ହାଇଦ୍ରାବାଦକୁ ୧୭୬ ବିଜୟଲକ୍ଷ୍ୟ
ଆଇପିଏଲ୍ ୨୦୨୨ ୨୫ତମ ମ୍ୟାଚ୍
ମୁମ୍ବାଇ, ୧୫ା୪ (ଏଜେନ୍ସି): ନୀତୀଶ ରାଣାଙ୍କ ଉଜ୍ଜ୍ୱଳ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ କୋଲକାତା ନାଇଟ୍ ରାଇଡର୍ସ ଶୁକ୍ରବାର ଚଳିତ ଆଇପିଏଲ୍ର ୨୫ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୧୭୬ ରନ୍ର ବିଜୟଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ହାଇଦରାବାଦ ଟିମ୍ ୬ ଓଭର୍ରେ ୨ ୱିକେଟ୍ ହରାଇ ୪୬ ରନ୍ ସଂଗ୍ରହ କରିଥିଲା । ରାହୁଲ ତ୍ରିପାଠୀ ୧୮ ଓ ଏଡେନ୍ ମାର୍କରାମ ୧ ରନ୍ କରି ଅପରାଜିତ ଥିଲେ । ୧୭୭ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ହାଇଦରାବାଦ ଟିମ୍ର ଓପନିଂ ଯୋଡ଼ି ମାତ୍ର ୩ ରନ୍ରେ ଭାଙ୍ଗିଥିଲା । ଅଭିଷେକ ୩ ରନ୍ କରି ପାଟ୍ କମିନ୍ସଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଅଧିନାୟକ କେନ୍ ୱିଲିଅମ୍ସନ୍ ନୂଆ ବ୍ୟାଟର୍ ରାହୁଲ ତ୍ରିପାଠୀଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେହେଁ ଏହି ଯୋଡ଼ି ବେଶୀ ବାଟ ଯାଇ ପାରି ନ ଥିଲା । ୱିଲିଅମ୍ସନ୍ ୧୭ ରନ୍ କରି ରସେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ହାଇଦରାବାଦ ଟିମ୍ ଟସ୍ ଜିତି ଫିଲ୍ଡିଂ ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା । ମାତ୍ର ୩୧ ରନ୍ରେ ୩ ୱିକେଟ୍ ହରାଇ ଟିମ୍ ସଙ୍କଟରେ ପଡ଼ିଥିଲା । ଓପନର୍ ଆରୋନ୍ ଫିଞ୍ଚ୍ ୭, ଭେଙ୍କଟେଶ ଆୟର ୬ ଓ ସୁନୀଲ ନରିନ୍ ୬ ରନ୍ କରି ପାଭିଲିଅନ୍ ଫେରିଥିଲେ । ଫିଞ୍ଚ୍, ଜାନ୍ସେନ୍ଙ୍କ ବଲ୍ରେ ଏବଂ ଭେଙ୍କଟେଶ ଓ ସୁନୀଲ, ଟି. ନଟରାଜନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ଅଧିନାୟକ ଶ୍ରେୟାସ ଆୟର ଓ ନୀତୀଶ ରାଣା ଚତୁର୍ଥ ୱିକେଟ୍ ପାଇଁ ୩୯ ରନ୍ର ଯୋଗ କରି ସ୍ଥିତିରେ କିଛିଟା ସୁଧାର କରିଥିଲେ । ଆୟର ୨୮ ରନ୍ କରି ଉମରାନ୍ ମଲିକଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟପଟେ ନୀତୀଶ ଦୃଢ଼ତାର ସହ ଖେଳିଥିଲେ । ସେ ଶେଲ୍ଡନ୍ ଜ୍ୟାକ୍ସନ୍ଙ୍କ ସହ ୩୩ ଓ ଆନେ୍ଦ୍ର ରସେଲ୍ଙ୍କ ସହ ୩୯ ରନ୍ର ଭାଗୀଦାରୀ କରିଥିଲେ । ଜ୍ୟାକ୍ସନ୍ ୭ ରନ୍ କରି ଉମରାନ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଟିମ୍ର ସ୍କୋର୍ ୧୪୨ ହୋଇଥିବା ବେଳେ ୩୨ ବଲ୍ରୁ ଆଇପିଏଲ୍ କ୍ୟାରିଅରର ୧୪ତମ ଅର୍ଦ୍ଧଶତକ ଲଗାଇଥିବା ନୀତୀଶ ବ୍ୟକ୍ତିଗତ ୫୪ (୩୬ ବଲ୍ରୁ ୬ ଚୌକା ଓ ୨ ଛକା ସହାୟତାରେ) ରନ୍ରେ ନଟରାଜନ୍ଙ୍କ ତୃତୀୟ ଶିକାର ହୋଇଥିଲେ । ଏହାପରେ ରସେଲ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇନିଂସ୍ ଆଉ କିଛି ବାଟ ଆଗେଇ ପାରିଥିଲା । ଇତ୍ୟବସରେ ପାଟ୍ କମିନ୍ସ ୩ ଓ ଅମନ ହକିମ ଖାଁ ଯଥାକ୍ରମେ ଭୁବନେଶ୍ୱର ଓ ଜେ. ସୁଚିତଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ରସେଲ୍ ୨୫ ବଲ୍ରୁ ୪୯ (୪ ଚୌକା ଓ ୪ ଛକା ସହାୟରାରେ) ଓ ଉମେଶ ଯାଦବ ୧ ରନ୍ କରି ଅପରାଜିତ ଥିଲେ ।