କେନ୍ଦ୍ରୀୟ ବିଦ୍ୟାଳୟରେ ଏମ୍ପି କୋଟା ସମାପ୍ତ

କରୋନା-ଅନାଥଙ୍କୁ ପ୍ରାଥମିକତା
ନୂଆଦିଲ୍ଲୀ,୧୪ା୪: କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ସାଂସଦ ଓ ଜିଲ୍ଲା ଅଧିକାରୀ କୋଟାରେ ନାମଲେଖା ଉପରେ ରୋକ୍ ଲଗାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ (କେଭିଏସ୍) ପକ୍ଷରୁ ଗୁରୁବାର ଏ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ସାଂସଦ ଓ ଜିଲ୍ଲା ଅଧିକାରୀମାନଙ୍କ ସୁପାରିସ କ୍ରମେ ନିଜ ନିଜ ଇଲାକାର କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ୧୦ ଛାତ୍ରଛାତ୍ରୀଙ୍କ ନାମ ଲେଖା ବ୍ୟବସ୍ଥା ଥିଲା । ଏହାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସାଂସଦ ଓ ଜିଲ୍ଲା ଅଧିକାରୀଙ୍କ କୋଟା ଭଳି ଶିକ୍ଷା ମନ୍ତ୍ରଣାଳୟ ପାଇଁ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ୪୫୦ ସିଟ୍ କୋଟା ବ୍ୟବସ୍ଥା ଥିଲା । ଗତବର୍ଷ ଏହି ୪୫୦ ସିଟ୍ର କୋଟାକୁ ବନ୍ଦ କରିଦିଆଯାଇଥିଲା ।
ସଂସଦର ଗତ ବଜେଟ୍ ଅଧିବେଶନରେ କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟା ପ୍ରସଙ୍ଗ ଉପରେ ଆଲୋଚନାବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଥିଲେ ଯେ, ସାଂସଦମାନେ ଅଳ୍ପ କେତେକ ଲୋକଙ୍କ ହିତ ଉଦେ୍ଦଶ୍ୟରେ ନିଜ ଅଧିକାରର ପ୍ରୟୋଗ କରିବା ଉଚିତ୍ ନା ସାଂସଦ ହିସାବରେ ସବୁ ଲୋକଙ୍କ ପାଇଁ ସମାନ ଭାବେ କାମ କରିବା ଉଚିତ୍ ।
ଚଳିତ ବର୍ଷ କରୋନା ମହାମାରୀ କାରଣରୁ ମାତାମାତାଙ୍କୁ ହରାଇଥିବା ପିଲାମାନଙ୍କ ନାମ ଲେଖାକୁ ପ୍ରାଥମିକତା ଦେବା ଲାଗି କେଭିଏସ୍ ନିଷ୍ପତ୍ତି ନେଇଛି । ସୂତ୍ର ଅନୁଯାୟୀ, ଏ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ନାମଲେଖା ପାଇଁ ଏହି ନିୟମ ପ୍ରୟୋଗ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *