ଜେଲରେ ୬ ପେସାଦାର ଦୁର୍ବୃତ୍ତ
ଦାଦାବଟି ମାଗିବା ମହଙ୍ଗା ପଡ଼ିଲା
ପୁରୀ (ବୁ୍ୟରୋ): ପର୍ଯ୍ୟଟକଙ୍କ ଗାଡ଼ିକୁ ଅଟକାଇ ଦାଦାବଟି ଆଦାୟ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଓ ସିଂହଦ୍ୱାର ଥାନା ପୁଲିସ ୬ ଜଣ ପେସାଦାର ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେମାନେ ବଳିପଣ୍ଡା ଥାନା ଅଞ୍ଚଳର ଗଣେଶ ବିଶ୍ୱାଳ (କାଳିଆ) ଓ ଜୟନ୍ତ ବେହେରା (ରାଜୁ), ଟାଉନ ଥାନା ଅନ୍ତର୍ଗତ କାଳିକାଦେବୀ ସାହିର ସୋହନ ସାମର୍ଥ (କାହ୍ନା), ମାର୍କଣ୍ଡେଶ୍ୱରସାହିର ଶ୍ୟାମସୁନ୍ଦର ଗୋଚ୍ଛାୟତ, ବାସେଳିସାହି ଥାନା ଅନ୍ତର୍ଗତ ଗୋଖାସାହୀର ଧନୁ ବେହେରା ଓ ବାବୁଲି ବେହେରା । ପ୍ରକାଶ ଯେ, ଶୁକ୍ରବାର ସକାଳେ ବଳିଆପଣ୍ଡା ଥାନା ଅନ୍ତର୍ଗତ ପ୍ରାଚୀ ଛକଠାରେ ଦୁଇ ଦୁର୍ବୃତ୍ତ ପର୍ଯ୍ୟଟକଙ୍କ ଗାଡ଼ିକୁ ଅଟକାଇ ଦାଦାବଟି ମାଗିଥିଲେ । ହେଲେ ସେମାନେ ମନା କରିବାରୁ ତାକୁ ଧମକ ଦେଉଥିଲେ । ଏହି ସମୟରେ ବଳିଆପଣ୍ଡା ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିବା ସହ ୧୭୩୦ ଟଙ୍କା ଜବତ କରିଥିଲେ । ଏନେଇ ପୁଲିସ ନିଜ ଆଡୁ ୪୪/୨୨ରେ ଏକ ମାମଲା ରୁଜୁ କରିଛି । ସେହିପରି ସିଂହଦ୍ୱାର ଥାନା ପୁଲିସ ଦାଦାବଟି ଆଦାୟ କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନଙ୍କଠୁ ପୁଲିସ ଟୋକନ ସହ ୨୫୫ ଟଙ୍କା ଜବତ କରିଛି । ପୁଲିସର ସୁଚନାନୁଯାୟୀ, ଏମାନେ ଭକ୍ତଙ୍କ ଠାରୁ ଜୋରଜବରଦସ୍ତ ଚପଲ ରଖି ଟୋକନ ଦେଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ଖବର ମିଳିବା ପରେ ଘଟଣାସ୍ଥଳରେ ସିଂହଦ୍ୱାର ଥାନା ପୁଲିସ ପହଞ୍ଚି ସେମାନଙ୍କୁ କାବୁ କରିବାରେ ସଫଳ ହେବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।