ଉପନିର୍ବାଚନରେ ବିଜେପି ହାତ ଖାଲି
ନୂଆଦିଲ୍ଲୀ, ୧୬ା୪: ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନ ପାଇଁ ୪ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଲାଗିଛି ଝଟ୍କା । ଏଥିରୁ କୌଣସି ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି, ବରଂ ଦଳର ଭୋଟ୍ ସେୟାର କମିଛି ।
ପଶ୍ଚିମବଙ୍ଗ ଆସାନସୋଲ୍ ଲୋକସଭା ସିଟ୍ରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପାଲ୍ଙ୍କୁ ୩ଲକ୍ଷ ୩ହଜାର ୨୦୯ ଭୋଟ୍ରେ ପରାସ୍ତ କରିଥିବାବେଳେ ବାଲିଗଞ୍ଜ ବିଧାନସଭା ଆସନରେ ଟିଏମ୍ସିର ବାବୁଲ୍ ସୁପ୍ରିୟୋ ମଧ୍ୟ ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବାଲିଗଞ୍ଜ ବିଧାନସଭା ଆସନ ପୂର୍ବରୁ ମଧ୍ୟ ଟିଏମ୍ସି ହାତରେ ଥିଲା । ଏଥର ସେଠାରେ ବିଜେପି ପ୍ରାର୍ଥୀ ତୃତୀୟ ନମ୍ବରରେ ଅଛନ୍ତି ।
ଆସାନସୋଲ୍ରେ ପ୍ରଥମ ଥର ପାଇଁ ଟିଏମ୍ସି ବିଜୟ ଲାଭ କରିବା ଏକ ଉଲ୍ଲେଖନୀୟ ଘଟଣା । କାରଣ ପୂର୍ବରୁ ସାଧାରଣ ନିର୍ବାଚନରେ ରାଜ୍ୟରେ ଟିଏମ୍ସିକୁ ବଡ ସଫଳତା ମିଳିଥିଲେ ହେଁ ଆସନସୋଲ୍ ଆସନରେ ଦଳର ପ୍ରାର୍ଥୀ କେବେବି ଜିତିପାରି ନଥିଲେ । ଏହି ଆସନ ୧୯୫୭ ରୁ ୧୯୬୭ ପର୍ଯ୍ୟନ୍ତ ଏହି ଲୋକସଭା ଆସନ ଥିଲା କଂଗ୍ରେସର । ୧୯୬୭-୧୯୭୧ ପର୍ଯ୍ୟନ୍ତ ସେଠାରେ ସଂଯୁକ୍ତ ସୋସାଲିଷ୍ଟ ପାର୍ଟି ଜିତିଥିଲା । ପରବର୍ତ୍ତୀ ୧୦ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୧୯୭୧ ରୁ ୧୯୮୦ ଯାଏ ସିପିଆଇ(ଏମ୍) କବ୍ଜାରେ ରହିଥିଲା ଆସାମ ସୋଲ୍ । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଏହି ସିଟ୍ରେ ବିଜେପି ବିଜୟୀ ହୋଇଥିଲା ।
ଶତ୍ରୁଘ୍ନ ସିହ୍ନାଙ୍କ ପାଇଁ ମଧ୍ୟ ଆସନସୋଲ୍ରେ ବିଜୟ ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେ ବହୁ ବର୍ଷ ଧରି ବିଜେପିରେ ରାଜନୀତି କରି, ଅଟଳବିହାରୀ ସରକାରରେ ମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରେ ସ୍ଥାନ ନମିଳିବା ପରଠାରୁ ଶତ୍ରୁ ବିଜେପିଠାରୁ ଦୂରତା ରକ୍ଷା କଲେ । ପରେ ସେ କଂଗ୍ରେସ ଟିକେଟ୍ରେ ଲଢି ହାରିଲେ । ସମସ୍ତେ ଧରି ନେଇଥିଲେ ଯେ ଶତ୍ରୁଘ୍ନଙ୍କ ରାଜନୈତିକ କ୍ୟାରିଅର୍ରେ ପୂର୍ଣ୍ଣଛେଦ ପଡିଲା । କିନ୍ତୁ ସେ କିଛିଦିନ ପୂର୍ବେ ଟିଏମ୍ସିକୁ ଆସି ସାଂସଦ ଭାବେ ନିର୍ବାଚିତ ହୋଇ ରାଜନୀତିରେ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ।
ବିହାରର ବୋଚହାଁ ବିଧାନସଭା ସିଟ୍ରେ ଆର୍ଜେଡିର ଅମର ପାଶୱାନ୍ ବିଜେପି ପ୍ରାର୍ଥୀ ବେବି କୁମାରୀଙ୍କୁ ୩୬,୬୫୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ଆସନରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଆର୍ଜେଡି ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ହୋଇଛି । ଏହାଛଡା ଆର୍ଜେଡି ନେତା ତେଜସ୍ୱୀ ଯାଦବ ପାଶୱାନ୍ଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ । ସେଠିକାର ପାରମ୍ପରିକ ଭୋଟର ଭୂମିହାର ସମାଜ ବିଜେପିର ନୀତିରେ ଅସନ୍ତୁଷ୍ଟ ଥିଲେ । ପୁନଶ୍ଚ ଯୁବ ପ୍ରାର୍ଥୀ ପାଶୱାନଙ୍କ ପ୍ରତି ଭୋଟରମାନଙ୍କର ଥିଲା ସହାନୁଭୂତି । ଆର୍ଜେଡି ପ୍ରାର୍ଥୀ ଜିତିବା ଫଳରେ ଆଗାମୀ ଦିନରେ ବିହାରରେ ରାଜନୈତିକ ସମୀକରଣ ବଦଳିବା ସଙ୍କେତ ମିଳୁଛି । କାରଣ ୧୭ବର୍ଷ ପରେ ଆର୍ଜେଡି ବୋଚହାଁ ଆସନ ଫେରିପାଇଛି ।
ମହାରାଷ୍ଟ୍ରର କୋହ୍ଲାପୁର ନର୍ଥ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଧବ ବିଜେପିର ସତ୍ୟଜିତ୍ କଦମ୍ଙ୍କୁ ପ୍ରାୟ ୧୯ହଜାର ଭୋଟ୍ରେ ପରାସ୍ତ କରିଛନ୍ତି ।
ଛତିଶଗଡର ଖଇରାଗଡ ବିଧାନସଭା ଆସନରେ ମଧ୍ୟ କଂଗ୍ରେସର ଯଶୋଦା ବର୍ମା ୨୦,୧୬୭ ଭୋଟ୍ ବ୍ୟବଧାନରେ ଜିତିଛନ୍ତି । ଏହି ଆସନ ପାଇଁ ୧୫ଜଣ ପ୍ରାର୍ଥୀ ହୋଇଥିଲେ ।
ସାଧାରଣତଃ ଯେଉଁ ଦଳ ରାଜ୍ୟରେ କ୍ଷମତାରେ ଥାଏ ସେହି ଦଳର ପ୍ରାର୍ଥୀ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିଥାନ୍ତି । ପଶ୍ଚିମବଙ୍ଗରେ ଏହି କଥା ପ୍ରମାଣିତ ହେଲା ।
ଉପନିର୍ବାଚନର ଆଉ ଏକ ଟ୍ରେଣ୍ଡ ହେଉଛି କୌଣସି ଦଳ କ୍ଷମତାକୁ ଆସିବାର ୨/୩ବର୍ଷ ପରେ ଉପନିର୍ବାଚନ ହେଲେ ବେଳେବେଳେ କ୍ଷମତାସୀନ ଦଳର ପ୍ରାର୍ଥୀ ହାରିଯାଆନ୍ତି । ଉପନିର୍ବାଚନର ତୃତୀୟ ପ୍ରମୁଖ ଟ୍ରେଣ୍ଡ୍ ହେଉଛି ଅନୁକମ୍ପା ଭୋଟ୍ । ବିହାରରେ ମୁଖ୍ୟତଃ କ୍ଷମତାସୀନ ମେଣ୍ଟ ଓ ଆର୍ଜେଡି ମେଣ୍ଟ ପ୍ରାର୍ଥୀଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ୱନ୍ଦ୍ୱିତା । ଦିବଙ୍ଗତ ବିଧାୟକ ମୁସାଫିର ପାଶୱାନ୍ଙ୍କ ପୁତ୍ର ଏଥର ଅନୁକମ୍ପା ଭୋଟ୍ରେ ବିଜୟୀ ହୋଇଛନ୍ତି କହିଲେ ଅତୁ୍ୟକ୍ତି ହେବ ନାହିଁ । ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତରବିଧାନସଭା ଆସନରେ କଂଗ୍ରେସର ଦିବଂଗତ ବିଧାୟକ ଚନ୍ଦ୍ରଶେଖର ଯାଧବଙ୍କ ପତ୍ନୀଙ୍କୁ ଟିକେଟ୍ ମିଳିଥିଲା । ମହାରାଷ୍ଟ୍ର ସରକାରରେ କଂଗ୍ରେସର ଦୁଇ ସହଯୋଗୀ ଦଳ ଏନ୍ସିପି ଓ ଶିବସେନା ପ୍ରାର୍ଥୀ ଦେଇନଥିଲେ । ତେଣୁ ସେଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧା ମୁକାବିଲା ହୋଇଥିଲା । ସେଠାରେ ମଧ୍ୟ ସହାନୁଭୂତିର ଲହର କାମ କଲା ଏବଂ କଂଗ୍ରେସ ବଡ ସହଜରେ ଆସନଟିକୁ ଫେରିପାଇଲା ।