୯୯% ଅଞ୍ଚଳ ନକ୍ସଲମୁକ୍ତ
ଭୁବନେଶ୍ୱର,୧୫ା୪(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ବ୍ୟାପକ ବିକାଶମୂଳକ ହସ୍ତକ୍ଷେପ ସହ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଡ଼କ ପଥ ଦେଇ ଏକଦା ନକ୍ସଲ ଗଡ଼ ଭାବେ ବିବେଚିତ ଚିତ୍ରାକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ମାଲକାନଗିରି ଗସ୍ତର ଦ୍ୱିତୀୟ ଦିନରେ ସେ ଏହି ଅଞ୍ଚଳ ପରିଦର୍ଶନ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱାଭିମାନ ଅଞ୍ଚଳ ସ୍ୱତନ୍ତ୍ର ପ୍ୟାକେଜ୍ଗୁଡିକର କ୍ଷେତ୍ର ସ୍ତରର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ ମୁଖ୍ୟ ସଚିବ । ମୁଖ୍ୟତଃ ଉଦ୍ୟାନ ଚାଷ, କୃଷି, ମତ୍ସ୍ୟଚାଷ, ଅଧିବାସୀମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ସୃଷ୍ଟି, କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା ଏବଂ ହଷ୍ଟେଲ କମ୍ପ୍ଲେକ୍ସର ବିକାଶ, ଇକୋ-ଟୁରିଜିମ୍ର ଅଭିବୃଦ୍ଧି, ଜଳସେଚନ, ବିଦୁ୍ୟତିକରଣ, ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ ଆଦି ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ମୁଖ୍ୟ ସଚିବ କ୍ଷେତ୍ରସ୍ତରରେ ଲକ୍ଷ୍ୟ କରି ଆବଶ୍ୟକୀୟ ନିଦେ୍ର୍ଦଶ ଦେଇଥିଲେ ।
ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ଭିତ୍ତିଭୂମି ସ୍ଥାପନ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ଓ ସଘନ କରିବାକୁ ଶ୍ରୀ ମହାପାତ୍ର ନିଦେ୍ର୍ଦଶ ଦେଇଥିଲେ । ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ମତ୍ସ୍ୟଚାଷ, ଉଦ୍ୟାନ କୃଷି ଆଦି କାର୍ଯ୍ୟକୁ ଜୀବିକା ପନ୍ଥା ଭାବେ ଗ୍ରହଣ କରୁଛନ୍ତି । ଏହି ଅଞ୍ଚଳରେ ସାତୋଟି ଟେଲି ଟାୱାର କାର୍ଯ୍ୟ କରୁଛି । ସ୍ୱାଭିମାନ ଅଞ୍ଚଳ ୯ଟି ପଞ୍ଚାୟତର ସମସ୍ତ ଘରକୁ ପ୍ରାୟ ୬୦୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବଣ୍ଟନ କରାଯାଇଛି । ପ୍ରାୟ ୯୯ ପ୍ରତିଶତ ଅଞ୍ଚଳକୁ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ କରାଯାଇଛି ।
ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରାକୋଣ୍ଡାର ଉଦ୍ୟାନ କୃଷି, ଚିତ୍ରକୋଣ୍ଡା ଠାରେ ଇକୋ ପାର୍କ, ଲିଫ୍ଟ ଜଳସେଚନ ପ୍ରକଳ୍ପର କାର୍ଯ୍ୟ, ପାଇପ୍ ପାନୀୟ ଜଳ ଯୋଗାଣର ଅଗ୍ରଗତି ଏବଂ ୩୩ କେଭି ପାୱାର୍ ସବ୍ ଷ୍ଟେସନ ଆଦି ସ୍ଥାନ ବୁଲିବା ବେଳେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ କ୍ୟାମ୍ପ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ସେ ଏହି ଅଞ୍ଚଳରେ ସଡ଼କ ସଂଯୋଗ ଏବଂ ସେବା ବିତରଣ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ସହ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ମୁଖ୍ୟ ସଚିବଙ୍କୁ ସ୍ୱାଗତ କରିଥିଲେ ଏବଂ ବିକାଶମୂଳକ କାର୍ଯ୍ୟ ବିଷୟରେ ସେମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଥିଲେ । ଏହାପୂର୍ବରୁ ପ୍ରଥମ ଦିନ ପରିଦର୍ଶନରେ ଶ୍ରୀ ମହାପାତ୍ର ମଧୁସୂଦନ ଉଚ୍ଚ ବିଦ୍ୟାଳୟ, ମୋଟୁରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଏବଂ ପୋଟେରୁ ଅଞ୍ଚଳରେ ଗଭୀର ବୋରୱେଲ ଜଳସେଚନ କ୍ଲଷ୍ଟରରେ କୃଷି କାର୍ଯ୍ୟକଳାପକୁ ଦେଖିଥିଲେ । ସେ ଓଡିଶା ଏବଂ ଛତିଶଗଡକୁ ସଂଯୋଗ କରୁଥିବା ସାବରୀ ନଦୀ ଉପରେ ନିର୍ମାଣାଧୀନ ସେତୁର ଅଗ୍ରଗତି ମଧ୍ୟ ସମୀକ୍ଷା କରିଥିଲେ । ଶ୍ରୀ ମହାପାତ୍ର ମଧ୍ୟ ମୁଗି ବୋର୍ଡର ପଏଣ୍ଟକୁ ଯାଇ ସେଠାରେ ବିକାଶମୂଳକ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ । ସେଠାରେ ଓଡିଶାର ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବିରାସେନ ପ୍ରଧାନ, ପ୍ରକଳ୍ପ ନିଦେ୍ର୍ଦଶକ ଡିଆରଡିଏ ବାଲମୁକୁନ୍ଦ ଭୁୟାଁ, ବିଭାଗୀୟ ବନ ଅଧିକାରୀ ପ୍ରତାପ କୋଟାପାଲି ଏବଂ ମାଲକାନଗିରିର ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।