ରାସ୍ତା ନ ଥିବାରୁ ଦୋଳାରେ ବୁହା ହେଲେ ରୋଗୀ
ମୋହନା (ଆପ୍ର): ଗଜପତି ଜିଲ୍ଲା ମୋହନା ବ୍ଲକ୍ର ଅନେକ ସ୍ଥାନରେ ଏବେ ମଧ୍ୟ ରାସ୍ତା ଅପହଞ୍ଚ । ଯାହା ଦ୍ୱାରା ରୋଗୀଠାରୁ ନେଇ ଛାତ୍ରଛାତ୍ରୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କର୍ଚବାଡି ପଞ୍ଚାୟତର ଟାକୁରୁମା ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମର ଏଶୋର ମାଝୀ (୪୫) ପଡି ଯାଇ ଗୋଡ ଭାଙ୍ଗିବାରୁ ତାଙ୍କୁ ମୋହନା ମେଡିକାଲକୁ ଆଣିବା ପାଇଁ ୧ କିମି ଦୋଳାରେ ବୋହି କୁଟିଗୁଡ଼ା ଗ୍ରାମ ଠାରୁ ଏକ ଅଟୋ ଯୋଗେ ମୋହନା ମେଡିକାଲକୁ ଆଣିଥିଲେ । ରାସ୍ତା ନ ଥିବାରୁ ଗର୍ଭବତୀ ମହିଳାଙ୍କୁ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ତେଣୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।