ଆମେରିକାକୁ ଜୟଶଙ୍କରଙ୍କ ଜବାବ
ୟୁଏସ୍ରେ ହେଉଥିବା ମାନବାଧିକାର ହନନ ଉପରେ ବି ନଜର ରଖିଛି ଭାରତ
ନୂଆଦିଲ୍ଲୀ (ଏଜେନ୍ସି): ନିକଟରେ ଆମେରିକାରେ ଆୟୋଜିତ ୨+୨ ଡ଼ାଏଲଗ୍ ଶୀର୍ଷକ ସମ୍ମିଳନୀରେ ସାମିଲ ହେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଗସ୍ତ କରିଥିଲେ । ଏହି ଅବସରରେ ଆମେରିକା ପକ୍ଷରୁ ଭାରତରେ ହୋଇଥିବା କେତେକ ମାନବାଧିକାର ହନନ ଘଟଣା ପ୍ରସଙ୍ଗ ଉଠାଯାଇଥିଲା । ଏହା ଉପରେ ନିଜ ପ୍ରତିକ୍ରିୟା ରଖି ବିଦେଶ ମନ୍ତ୍ରୀ ଜୟଶଙ୍କର ଆମେରିକାକୁ ତା’ ନିଜ ଭାଷାରେ ହିଁ ଜବାବ ଦେଇଥିବା ଜାଣିବାକୁ ମିଳିଛି । ଜୟଶଙ୍କର କହିଥିଲେ ଆମେରିକାରେ ମଧ୍ୟ ଦୈନିକ ଅନେକ ମାନବାଧିକାର ହନନ ଭଳି ଘଟଣା ସାମ୍ନାକୁ ଆସୁଛି, ଯାହା ଉପରେ ଭାରତ ତୀକ୍ଷ୍ମ ନଜର ରଖିଛି । ତେବେ ଏହି ପ୍ରସଙ୍ଗ ୨+୨ ଡାଏଲଗ୍ର ଅଂଶବିଶେଷ ନଥିବାରୁ ଭାରତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ୍ ହେବ ନାହିଁ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍ କହିଥିଲେ ଯେ, ଆମେରିକା ଭାରତରେ ଘଟିଥିବା କିଛି ଘଟଣା ଉପରେ ନଜର ରଖିଛି । କିଛି ରାଜ୍ୟରେ ପୋଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମାନବାଧିକାର ହନନ ବୃଦ୍ଧି ପାଉଥିବା ସେ କହିଥିଲେ । ଏହାର ଜବାବରେ ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ।
ପ୍ରକାଶ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତ ନିରପେକ୍ଷ ରହିବା ଏବଂ ରୁଷ୍ ବିରୋଧରେ କୌଣସି ମତ ମନ୍ତବ୍ୟ ନଦେବା କିମ୍ବା ଅନ୍ତର୍ଜାତୀୟସ୍ତରରେ ରୁଷ୍ ବିରୋଧରେ ଲାଗୁ କରାଯାଉଥିବା କଟକଣାକୁ ଭାରତ ଲାଗୁ ନକରିବା ଭଳି ଘଟଣାରେ ଆମେରିକା ସମେତ ସମଗ୍ର ୟୁରୋପ ଏବେ ଭାରତକୁ ବିଭିନ୍ନ ଆଳରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଭାରତ ନିଜର ଉତ୍ତମ କୂଟନୀତି ବଳରେ ଭାରତ ଏପର୍ଯ୍ୟନ୍ତ କୌଣସି ଚାପର ବଶବର୍ତ୍ତୀ ହୋଇନାହିଁ । ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୫ଠ ଦିନ ବିତିଥିବା ବେଳେ ୟୁକ୍ରେନ୍ ସେନା, ରୁଷ୍ ନୌସେନାର ଏକ ବିଶାଳ ଯୁଦ୍ଧଜାହାଜକୁ ନଷ୍ଟ କରିଦେଇଥିବା ଭଳି ସୂଚନା ହସ୍ତଗତ ହୋଇଛି ।