କୁସ୍ତିର ଖଡ଼ି ଛୁଇଁଲେ ନୂଆ ପହିଲମାନ
ଜାଗା ଆଖଡ଼ାରେ ମହାବୀର ଜୟନ୍ତୀ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ରର ସଂସ୍କୃତି ପରମ୍ପରା ସହିତ ଜାଗା ଆଖଡ଼ାରେ ପବିତ୍ର ମହାବିଷୁବ ଜୟନ୍ତୀ ଅବସରରେ ମହାବୀର ହନୁମାନଙ୍କ ଜୟନ୍ତୀ ଗୁରୁବାର ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ଜାଗା ଆଖଡ଼ାରେ ପାରମ୍ପରିକ ମଲ୍ଲଯୁଦ୍ଧ, କୁସ୍ତି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ କୁନି ବାଳକ କୁସ୍ତିରେ ପାଦ ଥାପିଛନ୍ତି । ନୂଆ ପହିଲିମାନମାନେ ରୀତିନୀତି ଅନୁଯାୟୀ କୁସ୍ତିର ଖଡ଼ି ଛୁଇଁଥିଲେ । ଏନେଇ ବିଭିନ୍ନ ଜାଗା ଆଖଡ଼ାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଗୁରୁବାର ଦିନତମାମ ଜାଗା ଆଖଡ଼ାରେ ଉତ୍ସବର ଆଯୋଜନ କରାଯାଇଥିଲା । ମଲ୍ଲଯୋଦ୍ଧା ମହାପୁରୁଷ ଜଗନ୍ନାଥଙ୍କ ଦର୍ଶନ ସହ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ପରସ୍ପର ମଧ୍ୟରେ ସୌହାର୍ଦ୍ୟପୂର୍ଣ୍ଣ ମଲ୍ଲଯୁଦ୍ଧ କରିଥିଲେ ।
ସକାଳୁ ପ୍ରତି ଜାଗା ଆଖଡ଼ାରେ ଥିବା ମହାବୀରଙ୍କ ନିକଟରେ ଦେବନୀତି ସରିବା ପରେ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଜାଗା ଆଖଡ଼ାର ମଲ୍ଲ ଯୋଦ୍ଧା, କୁସ୍ତିକାରମାନେ ପହଞ୍ଚିଥିଲେ । ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ସରିବା ପରେ ନୂତନ ଭାବେ ପ୍ରବେଶ କରିଥିବା ମଲ୍ଲଯୋଦ୍ଧାମାନେ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ାମାନଙ୍କରେ ମହାବୀର ଜୟନ୍ତୀ ଓ ନୂତନ କୁସ୍ତିକାରମାନଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ହନୁମାନ ହେଉଛନ୍ତି ବିରତ୍ୱର ପ୍ରତୀକ । ସିଦ୍ଧି ଓ ସାଧନାର ପ୍ରତୀକ ହେଉଛନ୍ତି ଶ୍ରୀହନୁମାନ । ଭାରତୀୟ ଇତିହାସରେ କେବେ ବି ପରାଜୟ ଗ୍ରହଣ କରିନାହାନ୍ତି । ଏଣୁ ମଲ୍ଲଯୋଦ୍ଧାମାନେ ମହାବୀରଙ୍କ ଭଳି ସାହାସୀ ବୀର ହେବାଲାଗି ତାଙ୍କୁ ଆରାଧନା କରିଥାନ୍ତି । ଜଣେ ଦକ୍ଷ ମଲ୍ଲଯୋଦ୍ଧା ହେବାଲାଗି ଆଚରଣରେ ସଂଜମତା, ବ୍ରହ୍ମଚର୍ଯ୍ୟ ପାଳନ, ଭକ୍ତି ଓ ସ୍ନେହଭାବ ରହିବା ଆବଶ୍ୟକ । ଅତୀତରେ ଶ୍ରାମନ୍ଦିରକୁ ବାହ୍ୟଶତ୍ରୁଙ୍କ ଆକ୍ରମଣରୁ ରକ୍ଷା କରିବା ଲାଗି ପୂର୍ବତନ ଗଜପତି ମହାରାଜ ଶ୍ରୀକ୍ଷେତ୍ରରେ ଜାଗା, ଆଖଡ଼ା, କୋଟ, ଗୁରୁଜ ଓ ଗଡ଼ ସୃଷ୍ଟି କରିଥିଲେ । ଶ୍ରୀଜଗନ୍ନାଥଙ୍କ ସେବାୟତ ଓ ଶ୍ରୀକ୍ଷେତ୍ରବାସୀ ଏଥିରେ ଜଡ଼ିତ ଥିଲେ । ସୁରକ୍ଷା ପାଇଁ ଶତ୍ରୁକୁ ସାମ୍ନା କରିବାକୁ ହେଲେ ସମରକଳାରେ ପାରଙ୍ଗମ ଏବଂ ଶାରୀରିକ ଦୃଷ୍ଟିରୁ ହୃଷ୍ଟପୃଷ୍ଟ ହେବାର ଆବଶ୍ୟକତା ରହିଛି । ଏଠାରେ ଭେଣ୍ଡିଆମାନେ ସମରକଳା କୌଶଳ ପ୍ରଶିକ୍ଷଣ ନେଉଥିଲେ । ଯଦିଓ ଆଜି ଶ୍ରୀମନ୍ଦିର ପ୍ରତି ବାହ୍ୟଶତ୍ରୁ ଆକ୍ରମଣର କୌଣସି ଆଶଙ୍କା ନାହିଁ । ତଥାପି ଶ୍ରୀକ୍ଷେତ୍ରର ଯୁବକମାନେ ଏହି ପରମ୍ପରାକୁ ବଜାଇ ରଖିଛନ୍ତି ।