ଭାରତର ସହଜ ବିଜୟ

ଏଫ୍ଆଇଏଚ୍ ପ୍ରୋ ଲିଗ୍ । ଜର୍ମାନୀ ବିପକ୍ଷ ଡବଲ୍-ହେଡର୍
ଭୁବନେଶ୍ୱର, ୧୪ା୪ (ବୁ୍ୟରୋ): ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଗୁରୁବାର ଡବଲ୍-ହେଡର୍ର ପ୍ରଥମ ମ୍ୟାଚ୍ରେ ଭାରତୀୟ ପୁରୁଷ ଟିମ୍ ଅନଭିଜ୍ଞ ଜର୍ମାନୀକୁ ୩-୦ରେ ସହଜରେ ପରାସ୍ତ କରିଛି । ହରମନପ୍ରୀତ ସିଂହ ଆୟୋଜକ ଟିମ୍ ପକ୍ଷରୁ ଯୁଗଳ ଗୋଲ୍ ଦେଇଥିଲେ ।
ଅମିତ ରୋହିଦାସଙ୍କ ନେତୃତ୍ୱାଧୀନ ଟିମ୍ କଳିଙ୍ଗ ଷ୍ଟାଡିୟମ୍ରେ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା । ହରମନପ୍ରୀତ ଟିମ୍ ପକ୍ଷରୁ ୧୮ତମ ଓ ୨୭ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରିଥିବା ବେଳେ ୪୫ତମ ମିନିଟ୍ରେ ଯୁବ ଖେଳାଳି ଅଭିଷେକ ଅନ୍ୟ ଏକ ଗୋଲ୍ ଦେଇଥିଲେ । ଅନ୍ୟପଟେ, ଗୋଟିଏ ବି ଗୋଲ୍ ପରିଶୋଧ କରି ପାରି ନ ଥିବା ଜର୍ମାନୀର ୨୨ଜଣିଆ ଟିମ୍ର ଅଧ ଡଜନ ଖେଳାଳି ବରିଷ୍ଠ ହକିରେ ପଦାର୍ପଣ କରିଥିଲେ ।
ଏହି ବିଜୟ ସହ ଭାରତ ୧୧ ମ୍ୟାଚ୍ରୁ ୨୪ ପଏଣ୍ଟ ପାଇ ଶୀର୍ଷରେ ନିଜ ସ୍ଥିତି ମଜଭୁତ କରି ପାରିଛି ଯେତେବେଳେକି ଜର୍ମାନୀ ନଅ ମ୍ୟାଚ୍ରୁ ୧୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଶୁକ୍ରବାର ଉଭୟ ଟିମ୍ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
ଭାରତୀୟମାନେ ଦୃଢ଼ ମନୋବଳ ନେଇ ମ୍ୟାଚ୍ ଆରମ୍ଭ କରିଥିଲେ ଏବଂ ସଅଳ ପେନାଲ୍ଟି କର୍ଣ୍ଣର ଜିତିଥିଲେ । କିନ୍ତୁ ଯୁଗରାଜ ସିଂହଙ୍କ ପ୍ରୟାସକୁ ଜର୍ମାନ୍ ରକ୍ଷଣପନ୍ଥୀ ବିଫଳ କରି ଦେଇଥିଲେ । ରିବାଉଣ୍ଡରୁ ନୀଳକାନ୍ତ ଶର୍ମାଙ୍କ ସଟ୍ ୱାଇଡ୍ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଭାରତର ଆଧିପତ୍ୟ ଥିଲେହେଁ ଅଗ୍ରପନ୍ଥୀ ସୁଯୋଗର ଫାଇଦା ଉଠାଇ ପାରି ନ ଥିଲେ ।
ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଆୟୋଜକ ଟିମ୍ ଜୋର୍ଦାର ଆରମ୍ଭ କରିଥିଲା ଏବଂ ୧୮ତମ ମିନିଟ୍ରେ ହରମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଟିମ୍କୁ ଅଗ୍ରଣୀ କରିଥିଲେ । ତୁରନ୍ତ ଭାରତ ଆଉ ଏକ ପିସି ପାଇଥିଲା, ହେଲେ ଜର୍ମାନ୍ ଗୋଲ୍କିପର୍ ଆଲେକ୍ଜାଣ୍ଡର ଷ୍ଟାଡ୍ଲର୍, ହରମନପ୍ରୀତଙ୍କ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ମଧ୍ୟାନ୍ତରକୁ ତିନି ମିନିଟ୍ ବାକି ଥିବା ବେଳେ ହରମନପ୍ରୀତ ଭାରତର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ ।
ପାଶ୍ୱର୍ ପରିବର୍ତ୍ତନ ପରେ ବି ଭାରତୀୟ ଟିମ୍ ପ୍ରତିପକ୍ଷ ଉପରେ ଚାପ ପ୍ରୟୋଗ ଜାରି ରଖିଥିଲା ଏବଂ ଅନେକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା । ଜର୍ମାନ୍ର ଯୁବ ରକ୍ଷଣପନ୍ଥୀ ଦୃଢ଼ତାର ସହ ଖେଳିଥିଲେ ମଧ୍ୟ ଅନେକ ପିସି ଦେଇଥିଲେ । ତୃତୀୟ କ୍ୱାର୍ଟର୍ ଶେଷ ବେଳକୁ ହରମନପ୍ରୀତ ଭାରତର ଅଗ୍ରଣୀକୁ ୩-୦ରେ ପହଞ୍ଚାଇଥିଲେ । ଚତୁର୍ଥ ତଥା ଶେଷ କ୍ୱାର୍ଟର୍ର ଶେଷ ବେଳକୁ ଭାରତକୁ ଆଉ ଏକ ପିସି ମିଳିଥିଲା । ତେବେ ହରମନପ୍ରୀତଙ୍କ ପ୍ରୟାସକୁ ଷ୍ଟାଡ୍ଲର୍ ବିଫଳ କରି ଦେଇଥିଲେ । ଜର୍ମାନ୍ ଟିମ୍ ୮ଟି ପିସି ଦେଇଥିବା ବେଳେ ଗୋଟିଏ ବି ହାସଲ କରି ପାରି ନ ଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *