ ଏହାଦ୍ୱାରା ସମ୍ମାନ ହାନି ହୁଏ ବୋଲି ଭାବନ୍ତି । ମୁଁ ଏହାକୁ ରାଶନ ସପ୍ ସିଣ୍ଡ୍ରୋମ୍ କହେ । ଗରିବଲୋକମାନେ ଭାବୁଛନ୍ତି ଯଦି ସେମାନଙ୍କୁ ମାଗଣାରେ କୌଣସି ଆଇନସେବା ବା କିଛି ରିହାତି ମିଳୁଛି, ସେ କ୍ଷେତ୍ରରେ ଗୁଣବତ୍ତା ଦାବି କରିହେବ ନାହିଁ ।
ଏସବୁ ଦୃଷ୍ଟିରୁ ସରକାରୁ ସକାରାତ୍ମକ କାର୍ଯ୍ୟାନ୍ୱୟନ ନୀତି ନିର୍ଦ୍ଧାରଣ କରିବା ଉଚିତ, କାରଣ ଗରିବ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ସହ ଆଇନ ଭେଦଭାବ କରୁଛି । ଏହାଦ୍ୱାରା ସେମାନଙ୍କ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ଆଇନ ବ୍ୟବସ୍ଥାରେ ଅବହେଳିତମାନଙ୍କ ମଧ୍ୟରେ ଅଛନ୍ତି ଅନୁସୂଚିତ ଜାତି ଓ ଜନଜାତି, ଦଳିତ, ଆଦିବାସୀ, ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଅବହେଳିତ ବର୍ଗ, ଧାର୍ମିକ ସଂଖ୍ୟାଲଘୁ, ଯୌନ କର୍ମୀ, ମାନସିକ ରୋଗଗ୍ରସ୍ତ ଓ ଆହୁରି ଅନେକ ବ୍ୟକ୍ତି । ଏମାନଙ୍କୁ ବେଆଇନ ପନ୍ଥାରେ ଜୀବିକାର୍ଜନ କରିବାକୁ ପଡୁଛି । ଅନେକେ ଭିକ୍ଷାବୃତ୍ତିକୁ ଆଦରିଛନ୍ତି, ଆଉ କେତେକେ ରାସ୍ତା କଡରେ ରହୁଛନ୍ତି । ବଡ ଚିନ୍ତାର ବିଷୟ ଯେ ଦେଶର ୨୦ ରାଜ୍ୟରେ ଏବେବି ଭିକ୍ଷାବୃତ୍ତି ବିରୋଧୀ ଆଇନ ପ୍ରଚଳିତ । କେବଳ ଦିଲ୍ଲୀ ଓ ଜମ୍ମୁ-କଶ୍ମୀରରେ ଏପ୍ରକାର ଆଇନକୁ ହଟାଇ ଦିଆଯାଇଛି । ପୁଣି ଅଛନ୍ତି ଅଣ-ଅଧିସୂଚିତ ଜନଜାତି ଯେଉଁମାନେ ଦୀର୍ଘକାଳ ଧରି ପୁଲିସ ଅତ୍ୟାଚାରର ଶିକାର ହୋଇଆସୁଛନ୍ତି । ଏଭଳି ସ୍ଥିତିରେ ଏ ସମସ୍ତଙ୍କ ପାଇଁ ଆଇନ ସହାୟତା ଉପଲବ୍ଧ କରାଇବା ନିତାନ୍ତ ଜରୁରୀ ।