ମେରୁ ଉତ୍ସବ ପାଲଟିଲା ରଣକ୍ଷେତ୍ର

ଦୁଇ ଗାଁ ମଧ୍ୟରେ ସଂଘର୍ଷ: ଜଣେ ମୃତ
ନୟାଗଡ଼, ୧୪ା୪ (ଆପ୍ର): ନୟାଗଡ଼ ସଦର ବ୍ଲକ୍ ଦୁର୍ଗାପ୍ରସାଦ ମେରୁ ଉତ୍ସବର ଶେଷ ପର୍ଯ୍ୟାୟରେ ଆୟୋଜିତ ଶୋଭାଯାତ୍ରା ରଣ କ୍ଷେତ୍ରରେ ପରିଣତ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ ଘଟି ଜଣେ ପ୍ରାଣ ହରାଇବା ସହିତ ଟାଉନ ଥାନା ଅଧିକାରୀଙ୍କ ସମେତ ୧୦ଜଣ ଆହତ ହୋଇଛନ୍ତି । ଶୋଭାଯାତ୍ରା ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ୫ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଜାମ୍ ହୋଇଥିଲା । ଫଳରେ ଆମ୍ବୁଲାନ୍ସ ସମେତ ହଜାର ହଜାର ଯାନବାହନ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲେ ।
ପ୍ରକାଶ ଯେ, ଦୁର୍ଗାପ୍ରସାଦ ଠାରୁ ବାହାରିଥବା ଶୋଭାଯାତ୍ରା ନୟାଗଡ଼ ସହର ପରିକ୍ରମା କରି ଫେରୁଥିବା ସମୟରେ ରାତି ପ୍ରାୟ ଗୋଟଏ ବେଳେ ସିନ୍ଦୁରିଆଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । କୌଣସି କାରଣରୁ ଦୁର୍ଗାପ୍ରସାଦ ଓ ଦେଉଳପଲି ଗ୍ରାମବାସୀଙ୍କ ମଧ୍ୟରେ ବଚସାରୁ ଲଙ୍କାକାଣ୍ଡ ଘଟିଥିଲା । ଦେଉଳପଲ୍ଲୀର ଲୋକେ ଢେଲାପଥର ମାଡ କରିବାରୁ ଦୁର୍ଗାପ୍ରସାଦର କିଛି ବ୍ୟକ୍ତି ଆହତ ହୋଇଥିଲେ । ଆଇନଶୃଙ୍ଖଳା ରକ୍ଷା ପାଇଁ ଉଦ୍ୟମ କରିବା ସମୟରେ ଟାଉନଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ମୁଣ୍ଡରେ ପଥର ବାଜିବାରୁ ସେ ଗୁରୁତର ହୋଇଥିଲେ । ଥାନା ଅଧିକାରୀଙ୍କ ସମେତ ଆହତ ୧୦ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସଂଘର୍ଷର ସୁଯୋଗ ନେଇ ଦୁର୍ଗାପ୍ରସାଦ ଗ୍ରାମର ନବୀନ ପରିଡାଙ୍କ ସମେତ ଦୁଇଜଣଙ୍କୁ ଅପହରଣ କରି ନିଆଯାଇଥିଲା । ଦୀର୍ଘସମୟ ଧରି ଖୋଜାଖେଜି କରାଯାଇଥିଲେ ବି ସେମାନଙ୍କ ପତ୍ତା ମିଳି ନ ଥିଲା । କିଛି ସମୟ ପରେ ଜଣେ ଖସି ଆସିଥିଲେ ।
ପୁଲିସ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନବୀନଙ୍କ ଶବ ନିକଟସ୍ଥ ନେଳିଆପୋଖରୀରୁଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇବା ସହିତ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଉଭୟ ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗଣ୍ଡଗୋଳ ଯୋଗୁ ଶୋଭାଯାତ୍ରା ଜନମାନବଶୂନ୍ୟ ହୋଇପଡ଼ିଥିଲା ଏବଂ ପୁଲିସ ବ୍ୟବସ୍ଥାରେ ମେରୁ ପର୍ବ ସଅନୁଷ୍ଠିତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *