ଏବର୍ଷ ୯୬ରୁ ୧ଠ୪% ବର୍ଷା
ନୂଆଦିଲ୍ଲୀ,୧୪ା୪(ବୁ୍ୟରୋ): ଏଥର ଦକ୍ଷିଣ-ପୂର୍ବ ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ କରିଛି । ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ । ବର୍ଷା ସ୍ୱାଭାବିକ ହେବାକୁ ଥିବାରୁ ଚାଷ କାମ ଓ ଏହା ସହ ଜଡ଼ିତ କ୍ଷେତ୍ରଗୁଡ଼ିକ ଭଲ ଅଭିବୃଦ୍ଧି କରିବା ଆଶା କରାଯାଉଛି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଭାଗର ଅଧିକାଂଶ ଅଞ୍ଚଳ, ଏହାକୁ ଲାଗି ରହିଥିବା କେନ୍ଦ୍ରୀୟ ଭାରତୀୟ ଅଞ୍ଚଳ ଓ ଉତ୍ତରପଶ୍ଚିମ ଭାଗର କିଛି ସ୍ଥାନରେ ସ୍ୱାଭାବିକ କିମ୍ବା ତା’ରୁ ଅଧିକ ବର୍ଷା ହୋଇପାରେ । ଉତ୍ତରପୂର୍ବ ଭାରତର ଅନେକ ସ୍ଥାନ, ଉତ୍ତର ପଶ୍ଚିମର କିଛି ଅଂଶ ଓ ଦକ୍ଷିଣପୂର୍ବ ଭାଗରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଏହା ପୂର୍ବରୁ ଆଇଏମ୍ଡି ପକ୍ଷରୁ ଚଳିତବର୍ଷ ୮୮ ସେମି ବୃଷ୍ଟିପାତ ହେବ ବୋଲି ଭବିଷ୍ୟବାଣୀ କରାଯାଇଥିଲା । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି, ପ୍ରତି ୧୦ ବର୍ଷରେ ମୌସୁମୀ ବର୍ଷାର ମୋଟାମୋଟି ଆକଳନ କରାଯାଇଥାଏ । ତଦନୁଯାୟୀ, ୧୯୭୧-୨୦୨୦ ମସିହା ମଧ୍ୟରେ ସାରା ଦେଶର ୪୧୩୨ ରେନ୍ଗଜ୍ରୁ ମିଳିଥିବା ବୃଷ୍ଟିପାତ ତଥ୍ୟ ଅନୁଯାୟୀ ବାର୍ଷିକ ମୌସୁମୀ ବୃଷ୍ଟିପାତ ପରିମାଣ ୮୮ ସେମିରୁ ୮୭ ସେମିକୁ କମିଛି ।
ଏବେ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜୁନ୍ରୁ ସେପ୍ଟେମ୍ବର ଭିତରେ ୮୬୮.୬ ମି.ମି. ବର୍ଷା ହେବ ଏବଂ ଠିକ୍ ସମୟରେ ବର୍ଷା ଋତୁ ଆସିବ । ଭାରତର, ଉତ୍ତରାଞ୍ଚଳ, ମଧ୍ୟଭାରତ, ହିମାଳୟ ଅବବାହିକା ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ସ୍ୱାଭାବିକ ବା ସ୍ୱାଭାବିକରୁ ଅଧିକ ବୃଷ୍ଟିପାତ ହେବା ସମ୍ଭାବନା ରହିଛି । ମୌସୁମୀ ସହିତ ଲା ନୀନାର ପ୍ରଭାବର ପ୍ରଭାବ ମଧ୍ୟ ପରିଲକ୍ଷିତ ହେବ । ପୂର୍ବୋତ୍ତର ଭାରତ ଅନେକ ଅଞ୍ଚଳ, ଉତ୍ତର-ପଶ୍ଚିମ ଭାରତର କିଛି ଅଂଶ ଓ ଦକ୍ଷିଣ ଭାରତରେ ସ୍ୱାଭାବିକରୁ କମ୍ ବର୍ଷା ହୋଇପାରେ ।
୨୦୨୧ରେ ଦେଶରେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିଲା । ଏବେ କ୍ରମାଗତ ତୃତୀୟ ବର୍ଷ ପାଇଁ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି । ୨୦୧୯ ଓ ୨୦୨୦ରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜୁନ୍ରୁ ସେପ୍ଟେମ୍ବର ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସମୟରେ ଦେଶରେ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା । ୨୦୧୯ ଓ ୨୦୨୦ରେ ମଧ୍ୟ ସ୍ୱାଭିବକଠାରୁ ଅଧିକ ବୃଷ୍ଟିପାତ ହୋଇଥିଲା ।
ଆଇଏମ୍ଡି ପକ୍ଷରୁ ମୌସୁମୀ ବର୍ଷା ଆକଳନ ରିପୋର୍ଟ ମେ ଶେଷ ସପ୍ତାହରେ, ଅର୍ଥାତ୍ ମୌସୁମୀ ଋତୁ ଆରମ୍ଭ ପୂର୍ବରୁ ପ୍ରକାଶ କରାଯିବ ।
ମୌସୁମୀ ସମ୍ପର୍କରେ ପୂର୍ବ ସୂଚନା ଦେଇଆସୁଥିବା ବେସରକାରୀ ଏଜେନ୍ସି ସ୍କାଏମେଟ୍ ରିପୋର୍ଟ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ଆସନ୍ତା ଜୁନ୍ ୨୬/୨୭ ସୁଦ୍ଧା ମୌସୁମୀ ପ୍ରବେଶ କରିବା ସମ୍ଭାବନା ରହିଛି ।