ଏଣିକି ଅଭିଜ୍ଞତା ଆଧାରରେ ପ୍ରଫେସର୍ ନିଯୁକ୍ତି
ନୂଆଦିଲ୍ଲୀ, ୧୫ ।୪: କେହି ବ୍ୟକ୍ତିଙ୍କର କୌଣସି କ୍ଷେତ୍ରରେ ବହୁ ବର୍ଷର ଅଭିଜ୍ଞତା ଥିଲେ ଆଗାମୀ ଦିନରେ ତାଙ୍କୁ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଫେସର ପଦରେ ନିଯୁକ୍ତି ମିଳିବ । ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହ କୌଣସି ନା କୌଣସି ବିଷୟରେ ଦକ୍ଷ କରାଇବା ଉଦେ୍ଦଶ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଖୁବ୍ ଶୀଘ୍ର ନୂଆ ସ୍କିମ୍ ଆରମ୍ଭ କରାଯିବ । ଏଥିପାଇଁ ଉଦ୍ୟୋଗ ଓ ରୋଜଗାର କ୍ଷେତ୍ର ସହ ସଂଶ୍ଳିଷ୍ଟ ବିଶେଷଜ୍ଞମାନଙ୍କୁ ପ୍ରଫେସର ପଦରେ ନିଯୁକ୍ତି ଦିଆଯିବ । ସେମାନଙ୍କ ପଦବୀର ନାମ ହେବ ‘ପ୍ରଫେସର୍ ଅଫ୍ ପ୍ରାକ୍ଟିସ୍’ ।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ବନ୍ଧୀୟ ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ଯୋଜନା ଅନୁଯାୟୀ, ଏହି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରଫେସର୍ ଅଫ୍ ପ୍ରାକ୍ଟିସ୍ ପଦରେ ନିଯୁକ୍ତି ଦିଆଯିବ, ସ୍ପଷ୍ଟ ହୋଇନାହିଁ । ତେବେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଚ ଶିକ୍ଷାନୁଷ୍ଠାନରେ ଏମାନଙ୍କ ପାଇଁ ଅତିରିକ୍ତ ପଦ ସୃଷ୍ଟି କରାଯିବ । ଏହାସହ ଏହି କ୍ଷେତ୍ରରେ କୌଣସି ଆରକ୍ଷଣ ବ୍ୟବସ୍ଥା ରହିବ ନାହିଁ, କେବଳ ଅଭିଜ୍ଞତା ହେବ ଏକମାତ୍ର ମାନକ । ଶିକ୍ଷା ମନ୍ତ୍ରଳାୟ ସୂତ୍ରରୁ ଜଣାଯାଇଛି, ଯେଉଁ କ୍ଷେତ୍ରରେ ଡିଗ୍ରୀ ବା ଡିପ୍ଲୋମା ଠାରୁ ଅଭିଜ୍ଞତାର ଗୁରୁତ୍ୱ ଅଧିକ ସେଗୁଡ଼ିକ ଉପରେ ଫୋକସ୍ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଅଭିଜ୍ଞତା ଆଧାରରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ଯୁଗ୍ମ ସଚିବ (ଜେଏସ୍) ପଦରେ ସିଧା ନିଯୁକ୍ତି ଦେଇଛନ୍ତି । ଏଥିରେ ଉଦ୍ୟୋଗ କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ ସାମିଲ୍ । ମନ୍ତ୍ରାଳୟ ପକ୍ଷରୁ ତର୍କ ଦିଆଯାଉଛି ଯେ, ବହୁ ବର୍ଷର ଅଭିଜ୍ଞତା ଆଧାରରେ ଯେ କେହି ବିଶେଷଜ୍ଞ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ଯେଉଁ ଶିକ୍ଷା ଦେବେ, ତାହା ଡିଗ୍ରୀଧାରୀ ଶିକ୍ଷକମାନେ ଦେଇପାରିବେ ନାହିଁ ।
ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନ୍ଇପି)ରେ ଥିବା ସୁପାରିସ ଅନୁଯାୟୀ ଆଗାମୀ ପିଢ଼ିର ଶିକ୍ଷାର୍ଥୀମାନଙ୍କୁ ଦକ୍ଷତା ସହ ଯୋଡ଼ିବା ଉଦେ୍ଦଶ୍ୟରେ ଏଭଳି ପଦକ୍ଷେପ ନିଆଯାଉଛି । ଏନ୍ଇପି ଅନୁଯାୟୀ ୨୦୨୫ ମସିହା ସୁଦ୍ଧା ଦେଶର ୫୦% ଛାତ୍ରଛାତ୍ରୀଙ୍କୁ ବ୍ୟାବସାୟିକ ଶିକ୍ଷା ସହ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି । ଏବେ କେବଳ ୫% ଛାତ୍ରଛାତ୍ରୀ ବ୍ୟାବସାୟିକ ଶିକ୍ଷା ହାସଲ କରୁଛନ୍ତି ।