ଜର୍ମାନୀକୁ ଯୁଗଳ ଝଟ୍କା ଦେଲା ଭାରତ
ଏଫ୍ଆଇଏଚ୍ ପ୍ରୋ ଲିଗ୍
ଦ୍ୱିତୀୟ ମ୍ୟାଚ୍ରେ ବି ହାରିଲା ଭ୍ରମଣକାରୀ
ନୀଳକାନ୍ତ ଶର୍ମା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍
ଭୁବନେଶ୍ୱର, ୧୫ା୪ (ବୁ୍ୟରୋ): ଭାରତୀୟ ପୁରୁଷ ହକି ଟିମ୍ ଶୁକ୍ରବାର ଏଫ୍ଆଇଏଚ୍ ପ୍ରୋ ଲିଗ୍ ଡବଲ୍-ହେଡର୍ର ଦ୍ୱିତୀୟ ମ୍ୟାଚ୍ରେ ଅନଭିଜ୍ଞ ଜର୍ମାନୀକୁ ୩-୧ରେ ପରାସ୍ତ କରିଛି । ଉଭୟ ମ୍ୟାଚ୍ ଜିତି ଆୟୋଜକ ଟିମ୍ ପଏଣ୍ଟ ଟେବୁଲ୍ର ଶୀର୍ଷ ସ୍ଥାନରେ ନିଜ ସ୍ଥିତି ମଜଭୁତ କରି ପାରିଛି ।
କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ସୁଖଜିତ୍ ସିଂହ (୧୯ତମ ମିନିଟ୍), ବରୁଣ କୁମାର (୪୧ତମ) ଓ ଅଭିଷେକ (୫୪ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିବା ବେଳେ ଜର୍ମାନୀ ପକ୍ଷରୁ ଆଣ୍ଟୋନ୍ ବୋକେଲ୍ (୪୫ତମ) ଏକମାତ୍ର ଗୋଲ୍ ଦେଇଥିଲେ । ଏହି ଦୁଇ ମ୍ୟାଚ୍ରେ ଜର୍ମାନୀର ଅଧ ଡଜନ ଖେଳାଳି ପଦାର୍ପଣ କରିଥିଲେ । ନୀଳକାନ୍ତ ଶର୍ମା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଶୁକ୍ରବାର ଭାରତ ପ୍ରଥମ ମ୍ୟାଚ୍ରେ ଜର୍ମାନୀକୁ ୩-୦ରେ ହରାଇଥିଲା । ପଏଣ୍ଟ ଟେବୁଲ୍ରେ ଭାରତ ଅଦ୍ୟାବଧି ୧୨ ମ୍ୟାଚ୍ ଖେଳି ୨୭ ପଏଣ୍ଟ ପାଇଥିବା ବେଳେ ଜର୍ମାନୀ ୧୦ ମ୍ୟାଚ୍ରୁ ୧୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।
ପ୍ରଥମ କ୍ୱାର୍ଟରରେ ଭାରତ ପ୍ରତିପକ୍ଷର ସର୍କଲରେ ଅନେକ ଥର ପ୍ରବେଶ କରିଥିଲେହେଁ କୌଣସି ସୁଯୋଗର ସଦୁପଯୋଗ କରି ପାରି ନ ଥିଲା । ଦ୍ୱିତୀୟ କ୍ୱାର୍ଟରର ଚତୁର୍ଥ ମିନିଟ୍ରେ ସୁଖଜିତ ଏକ ଚତୁର ଫିଲ୍ଡ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରିଥିଲେ । ଏହା ତାଙ୍କ କ୍ୟାରିଅରର ଦ୍ୱିତୀୟ ଆନ୍ତର୍ଜାତିକ ଗୋଲ୍ ଥିଲା । ମନପ୍ରୀତ ସିଂହ ଓ ନୀଳକାନ୍ତ ଶର୍ମା ଏହି ଗୋଲ୍ରେ ସହାୟତା କରିଥିଲେ । ଶେଷ କେତେକ ମିନିଟ୍ରେ ଜର୍ମାନ୍ ଖେଳାଳି ଭାରତୀୟ ରକ୍ଷଣପନ୍ଥୀ ଉପରେ ଚାପ ପକାଇଥିଲା, କିନ୍ତୁ ସତର୍କ ଥିବା କ୍ରିଷନ ବାହାଦୁର ପାଠକ ପ୍ରାଚୀର ସଦୃଶ ଛିଡ଼ା ହୋଇଥିଲେ । ମଧ୍ୟାନ୍ତର ସୁଦ୍ଧା ଭାରତ ୧-୦ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନର ତିନି ମିନିଟ୍ ପରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । କିନ୍ତୁ ଜର୍ମାନ୍ ଗୋଲ୍କିପର୍ ଜିନ୍ ଡେନ୍ବର୍ଗ, ହରମନପ୍ରୀତଙ୍କ ସଟ୍କୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ୪୧ତମ ମିନିଟ୍ରେ ଶିଳାନନ୍ଦ ଲାକ୍ରା ଆଉ ଏକ ପିସି ଜିତିଥିଲେ । ଏଥର ବରୁଣ କୌଣସି ତ୍ରୁଟି ନ କରି ଭାରତର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଏହାର ଚାରି ମିନିଟ୍ ପରେ ଜର୍ମାନୀ ପକ୍ଷରୁ ବୋକେଲ୍ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ ।
ଅନ୍ତିମ କ୍ୱାର୍ଟରରେ ଜର୍ମାନୀ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ ଜାରି ରଖିଥିଲା । ଅଭିଷେକ ୫୪ତମ ମିନିଟ୍ରେ ହରମନପ୍ରୀତଙ୍କ ଲମ୍ବା ପାସ୍ରୁ ଗୋଲ୍ ଦେଇ ଭାରତକୁ ୩-୧ରେ ଅଗ୍ରଣୀ କରିଥିଲେ । ଶେଷ ବେଳକୁ ଜର୍ମାନୀ ଏକ ପିସି ପାଇଥିଲେହେଁ ପାଠକ ଏହାକୁ ବିଫଳ କରି ଦେଇଥିଲେ । ଶେଷରେ ୩-୧ ବିଜୟ ସହ ଲିଗ୍ରେ ଭାରତର ଘରୋଇ ଅଭିଯାନ ଶେଷ ହୋଇଥିଲା ।