ସ୍ଥାନ ଚିହ୍ନଟ କଲେ ପ୍ରଶାସନିକ ଅଧିକାରୀ
୬ କୋଟିରେ ହେବ ଇନ୍ଡୋର ଷ୍ଟାଡିୟମ୍
ଆସିକା (ଆପ୍ର): ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୬କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ଆସିକା ଏନ୍ଏସି ଅଧୀନ ୩ନମ୍ବର ୱାର୍ଡର ଶତାଧିକ ବର୍ଷର ପୁରୁଣା ହରିହର ହାଇସ୍କୁଲ ପରିସରରେ ୩ହଜାର ୫୩୬ ବର୍ଗ ମିଟର ପରିମିତ ଜମିରେ ପୁର୍ତ୍ତ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରୀଡା ଭିତ୍ତିଭୂମିର ବିକାଶ ଲାଗି ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ହେବ । ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜି, ଆସିକା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍, ବିଡିଓ ରୋଶନ୍ ଶତପଥି, ପୂର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ଇଂ.ହରିହର ଦାସ, ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ଶିବରାମ ମହାରଣା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ସିୟ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସୁଭେନ୍ଦୁ କୁମାର ମିଶ୍ର, ଏ. ଚିରଞ୍ଜିବି ଆଚାରୀ, ସୀତାରାମ ପଟ୍ଟନାୟକ, ଜ୍ୟୋସ୍ନôାରାଣୀ ବେହେରା, ରାଜଲକ୍ଷ୍ମୀ ମହାରଣା ପ୍ରମୁଖ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ କରିଛନ୍ତି ।
ଗତ ଡିସେମ୍ବର ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିକା ସମେତ ରାଜ୍ୟର ୮୯ଟି ବହୁମୁଖୀ ଇନ୍ଡୋର ଷ୍ଟାଡିୟମ୍ ଭର୍ଚୁଆଲ୍ ମାଧ୍ୟମରେ ଶିଳାନ୍ୟାସ କରିଥିଲେ । ଓଡିଶାକୁ ବିଶ୍ୱ କ୍ରୀଡା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି ବୋଲି ବିଧାୟିକା ମଞ୍ଜୁଳା ସ୍ୱାଇଁ ପ୍ରକାଶ କରିଥିଲେ । ହରିହର ହାଇସ୍କୁଲ ପରିସରରେ ହେବାକୁ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ୍ ଟେନିସ୍, ଭାରୋତ୍ତୋଳନ ସୁବିଧା ରହିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ଏହା ଆଶ୍ରୟସ୍ଥଳ ରୂପେ ମଧ୍ୟ ବ୍ୟବହାର କରାଯିବ । ଏହା କ୍ରୀଡା ପ୍ରତିଭାର ବିକାଶରେ ବିଶେଷ ସହାୟକ ହେବ ବୋଲି ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ପ୍ରକାଶ କରିଛନ୍ତି ।